ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଭାରତ ସରକାରଙ୍କ ଡିଆଇବିଡ଼ି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଭାରତ ସରକାରଙ୍କ ଡିଆଇବିଡ଼ି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କୃତ୍ରିମ ବୁଦ୍ଧିମତ୍ତା ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଦ୍ଵାରା ସୁନିଶ୍ଚିତ ହେବ ଓଡ଼ିଆ ଭାଷାର ବ୍ୟବହାର ଭୁବନେଶ୍ୱର, ୧୨-୧୧-୨୦୨୪ : ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧିନସ୍ଥ ଡିଜିଟାଲ ଇଣ୍ଡିଆ ଭାସିନୀ ଡିଭିଜନ (ଡିଆଇବିଡ଼ି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଏହି ବୁଝାମଣାର ଲକ୍ଷ୍ୟ ଅଟେ । କୃତ୍ରିମ ବୁଦ୍ଧିମତ୍ତା ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ଵାରା ଦେଶର ସମସ୍ତ ପ୍ରାଦେଶିକ ଭାଷାର ବିକାଶ ଏବଂ ଭାଷାନୁବାଦ କ୍ଷେତ୍ରରେ ଡିଆଇବିଡ଼ି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଅତିରିକ୍ତ ଶାସନ ସଚିବ ତଥା ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ପ୍ରଦୀପ କୁମାର ରାଉତ ଏବଂ ଡିଆଇବିଡ଼ି ତରଫରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ ନାଗ ଏହି ବୁଝାମଣାପତ୍ର ସ୍ଵାକ୍ଷର କରିଥିଲେ । ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଯୁଗ୍ମ ଶାସନ ସଚିବ ତଥା ଓଡିଆ ଭର୍ଚୁଆଲ ଏକାଡେମୀର ସମ୍ପାଦକ ଶ୍ରୀ ସବ୍ୟସାଚୀ ହୋତା, ଅନୁ ଶାସନ ସଚିବ ଶ୍ରୀ ସୁକାନ୍ତ କୁମାର ଦାସ, ବରିଷ୍ଠ ସିଷ୍ଟମ ଆନାଲିଷ୍ଟ ଶ୍ରୀ ସୁବ୍ରତ ମହାନ୍ତି, ସୂଚନା ପ୍ରଯୁକ୍ତିବିଦ୍ୟା ପରିଚାଳକ ଶ୍ରୀ ସ୍ମୃତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆମ ଓଡ଼ିଆ ଭାଷା-ସାହିତ୍ୟକୁ ବୈଷୟିକ ଜ୍ଞାନକୌଶଳର ସାହାଯ୍ୟ ନେଇ କିପରି ଅଧିକରୁ ଅଧିକ ସମୃଦ୍ଧ କରାଯାଇପାରିବ ତଥା ଡିଜିଟାଲ ପ୍ଲାଟଫର୍ମରେ ଏହା ସହଜରେ ଉପଲବ୍ଧ ହୋଇପାରିବ ସେଥିଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ଵ ଦେଇଆସିଛନ୍ତି । ଅଧିକନ୍ତୁ, ରାଜ୍ୟ ସରକାର ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ତଥା ଏକ ବଳିଷ୍ଠ ଶବ୍ଦ ଭଣ୍ଡାର ସୃଷ୍ଟିପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାଦ୍ଵାରା ମେସିନ୍ ଭାଷା ଅନୁବାଦ (ଏମଏଲଟି), ମେସିନ୍ ଭାଷା ପ୍ରକ୍ରିୟାକରଣ (ଏମଏଲପି), ଟେକ୍ସଟ ଟୁ ସ୍ପିଚ୍ (ଟିଟିଏସ୍), ସ୍ପିଚ୍ ଟୁ ଟେକ୍ସଟ୍ (ଏସଟିଟି) କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ତଥା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ପ୍ରଭାବୀ ଢଙ୍ଗରେ ହୋଇପାରିବ ବୋଲି ଅତିରିକ୍ତ ଶାସନ ସଚିବ ଡଃ ରାଉତ ଉଲ୍ଲେଖ କରିଥିଲେ ।ଏହି ଅବସରରେ ଡିଜିଟାଲ ଇଣ୍ଡିଆ ଭାସିନୀ ଡିଭିଜନ ଦ୍ଵାରା ଏକ ବୈଷୟିକ ଉପସ୍ଥାପନା କରାଯିବ ସହ ସଫଳ ପ୍ରୟୋଗଗୁଡ଼ିକ ପ୍ରଦର୍ଶନ କରଯାଇଥିଲା । ଶେଷରେ ଯୁଗ୍ମ ଶାସନ ସଚିବ ଶ୍ରୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।ସୌରଭ ପ୍ରଧାନ ଲୋକ ସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *