ଜୀବନର ଛଅ ଋତୁ

               ଜୀବନର ଛଅ ଋତୁ

   🖊️କବିରତ୍ନ ନୂତନ କୁମାର ବେହେରା

ପୃଥିବୀ ବୃତ୍ତର ଉତ୍ତର ଓ ଦକ୍ଷଣି ଦୁଇ ଗୋଲାର୍ଦ୍ଧ
ବୁଲେ ସଦା କକ୍ଷ ପଥେ ଅକ୍ଷ ତାର ଢ଼ଳି
ଆହ୍ନିକ/ଆବର୍ତ୍ତନ ଗତିରେ ହୁଅଇ ଦିନ ରାତି
ପରିକ୍ରମଣର କ୍ରମରେ ଋତୁ ଯାଏ ବଦଳି
ପ୍ରକୃତିର ପଞ୍ଚଭୂତ ସନ୍ତୁଳିତ ହୁଏ ସମତା ରଖି
ଜୀବଜଗତକୁ ପ୍ରଭାବିତ କରେ ପାଣିପାଗ
ଅନୁକୂଳ ପ୍ରତିକୂଳର ପ୍ରବାହରେ ଚାଲେ କ୍ରମାଗତ
ସମ ବିଷମ ହୁଏ ସୂକ୍ଷ୍ମ ରୂପରୁ ସ୍ଥୂଳର ଭୂଭାଗ
ଏକ ଏକ ନିର୍ଦ୍ଦିଷ୍ଟ ସମୟ ସୀମାର ଅନ୍ତରେ ଋତୁ
ଆସେ ଯାଏ ପ୍ରତିବର୍ଷ ପ୍ରକୃତିର ନିୟମରେ
ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ
କ୍ରମରେ ଚାଲେ ଛଅ ଋତୁ ସୃଷ୍ଟିର ସୁରକ୍ଷାରେ
ଜନ୍ମ ମୃତ୍ୟୁର ଚକ୍ରରେ ଆସେ ଜୀବନର ଛଅ ଋତୁ
ଶୈଶବ/ବାଲ୍ୟ ପୌଗଣ୍ଡ କୈଶୋର ଯୌବନ
ପ୍ରୌଢ଼ ବାର୍ଦ୍ଧକ୍ୟ ହୁଅଇ ଛଅ ଅବସ୍ଥା ହେତୁ
ପରିବେଶ ପରିସ୍ଥିତିକୁ ନେଇ ମଣିଷ ବିତାଏ ଦିନ
ଜୀବନର ଦୁଃଖ କଷ୍ଟ ଯେତେ ଗ୍ରୀଷ୍ମ କ୍ଳୀଷ୍ଟ ପରି
ଅଭାବ ଅସୁବିଧା ସବୁ ଆସେ ବର୍ଷା ସମ ଝରି
ଶିଶିର ସ୍ନାତ ସ୍ଵଚ୍ଛ ଗୁଣ ପ୍ରୀତ କରେ ହେମନ୍ତ ଭଳି
ନିର୍ମଳ ଆକାଶ ସ୍ଵରୂପ ଶରତ ଶୁଭ୍ରତା ଦିଏ ଢ଼ାଳି
ଶୀତ ଋତୁ ଆସି ଥରାଏ ଦେଖାଇ ତା’ ପ୍ରକୋପ
ସହିବାକୁ ହୋଇଥାଏ ଜୀବନରେ ତ୍ରିତାପ
ଫଗୁଣର ଫୁଲେ ଆଉ ଫଗୁ ରଙ୍ଗେ ଆସେ ବସନ୍ତ
ଯୌବନ ପ୍ରାଣେ ଭରି ଦିଅଇ ପ୍ରେମର ପୀୟୂଷ
ମନର ଭାବନା ଅନୁସାରେ ହୁଏ କ୍ରିୟା ପ୍ରତିକ୍ରିୟା
କେବେ ଆନନ୍ଦ ଉଲ୍ଲାସ କେବେ ଉଦାସ ବିବଶ
ପ୍ରକୃତିର ଛଅ ଋତୁ ପରି ଜୀବନର ଛଅ ଋତୁ
ଆଶା ସଞ୍ଚି ଇଚ୍ଛା କରେ ମଣିଷ ସବୁ ସୁଖେ ବିତୁ
ଯେବେ ଆସେ ଯା’ ଯୁଝେ ତାର ସମ୍ମୁଖୀନ ହୋଇ
ଜୀବନ ସଂଗ୍ରାମରେ ସେ ଯାଏ ନାହିଁ ପଛେଇ
ଲଙ୍ଘିଗଲେ ବାଧା ବିଘ୍ନ ପାଇଥାଏ ସଫଳତା
ରହିଲେ ଅଟକି ବିଫଳ ହୋଇ ହଜାଏ ସରସତା
ବିକାଶ ବିଲୟ ଉତ୍ଥାନ ପତନ ଜୀବନର ଧାରା
ସବୁ ଇପ୍ସିତ ଅଭିଳାଷ ହୁଏନା ପୁରା ରହେ ଅଧୁରା
ପ୍ରକୃତି ପ୍ରଦୂଷଣ ପରି ମନର ହୁଏନା ନିୟନ୍ତ୍ରଣ
ପ୍ରଭାବରେ ତାର ପ୍ରଭାବିତ ହୁଏ ମଣିଷ ଜୀବନ
ଛଅ ଋତୁ ଦିଏ ଶୁଭ ବାରତା ଷଡ଼ ରିପୁ ଦିଅ ନାଶି
ଜୀବନର ଛଅ ଋତୁ ବିତି ଯିବ ମଧୁରେ ହସି…।

        କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *