ଶ୍ରୀମନ୍ଦିରକୁ ଫେରିବ ଏମାରମଠ ଜବତ ରୂପା ଇଟା
ଏମାର ମଠର ଜବତ 545 ଟି ରୂପା ଇଟା ଶ୍ରୀମନ୍ଦିରକୁ ଫେରିବ ବୋଲି ଛତିଶାନିଯୋଗ ବୈଠକରେ ଗୁରୁତ୍ୱତ୍ପୂର୍ଣ୍ଣ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଛି | ଦଶହରା ପର ଦିନ ଠାରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ଭୋର 4 ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ହେବ। ଚଳିତବର୍ଷ ପଞ୍ଚୁକ 4 ଦିନ ପଡୁଥିବାରୁ ଏଥର ବାଙ୍କଚୂଡ଼ ବେଶ କରାଯିବ ନାହିଁ | କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ଏସଓପି ପ୍ରସ୍ତୁତ କରାଯିବ । ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରସଙ୍ଗ, ସେବାୟତ କଲ୍ୟାଣ ଓ ହବିଷ୍ୟାଳି ଶିବିର ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ ବ୍ୟବହାର କଟକଣା ସମ୍ପର୍କରେ ଖୁବଶୀଘ୍ର ଗୋଟିଏ ଗାଇଡଲାଇନ୍ ଆସିବ। ପ୍ରାଥମିକ ପର୍ଯ୍ୟାୟରେ ଜେଟିପି ମାନଙ୍କ ପାଇଁ କଟକଣା ଲାଗୁ ହେବ,ପରେ ସେବକଙ୍କ ପାଇଁ ଲାଗୁ ହେବ ମୋବାଇଲ କଟକଣା। ଏହା ବ୍ୟତୀତ ହୁଣ୍ଡି ସ୍ଥାନାନ୍ତର, ବେଶ ସମ୍ବନ୍ଦୀୟ ଅଳଙ୍କାର ଦ୍ୱିତୀୟ ସେଟ, ଚାରିଆଶ୍ରମର ଉର୍ନତିକରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା | ଶୃଙ୍ଖଳିତ ନୀତିକାନ୍ତି ସମନ୍ୱୟ ବୈଠକ ମଧ୍ୟ ପ୍ରତି ବୁଧବାର କରାଯିବ । ଏମାରମଠରୁ ଜବତ ରୂପାଇଟା ଶ୍ରୀମନ୍ଦିରକୁ ଆଣିବା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହିମାମଲା ଏବେ କୋର୍ଟଙ୍କ ବିଚାରଧୀନ ରହିଛି। ତେଣୁ ରୂପାଇଟା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି |
