ଷଷ୍ଠ ଜାତୀୟ ଚିଲିକା ମହୋତ୍ସବ ଉଦଘାଟିତ

ପ୍ରବାସୀ ପକ୍ଷୀ ଆସିବା ଓଡ଼ିଶାରେ ଅନୁକୂଳ ଜଳବାୟୁର ସୂଚକ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଷଷ୍ଠ ଜାତୀୟ ଚିଲିକା ମହୋତ୍ସବ ଉଦଘାଟିତଚିଲିକା ପକ୍ଷୀ ମହୋତ୍ସବ – ପର୍ବ ସ୍ଵାଗତର, ପ୍ରତିଶ୍ରୁତି, ସୁରକ୍ଷାର ଭୁବନେଶ୍ୱର, ତା ୦୬/୦୧/ ୨୦୨୬ରିଖଆଜି ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସହଭାଗିତାରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉପକୂଳକୁ ପ୍ରବାସୀ ପକ୍ଷୀଙ୍କ ଯାତ୍ରା ଓଡ଼ିଶାର ଅନୁକୂଳ ଜଳବାୟୁର ସୂଚକ ବୋଲି ମତ ପ୍ରକାଶ କରିଛନ୍ତି । ସୁରକ୍ଷିତ ଓ ସଂରକ୍ଷିତ ଜଙ୍ଗଲର ମହତ୍ତ୍ଵକୁ ଗୁରୁତ୍ଵ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୁରକ୍ଷିତ ପ୍ରାକୃତିକ ଉପାଦାନ ସୁରକ୍ଷିତ ପର୍ଯ୍ୟଟନର ପ୍ରତୀକ ବୋଲି ମତପ୍ରକାଶ କରିଛନ୍ତି । ଚିଲିକାରେ ପ୍ରବାସୀ ପକ୍ଷୀମାନଙ୍କର ଆଗମନ, ଗତି ଓ ରହଣି ବିଷୟରେ ଆଲୋଚନା କରିବା ସହ ଚିଲିକାର ଜୈବ ବିବିଧତା ସଂରକ୍ଷଣ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପରିବେଶର ସଂରକ୍ଷଣ ଓ ସୁରକ୍ଷା ଓଡ଼ିଶା ସରକାରଙ୍କ ପ୍ରାଥମିକତା ବୋଲି ମତ ରଖିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପକ୍ଷୀମାନଙ୍କ ସମାଗମ ସହିତ ସ୍ଥାନୀୟ ଲୋକମାନଙ୍କ ରୋଜଗାରର ଉତ୍ସ ହେଲା ଚିଲିକା ହ୍ରଦ । ଜାତୀୟ ପକ୍ଷୀ ମହୋତ୍ସବ ଚିଲିକାର ଶୋଭା ବୃଦ୍ଧି କରିବ ବୋଲି ସେ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ପ୍ରଧାନମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ତ, ପ୍ରଧାନମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଶ୍ରୀ ପ୍ରକାଶ କୁମାର ଝା ଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ପକ୍ଷୀପ୍ରେମୀ, ବିଶେଷଜ୍ଞ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ବିଭାଗର ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଚିଲିକା ହ୍ରଦର ଉଲ୍ଲେଖନୀୟ ସୁଯୋଗ ଓ ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ତ ଓଡ଼ିଶା ବନ୍ୟ ସମ୍ପଦରେ ଚିଲିକାର ଭୂମିକାକୁ ଉଲ୍ଲେଖ କରିବା ସହ ସ୍ଥାନୀୟ ଲୋକମାନଙ୍କ ଜୀବନଜୀବିକା ଚିଲିକା ଉପରେ ନିର୍ଭର ବୋଲି ସେ ପରିପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ ମିଲିୟନ ପକ୍ଷୀମାନଙ୍କ ଉପରେ ପର୍ଯ୍ୟବେଶିତ ଏକ ପକେଟ ଗାଇଡ, ଫ୍ଲାମିଙ୍ଗୋ ପକ୍ଷୀର ଜୀବନ ଉପରେ ଏକ ପତ୍ରିକା ଓ ଓଡ଼ିଶାରେ ପକ୍ଷୀ ସଂରକ୍ଷଣ ଉପରେ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ରାଜ୍ୟ ବନ୍ୟପ୍ରାଣୀ ସଂଗଠନ, ଭୁବନେଶ୍ୱର ସହ ଇଣ୍ଡିଆନ ଇନଷ୍ଟିଚିଉଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ ଏକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଯାଇଛି । ଇକୋ ଟୁରିଜିମ ଉତ୍ପାଦ ବିକାଶ, ମାର୍କେଟିଙ୍ଗ ଓ ପ୍ଲାନିଂ ସୋପାର୍ଟ ଏହି ବୁଝାମଣା ପତ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ପ୍ରଧାନମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଶ୍ରୀ ପ୍ରକାଶ କୁମାର ଝା ସ୍ଵାଗତ ଭାଷଣ ରଖିବା ସହ ଅତିରିକ୍ତ ପ୍ରଧାନ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଡ. ମନୋଜ ଭି, ନାୟାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *