ପୁରୀ ଏସ୍ପି ଙ୍କ ନେତୃତ୍ଵରେ ବରିଷ୍ଠ ନାଗରିକ ସମ୍ମିଳନୀ

ପୁରୀ ପୋଲିସ୍ ଆୟୋଜିତ ବରିଷ୍ଠ ନାଗରିକ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମପୁରୀ ପୋଲିସ୍ ତରଫରୁ ଆଜି ରିଜର୍ଭ ପୋଲିସ୍ ଲାଇନ୍‌ସ୍‌ର କନଫରେନ୍ସ ହଲ୍‌ରେ ଏକ ବରିଷ୍ଠ ନାଗରିକ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହ, ଆଇପିଏସ୍,ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀରେ ମିସ ଅନଖା କେ. ବିଜୟା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଶ୍ରୀ ତପସ ଦାସ, କମାଣ୍ଡାଣ୍ଟ, ଏସଏସଏମଏସଭି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଶ୍ରୀ ଦେବୀ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ, ଶ୍ରୀମତୀ ତାରା ଜାସମିନ ଗୁରିଆ, ସହିତ ସମସ୍ତ ଡିଏସ୍ପି ଓ ପୁରୀ ସହର ଉପବିଭାଗର ସମସ୍ତ ଥାନା ଅଧିକାରୀ (IIC) ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତାରା ଜାସମିନ ଗୁରିଆଙ୍କୁ ବରିଷ୍ଠ ନାଗରିକଙ୍କ ପାଇଁ ନୋଡାଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି ବୋଲି ଜଣାଇ ଦିଆଯାଇଥିଲା। ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ ଏହି ସଭାରେ ବରିଷ୍ଠ ନାଗରିକମାନଙ୍କୁ ବର୍ତ୍ତମାନ ସମୟରେ ବଢ଼ିଚାଲିଥିବା ସାଇବର ଠକେଇ, ଅନଲାଇନ୍ ଫ୍ରଡ୍, ଫେକ୍ କଲ୍, ଓଟିପି ଠକେଇ, କେୱାଇସି ଅପଡେଟ୍ ନାମରେ ଠକେଇ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ। ଅଜଣା ଫୋନ୍ କଲ୍, ଲିଙ୍କ୍ ଓ ମେସେଜ୍‌ରୁ ସତର୍କ ରହିବାକୁ ଏବଂ କୌଣସି ପରିସ୍ଥିତିରେ ବ୍ୟକ୍ତିଗତ ତଥ୍ୟ, ଓଟିପି କିମ୍ବା ବ୍ୟାଙ୍କ ସମ୍ପର୍କିତ ସୂଚନା ସେୟାର୍ ନ କରିବାକୁ ପରାମର୍ଶ ଦେଇଥିଲେ।ଏହାସହ ଏହି କାର୍ଯ୍ୟକ୍ରମ ଅବସରରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରାୟ ୧୦୦ ଜଣ ବରିଷ୍ଠ ନାଗରିକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଓ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଗ୍ରହଣ କରିଥିଲେ।ଶ୍ରୀ ସିଂହ ବରିଷ୍ଠ ନାଗରିକମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ପୁରୀ ପୋଲିସ୍ ସବୁବେଳେ ସେମାନଙ୍କ ସହ ଅଛି ଏବଂ କୌଣସି ସମସ୍ୟା, ଅସୁବିଧା କିମ୍ବା ସନ୍ଦେହଜନକ ଘଟଣା ହେଲେ ପୋଲିସ୍‌କୁ ସୂଚନା ଦେବାକୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ ସ୍ପଷ୍ଟ କରି କହିଥିଲେ ଯେ ୧୧୨ ହେଉଛି ପୁରୀ ପୋଲିସ୍‌ର ୨୪×୭ ଜରୁରୀ ସେବା ନମ୍ବର, ଯାହା ମାଧ୍ୟମରେ ସମସ୍ତ ସମୟରେ ସାହାଯ୍ୟ ମିଳିପାରିବ। ପୁରୀ ପୋଲିସ୍ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସମ୍ମାନ ଓ ସୁଖସୁବିଧା ପାଇଁ ସଦା ସଚେତନ ଓ ପ୍ରତିବଦ୍ଧ ବୋଲି ସେ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିବା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *