ଶ୍ରାବଣ ଦ୍ୱିତୀୟ ସୋମବାର।ଗୋରେଖନାଥଙ୍କୁ ଜଳଲାଗି କଲେ ୩୦ ହଜାର କାଉଡ଼ିଆ।
ରଘୁନାଥପୁର:- ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରଭୁ ଗୋରେଖନାଥ ପୀଠରେ ୩୦ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ପହଞ୍ଚି ଜଳଲାଗି କରିଛନ୍ତି।ଦୂରଦୂରାନ୍ତରୁ ପାଣି ନେଇ ଆସିଥିବା କାଉଡ଼ିଆମାନେ ରବିବାର ପୀଠରେ ପହଞ୍ଚି ବିଶ୍ରାମ ନେଇଥିଲେ।ସନ୍ଧ୍ୟା ପରଠୁ ଏମାନଙ୍କ ଭିଡ ଆଶାତୀତ ଭାବେ ବୃଦ୍ଧି ପାଇଥିଲା।ପୀଠ ପରିସରରେ ହୋଇଥିବା ଅସ୍ଥାୟୀ ଟେଣ୍ଟ, ପ୍ରାସାଦ ମଣ୍ଡପ ଓ ଚତୁର୍ପାଶ୍ୱ ରାସ୍ତାଘାଟରେ କାଉଡିଆମାନେ ଆଶ୍ରୟ ନେଇଥିବା ଦେଖାଯାଇଥିଲା। ଭିଡକୁ ଦୃଷ୍ଟିରେ ରଖି ରାତି ୧ଟା ୩୦ରେ ପ୍ରଭୁଙ୍କ ପହୁଡ଼ ଖୋଲିବା ପରେ ମାନସିକଧାରି ମାନେ ବ୍ୟାରିକେଡ଼ରେ ଆସି ପ୍ରଭୁଙ୍କୁ ଜଳଲାଗି କରିଥିଲେ।ତିର୍ତ୍ତୋଲ ଆଇଆଇସି ପ୍ରଦୀପ୍ତ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ପୋଲିସ ବାହିନୀ ଉପସ୍ଥିତ ରହି ଶୃଙ୍ଖଳିତ ଜଳଲାଗିର ବ୍ୟବସ୍ଥା କରିଥିଲେ।ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା ମାଜିଷ୍ଟ୍ରେଟ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ପୂର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ ପାଣିଢଳା ପର୍ବ ଜାରି ରହିଥିଲା। ଭିଡକୁ ଦୃଷ୍ଟିରେ ରଖି ପୀଠ ପ୍ରଶାସନ ପକ୍ଷରୁ ଶୌଚାଳୟ,ପାନୀୟଜଳ, ଆଲୋକ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯାଇଥିଲେ ସୁଧା ଏହା ପର୍ଯ୍ୟାପ୍ତ ହୋଇନଥିଲା।ଏହାଛଡା ବିଶ୍ରାମ ପାଇଁ ଟେଣ୍ଟ ବନ୍ଧା ହୋଇଥିବା ସ୍ଥାନରେ ସେଛାସେବି ସଙ୍ଗଠନ ପକ୍ଷରୁ ମାଗଣା ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା।

ଉକ୍ତ ସ୍ଥାନରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ ହୋଇଥିବାରୁ ପରିବେଶ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା।ପାଣିକାଦୁଅରେ ଅଇଁଠା ପତ୍ର ଓ ଚାହା କପ ପଡି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା।ଲୋକେ ତାରି ଉପର ଦେଇ ଚଳପ୍ରଚଳ କରିବାକୁ ବାଧ୍ୟ ହୋଇଥିଲେ।ଅନ୍ୟପକ୍ଷେ ପୀଠ ପରିସରରେ ଫାଷ୍ଟେଡ ବ୍ୟବସ୍ଥା ସହ ଡାକ୍ତର ଉପସ୍ଥିତ ରହି ସେବା ଯୋଗାଇ ଦେଇଥିଲେ।ଉପଦେଷ୍ଟା କମିଟି ସଦସ୍ୟ ପ୍ରମୋଦ କୁମାର ମହାନ୍ତି,ଆଇନଜୀବି ଜୀବନ ବଲ୍ଲଭ ମହାନ୍ତି ଓ କର୍ମଚାରୀ ସରୋଜ କୁମାର ସାହାଣୀ ଉପସ୍ଥିତ ରହି ସହଯୋଗ କରିଥିଲେ।ଗତ ସୋମବାର ଅଫିସ ସମ୍ମୁଖରେ ବ୍ୟାରିକେଡ଼ ନିର୍ମାଣ ଯୋଗୁଁ ପୀଠ ନିଲାମ ପ୍ରାପ୍ତ ଭୋଗ ଓ ଦୀପ ଦୋକାନୀ କ୍ଷତି ସହିଥିଲେ।ଦୁତୀୟ ପାଳିରେ ବ୍ୟାରିକେଡ଼ର କିଛି ଅଂଶ ଖୋଲି ଦିଆଯାଇଥିବାବେଳେ ରାତିରେ ନିଲାମି ଦୋକାନ ସମ୍ମୁଖରେ କାଉଡିଆଙ୍କ ଲମ୍ବା ଲାଇନ ଯୋଗୁଁ ବେପାର ବାଧାପ୍ରାପ୍ତ ହୋଇଥିବାର ଭୋଗ ଦୋକାନୀ ସତ୍ୟବ୍ରତ ତ୍ରିପାଠୀ ପ୍ରକାଶ କରିଛନ୍ତି।ଶୃଙ୍ଖଳାର ସହ ଜଳଲାଗି ଉତ୍ସବ ଶେଷ ହୋଇଥିବାବେଳେ ଚତୁର୍ପାର୍ଶ୍ବ ଦୋକାନୀମାନେ ରାତି ଉଜାଗର ରହି ବେଶ ଦିପାଇସା କମେଇଥିବାର ଦେଖାଯାଇଛି।
