ଆସାମର ବିହୁ ନୃତ୍ୟର ତାଳେ ତାଳେ ଉଦଯାପିତ ହେଲା ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ
ଖୋର୍ଦ୍ଧା ,ସ୍ଥାନୀୟ ହାବେଳୀ ପଡିଆରେ ଚାଲିଥିବା ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ସମାରୋହ ସୋମବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ସଂଧ୍ୟାର କାର୍ଯ୍ୟକ୍ରମ ମଧ୍ୟରେ ବ୍ଲୁ ଡାଇମଣ୍ଡ ଅର୍କେଷ୍ଟ୍ରା ପକ୍ଷରୁ ଆରମ୍ଭ ହୋଇଥିଲା ମଧୁର ସଂଗୀତ। ମୁଁ ପରଦେଶୀ ଚଢେଇ… ଠାରୁ ଆରମ୍ଭ କରି ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ ଭଳି ଗୀତ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା। ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ବେଶ୍ ମନମୁଗ୍ଧକର ହୋଇଥିଲା । ବିଶେଷ କରି ସୁଦୂର ଆସାମରୁ ଆସିଥିବା ନୃତ୍ୟାଙ୍ଗନା ମାନଙ୍କ ବିହୁନୃତ୍ୟରେ ଦର୍ଶକ ଝୁମିଥିଲେ । ଚଳିତବର୍ଷ ଛୋଟ ବଡ଼ ହୋଇ ୨୫୦ରୁ ଉର୍ଦ୍ଧ ଦୋକାନ ହୋଇଥିବା ବେଳେ ୨.୫ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ରହିଛି।

ଉଦଯାପନୀ ସଂଧ୍ୟାରେ ମହୋତ୍ସବ କମିଟିର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବରିଷ୍ଠ ଆଇନଜୀବି ଶକ୍ତିଶଙ୍କର ମିଶ୍ର, ସମାଜସେବୀ ସ୍ମିତା ସାମନ୍ତ, ଦେବ ରଥ, ଗୈାରୀଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦେଇ ମହୋତ୍ସବର ଦୀର୍ଘ ଭବିଷ୍ୟ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ନିକୁଞ୍ଜକିଶୋର ପଟ୍ଟନାୟକ, ସଂପାଦକ ନରେନ୍ଦ୍ର ପୃଷ୍ଟି ପ୍ରମ୍ମୁଖ ମଂଚରେ ଉପସ୍ଥିତ ଥିଲେ । ସାହିତ୍ୟ ସାଧନା କ୍ଷେତ୍ରରେ ଲକ୍ଷ୍ମୀଧର ବଡ଼ଜେନା, କବୟିତ୍ରୀ ବିଳାଶିନୀ ଦାଶ, ଅଧ୍ୟାପକ ରଶ୍ମିରଞ୍ଜନ କର, ସମାଜସେବୀ କିଶୋର କୁମାର ସୁତାର, ହାବିଲଦାର ମସି ଅହେମଦ ଖାନ୍ ଓ କବୟିତ୍ରୀ ସୁବାସିନୀ ପଟ୍ଟନାୟକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଫୁଲ ସାମନ୍ତରାୟ, ଅଭିନାଶ ଦଳେଇ, ଦିଲ୍ଲୀପ ମହାନ୍ତି, ବିମଳ ସାମନ୍ତରାୟ ପରିଚାଳନା କରୁଥିବା ବେଳେ, ମଂଚ ସଂଚାଳକ ଭାବେ ପବିତ୍ର ନାୟକ କାର୍ଯ୍ୟ ତୁଲାଇଥିଲେ ।
