ଶ୍ରୀମନ୍ଦିର

ଶ୍ରୀମନ୍ଦିର
ଡ. ପ୍ରେମାନନ୍ଦ ବେହେରା

ନୀଳାଚଳର ନିରବ ନୀଳିମା-ପ୍ରାନ୍ତରେ
ଉଦ୍ଭାସିତ ହୋଇଉଠେ
ଶ୍ରୀମନ୍ଦିର….
ପାଷାଣର ଦୃଶ୍ୟମାନ ଆକୃତି ନୁହେଁ
ବରଂ ଏକ ଅନାଦି–ଅନନ୍ତ
ଚେତନାତ୍ମକ ତତ୍ତ୍ୱର ସାକ୍ଷାତ୍ ପ୍ରତିରୂପ ।।

ଏଠି ଶୂନ୍ୟ
କେବଳ ଶୂନ୍ୟତା ନୁହେଁ
ଶୂନ୍ୟର ଗର୍ଭରେ
ସଂରକ୍ଷିତ ରହିଛି
ସମ୍ପୂର୍ଣ୍ଣତାର ଶାଶ୍ୱତ ନାଦବ୍ରହ୍ମ ।।

ଗର୍ଭଗୃହର ସଘନ ଅନ୍ଧକାରରେ
ଆଲୋକତତ୍ତ୍ୱର
ଦାର୍ଶନିକ ପ୍ରତିପାଦନ ହୋଇଯାଏ,
ନେତ୍ରହୀନ ନୟନ
ଦେଖେ ସକଳ ବିଶ୍ୱର ଗତି,
କରହୀନ କରୁଣା
ଆଲିଙ୍ଗନ କରେ
ସମସ୍ତ ଦଳିତ, ଅପମାନିତ
ଓ ଅପରାଜିତ ଆତ୍ମସତ୍ତାକୁ ।।

ଏଠି ଭଗବାନ
ନ୍ୟାୟାସନର ଉଚ୍ଚତାରେ ନୁହେଁ
ସେ ବସନ୍ତି
ପତିତର ନିଶ୍ୱାସ ପାଖରେ
ପରିତ୍ୟକ୍ତର ଅଶ୍ରୁସିକ୍ତ
ନିର୍ବାକ ପ୍ରାର୍ଥନାର ଗଭୀରତାରେ ।।

ମହାପ୍ରସାଦ….
କେବଳ ଆହାର ନୁହେଁ
ଏହା ଏକ ତତ୍ତ୍ୱଗତ ଘୋଷଣାପତ୍ର
ଯେଉଁଠି ଅହଂକାର ହୁଏ
ଇଚ୍ଛାକୃତ ନିରାହାର
ଏବଂ ମାନବତା
ସର୍ବଭୋଜ୍ୟ ମୂଲ୍ୟବୋଧ ।।

ରାଜତ୍ୱ ଓ ଦାରିଦ୍ର୍ୟ
ଏଠି ନିରୁତ୍ତର
ପଙ୍କ୍ତି ଏକ
ପତ୍ର ଏକ
ଭୋଜନ ଏକ…
ଏବଂ ମଣିଷ ହେବାର
ଅର୍ଥବୋଧ ମଧ୍ୟ ଅଭିନ୍ନ ।।

ଶିଖର ଉପରେ ଉଡୁଥିବା
ପତିତପାବନ ଧ୍ୱଜ
କାଳକୁ ଆହ୍ୱାନ କରି ଘୋଷଣା କରେ…
ସତ୍ୟ କଦାପି ଜଡ଼ ନୁହେଁ
ସତ୍ୟ ସଦା ସଞ୍ଚାଳିତ,
ସଦା ପରିବର୍ତ୍ତନଶୀଳ ।।

ଶ୍ରୀ ମନ୍ଦିର….
ସମଗ୍ର ମାନବତାକୁ ଶିଖାଏ…
ଭକ୍ତି ….
କେବଳ ମୁଣ୍ଡନତ କରିବା ନୁହେଁ,
ଚେତନାକୁ କରିବା
ଶୋଧିତ, ପରିଶୁଦ୍ଧ ଓ ଆଲୋକମୟ ।।

ମୁଁ ମନ୍ଦିର ଛାଡ଼ି ଆସିଲି
କିନ୍ତୁ ମନ୍ଦିର
ମୋ ଅନ୍ତସ୍ତତ୍ତ୍ୱରେ
ଅବିଚ୍ଛିନ୍ନ ଭାବେ ରହିଗଲା…
ଯେଉଁଠି କରୁଣାର ଉଦ୍ଭବ,
ଯେଉଁଠି ଭାବ, ବିଶ୍ୱାସ, ଚେତନା, ମାନବତା
ନିରବ ଭାବେ ଏକାକାର ହୋଇଯାଏ
ସେଇଠି
ଶ୍ରୀ ମନ୍ଦିର….
ନବୀନ ରୂପେ ପୁନଃ ପ୍ରତିଷ୍ଠିତ ହୁଏ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *