ରେଶମ ସହର ମହୋତ୍ସବର ଉଦଯାପିତ

ରେଶମ ସହର ମହୋତ୍ସବର ଉଦଯାପିତ

ନାରୀ ଅଧିନିୟମ ବିଧେୟକ ମହିଳାମାନଙ୍କୁ ଆହୁରି ସଶକ୍ତ କରିବ : ଆସ୍କା ସାଂସଦ ଶ୍ରୀମତୀ ଶୁଭଦର୍ଶିନୀ

ନିଜ କଳା, ସାହିତ୍ୟ, ସଂସ୍କୃତି, ଐତିହ ଓ ପରମ୍ପରାକୁ ନେଇ ଗଞ୍ଜାମବାସୀ ସବୁବେଳେ ଗର୍ବ କରିଆସିଛନ୍ତି: ଆସ୍କା ସାଂସଦ ଶ୍ରୀମତୀ ଶୁଭଦର୍ଶିନୀ

ମହୋତ୍ସବର ସମସ୍ତ ସହଯୋଗୀ ଓ ଅଂଶଗ୍ରହଣକାରୀଙ୍କୁ ସାଧୁବାଦ ଜଣାଇଲେ ବ୍ରହ୍ମପୁର ବିଧାୟକ ଓ ଜିଲ୍ଲାପାଳ

ମଣ୍ଟୁ ଛୁରିଆଙ୍କ ସଙ୍ଗୀତ ଓ ସ୍ଥାନୀୟ କଳାକାରଙ୍କ ନୃତ୍ୟରେ ବର୍ଷକ ବିଭୋର

ବ୍ରହ୍ମପୁର ତା.12.04.26

ରେଶମ ସହର ମହୋତ୍ସବ ତା ସହିତ ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳାର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଓ ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ନୀତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣା ବିବେକ ଏମ, ବରିଷ୍ଠ ସମାଜସେବୀ ସାରଦା ପ୍ରସାଦ ଶତପଥୀ ଓ ସରୋଜ ସାବତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଆକବରମ ସସ୍ଯ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଯୋଗଦେଇଥିଲେ।

ଅଳ୍ପ ଦିନ ମଧ୍ୟରେ ନାରୀ ଅଧିନିୟମ ବିଧେୟକ ପାରିତ ହେବାକୁ ଯାଉଛି। ଏହାଦ୍ୱାରା ମହିଳାମାନେ ଆହୁରି ସଶକ୍ତ ହେବେ । ତେଣୁ ପ୍ରଧାନମନ୍ତ୍ରୀ ସମସ୍ତ ସାଧୁବାଦର ପାତ୍ର ବୋଲି ଆସ୍କା ସାଂସଦ ଶ୍ରୀମତୀ ଶୁଭଦର୍ଶିନୀ ଉଲ୍ଲେଖ କରିଥିଲେ।

ନିଜ କଳା, ସାହିତ୍ୟ, ସଂସ୍କୃତି, ଐତିହ ଓ ପରମ୍ପରାକୁ ନେଇ ଗଞ୍ଜାମବାସୀ ସବୁବେଳେ ଗର୍ବ କରିଆସିଛନ୍ତି। ଆଗକୁ ମଧ୍ୟ ଏହି ମନୋଭାବ ବଳବତ୍ତର ରଖି ଗଞ୍ଜାମକୁ ଦେଶର ପ୍ରଗତି ଓ ପରମ୍ପରାର ଏକ ଅନୁକରଣୀୟ ଜିଲ୍ଲାରେ ପରିଣତ କରିବା ପାଇଁ ସାଂସଦ ଶୁଭଦର୍ଶିନୀ ଜିଲ୍ଲାବାସୀଙ୍କ ସ୍ୱାଭିମାନୀ ସହଯୋଗ କାମନା କରିଥିଲେ।

ଏହି ମହୋତ୍ସବ ବ୍ରହ୍ମପୁର ଓ ଗଞ୍ଜାମର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପ୍ରଗତିକୁ ଆଶାନୁରୂପ ପ୍ରତିଫଳିତ କରିପାରିଛି ବୋଲି
ବ୍ରହ୍ମପୁର ବିଧାୟକ ଶ୍ରୀ କୁମାର, ଆରକ୍ଷୀ ମହାନିରୀକ୍ଷକ ଶ୍ରୀ ଶେଖର, ଜିଲ୍ଲାପାଳ ଶ୍ରୀ ୱାସନ କହିବା ସହିତ ସମାରୋହର ସଫଳତା ପାଇଁ ବ୍ରହ୍ମପୁରବାସୀ, ସମାରୋହର ସମସ୍ତ ସହଯୋଗୀ, ଅଂଶଗ୍ରହଣକାରୀ ଓ କଳାକାରମାନଙ୍କୁ ସାଧୁବାଦ ଜ୍ଞାପନ କରିବା ସହିତ ରେଶମ ପାଟକୁ ବିଶ୍ୱବିଦିତ କରିବା ପାଇଁ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ।

ଏମିତି ସହଯୋଗ ରହିଲେ ଆଗାମୀ ବର୍ଷମାନଙ୍କରେ ମହୋତ୍ସବର କଳେବରକୁ ଆହୁରି ବଡ଼ ଆକାର ଦିଆଯିବ ବୋଲି ବିଧାୟକ ଶ୍ରୀ କୁମାର କହିଥିଲେ ।

କଳା, ସଂସ୍କୃତିର ପ୍ରଚାର ପ୍ରସାର ସହିତ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମୀ ହେବାର ମନୋଭାବ ସୃଷ୍ଟି କରିବା ରେଶମ ସହର ମହୋତ୍ସବର ଉଦ୍ଦେଶ୍ୟ ଥିଲା । ସେଥିରେ ଆୟୋଜକମାନେ ସଫଳ ହୋଇପାରିଛନ୍ତି ବୋଲି ସମାଜସେବୀ ଶ୍ରୀ ଶତପଥୀ ପ୍ରକାଶ କରିଥିଲେ।

ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ଆୟୁଷି ଦାସ, ସିମାଞ୍ଚଳ ବାରିକଙ୍କ ସମେତ ସଫଳ ଉଦ୍ୟୋଗୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡ଼ିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ସହଯୋଗୀମାନେ ଆଜିର ସଙ୍ଗୀତମୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ । ତା ସହିତ
କଳିଙ୍ଗ ନୃତ୍ୟ ଧାରା ପକ୍ଷରୁ ଓଡ଼ିଶୀ ନୃତ୍ୟ, ଅନିରୁଦ୍ଧ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆଧୁନିକ ନୃତ୍ୟ, ମିନି ମିରାକଲ୍ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଆଧୁନିକ ନୃତ୍ୟ, କଳା ବିକାଶ କେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ, ପଦ୍ମବିଭୂଷଣ ଗୁରୁ କେଳୁଚରଣ କଳା କେନ୍ଦ୍ର ପକ୍ଷରୁ ଓଡିଶୀ ନୃତ୍ୟ, ୱାଓ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଆଧୁନିକ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟାୟନ ପକ୍ଷରୁ ପରିବେଷିତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରିପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ

Leave a Reply

Your email address will not be published. Required fields are marked *