ଗଞ୍ଜାମ ବଡ଼ ବଜାରରେ ଶ୍ରୀରାମ ନବମୀ ମହୋତ୍ସବ: ଅଧ୍ୟାତ୍ମିକ ପରିବେଶରେ ଚାଲିଛି ରାମଚରିତ ମାନସ ପାରାୟଣ
ଗଞ୍ଜାମ,୩୧/୦୩: ଗଞ୍ଜାମ ସହରର ପ୍ରସିଦ୍ଧ ବଡ଼ ବଜାର ସ୍ଥିତ ଶ୍ରୀ ଲଛମନ ବାଲାଜୀ ଓ ହନୁମାନ ମନ୍ଦିର ପରିସରରେ ଶ୍ରୀରାମ ନବମୀ ଉପଲକ୍ଷେ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଶ୍ରୀରାମଙ୍କ ନବାହ୍ନ ପାରାୟଣ ଓ ଶ୍ରୀ ରାମଚରିତ ମାନସ ପାଠ କାର୍ଯ୍ୟକ୍ରମ ଜାରି ରହିଛି। ହନୁମାନ ସେବକ ପ୍ରଶାନ୍ତ କୁମାର ତ୍ରିପାଠୀ ଅତ୍ୟନ୍ତ ନିଷ୍ଠାର ସହ ଏହି ପାରାୟଣ ସମ୍ପାଦନ କରୁଛନ୍ତି। ମୁଖ୍ୟ ପୂଜକ କାଳୁ ଚରଣ ଶତପଥୀଙ୍କ ପୌରୋହିତ୍ୟରେ ପ୍ରତ୍ୟେକ ଦିନ ହୋମ ଯଜ୍ଞ ଓ ବିଶେଷ ପୂଜାର୍ଚ୍ଚନା କରାଯାଉଥିବା ବେଳେ ବଡ଼ ବଜାର ବଣିକ ସଂଘର ସଭାପତି ଗୋରୀ ଶଙ୍କର ବାରିକ ଏଥିରେ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ କୃଷ୍ଣ ଚନ୍ଦ୍ର ଦାସ, କାମା ବିଶ୍ଵାଳ ଓ ମଙ୍ଗଳୁ ପାଣିଗ୍ରାହୀଙ୍କ ସମେତ ସ୍ଥାନୀୟ ଶ୍ରଦ୍ଧାଳୁମାନେ ସକ୍ରିୟ ଭାବେ ପରିଚାଳନା କରୁଛନ୍ତି। ମନ୍ଦିରର ଏହି ଭକ୍ତିମୟ ପରିବେଶ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ଜାଗରଣ ସୃଷ୍ଟି କରିଥିବା ବେଳେ ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଛି। ଏହି ଆଧ୍ୟାତ୍ମିକ ଅନୁଭୂତି ଅଞ୍ଚଳବାସୀଙ୍କ ମଧ୍ୟରେ ଶାନ୍ତି ଓ ସଂହତିର ବାର୍ତ୍ତା ପ୍ରଦାନ କରୁଛି।
