ଝଙ୍କଡ଼ ସାରଳା ପୀଠରେ ଆରମ୍ଭହେଲା ଶାରଦୀୟ ପାର୍ବଣ ପୂଜା

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସ୍ତିତ ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ, ବାଣୀକ୍ଷେତ୍ର ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଚଳିତ ବର୍ଷ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମି, ଠାରୁ ଶୁଭାରମ୍ଭ ହୋଇଅଛି। ଏହି ଉପଲକ୍ଷେ ପ୍ରାତଃ ୪ ଟା ବେଳେ ମାଆଙ୍କ ପହୁଡ଼ ଖୋଲାଯିବା ପରେ, ମଙ୍ଗଳ ଆଳତି , ପାର୍ଶ୍ଵଦେବଦେବୀ ପୂଜା, ସକାଳ ୭ଟାରେ ମାର୍ଜନା ସରିବା ପରେ ମାଆଙ୍କୁ ଅଭିନବ ବେଶରେ ସଜ୍ଜିତ କରାଯାଇ, ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ, ସୂର୍ଯ୍ୟପୂଜା, ଦୈନିକ ପାଞ୍ଜିପାଠ କରାଯାଇଥିଲା । ପରେ ପରେ ମନ୍ଦିରର ମୂଖ୍ୟଦ୍ଵାର ଓ ଯଜ୍ଞଶାଳl ରେ ଘଟସ୍ଥାପନ ଓ ସମୂହ ଚଣ୍ଡୀପାଠର ମନ୍ତ୍ରଧ୍ୱନୀରେ, ମାଆଙ୍କ ପୀଠସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା।ଶାରଦୀୟ ପାର୍ବଣପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ଶାରଳା ମଣ୍ଡଳ!ମଧ୍ୟାହ୍ନ ସମୟରେ ପ୍ରଥମ ପ୍ରହର ଧୂପ, ବଡ଼ସିଂହାର,ଷୋଡ଼ଶ ଉପଚାର ପୂଜା, ଦ୍ୱିତୀୟ ପ୍ରହର ଧୂପ ପରେ ପହୁଡ ପଡ଼ିଥିଲା। ଅପରାହ୍ନରେ ପୁନଶ୍ଚ ପହୁଡ ଖୋଲାଯାଇ ମାର୍ଜନା ସରିବା ପରେ, ସନ୍ଧ୍ୟା ଆଳତୀ ନିମନ୍ତେ ଅପୂର୍ବ

ମନୋରମ ବେଶରେ ମାଆଙ୍କୁ ସଜ୍ଜିତ କରାଯାଇ, ନାନାପ୍ରକାରର ସ୍ୱର୍ଣ୍ଣାଳଙ୍କାର ମଣ୍ଡିତ କରାଇବା ପରେ ସନ୍ଧ୍ୟା ଆରତୀ ଦର୍ଶନ ନିମନ୍ତେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆଳତୀ ପରେ ନାଟ୍ୟମଣ୍ଡପ ରେ ପୁରାଣପଣ୍ଡା ଙ୍କ ଦ୍ଵାରା ଶୂଦ୍ରମୁନି ସାରଳା ଦାସ ଙ୍କ ବିରଚିତ ଚଣ୍ଡୀ ପୁରାଣ ପାଠ , ଜପଯଜ୍ଞ, ପ୍ରଥମ ପ୍ରହର ଧୂପ, ବଡ଼ସିଂହାର ଓ ଷୋଡ଼ଶ ଉପଚାର ପୂଜା ପରେ ସମ୍ପୂର୍ଣ୍ଣ ସୁନାବେଶ ରେ ସ୍ୱଳ୍ପ ସମୟ ପାଇଁ, ଭକ୍ତମାନଙ୍କୁ ମାଆ ଦର୍ଶନ ଦେଇଥିଲେ। ଦ୍ବିତୀୟ ପ୍ରହର ଧୂପ ପରେ ବିଳମ୍ବିତ ରାତ୍ରୀରେ ମାଆଙ୍କ ପହୁଡ଼ ପଡ଼ିଥାଏ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥାଏ।

Leave a Reply

Your email address will not be published. Required fields are marked *