ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଦୂଷଣ ନିୟନ୍ତ୍ରଣ ସଂପର୍କିତ ୬ଷ୍ଠ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧.୧୧.୨୦୨୫ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ସଂପର୍କିତ ୬ଷ୍ଠ ପରିଚାଳନା କମିଟି ବୈଠକ ଗତକାଲି ଶୁକ୍ରବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ତରଫରୁ ଆହୂତ ଏହି ବୈଠକରେ ରାଜ୍ୟ ସ୍ତରରେ ଏବଂ ଜିଲ୍ଲାସ୍ତରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଛନ୍ତି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, କୃଷି ଓ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ କମିଟିର ସଦସ୍ୟ ଥିବା ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଶିଳ୍ପ, ଜଳ ସଂପଦ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଶ୍ରୀମତୀ ଉମା ନନ୍ଦୁରୀ ବୈଠକରେ ବିଭିନ୍ନ ପ୍ରସ୍ତାବ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ବୈଠକର ପ୍ରାରମ୍ଭରେ ପୂର୍ବରୁ ଅନୁ‌ଷ୍ଠିତ ୫ମ ପରିଚାଳନା କମିଟିର ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ସଂପର୍କରେ ସମୀକ୍ଷା କରାଯାଇଥିଲା । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(ଏନସିଏପି)ର ଅଗ୍ରଗତି ସଂପର୍କରେ ଆଲୋଚନା ସହ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(ଏସସିଏପି)ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ରାଜ୍ୟର ରାଉରକେଲା, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଇରଙ୍ଗପୁର, କଟକ ଓ ଭୁବନେଶ୍ୱର ଆଦି ଶିଳ୍ପାଞ୍ଚଳ ସହରଗୁଡ଼ିକ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଅଟନ୍ତି । ଏନସିଏପି ଅଧୀନରେ ବାୟୁ ଗୁଣବତ୍ତାରେ ପିଏମ୧୦ ଓ ପିଏମ୨.୫ର ମାତ୍ରାକୁ ନିରନ୍ତରତା ଭିତ୍ତିରେ କମାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ସହରାଞ୍ଚଳ ବା ଗ୍ରାମାଞ୍ଚଳରେ ରାସ୍ତା ଧୂଳି, ନିର୍ମାଣ କାମ, ଶିଳ୍ପ କାରଖାନା, ଡିଜେଲ ଯାନ ଚାଳିତ ଧୂଆଁ ଆଦିରୁ ନିର୍ଗତ ମୋଟ ଧୂଳି କଣିକା ପିଏମ୧୦ (୧୦ ମାଇକ୍ରୋମିଟର କିମ୍ବା ତାଠାରୁ ଛୋଟ ), ପରିବେଶ ଏବଂ ବାୟୁ ଗୁଣବତ୍ତାରେ କ୍ଷତି ପହଁଚାଇଥାଏ । ସେହିପରି ପିଏମ୨.୫ ଅର୍ଥାତ୍ ୨.୫ ମାଇକ୍ରୋମିଟର ଠାରୁ କମ୍‌ ବ୍ୟାସ ବିଶିଷ୍ଟ ଧୂଆଁ ବା କଣିକା ଫୁସଫୁସ ମଧ୍ୟରେ ପହଞ୍ଚି ସ୍ୱାସ୍ଥ୍ୟ ହାନି ଘଟାଇଥାଏ । ଏଣୁ ଏନସିଏପି କାର୍ଯ୍ୟକ୍ରମ ମାଧ୍ୟମରେ ଯାନବାହନ ଏବଂ ଶିଳ୍ପ କାରଖାନା ଆଦିରୁ ନିର୍ଗତ ଧୂଆଁ, ରାସ୍ତା ଧୂଳି ଓ ଅବର୍ଜନା ଜଳାଇବା ରୋକିବା ଦିଗରେ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରାଯାଉଛି । ଆଗାମୀ ୫ ବର୍ଷରେ ପିଏମ୧୦ ଓ ପିଏମ୨.୫ର ମାତ୍ରା ୪୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖାଯାଇ କାର୍ଯ୍ୟକ୍ରମ ଚାଲୁରହିଛି । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ମଧ୍ୟ କୋଇଲା, ଡିଜେଲ, ଇତ୍ୟାଦି ଧୂଆଁ ଉତ୍ସଗୁଡିକୁ କମାଯାଇ ସୌର ଶକ୍ତି, ପବନ, ଜଳ ଉତ୍ସ, ବିଦ୍ୟୁତ୍ ଚାଳିତ ଯାନ ଇତ୍ୟାଦିରୁ ସ୍ୱଚ୍ଛ ଉର୍ଜା ଉପରେ ପରାମର୍ଶ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ରାଜ୍ୟରେ ଏନସିଏପି କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା । ଏଥି ସହିତ ରାଜ୍ୟର ଯେଉଁସବୁ ସହରଗୁଡ଼ିକ (ଏସସିଏପି)ରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି, ସେଭଳି ପ୍ରଦୂଷଣ ମାତ୍ରା ଅଧିକ ରହୁଥିବା ଅନ୍ୟ ୧୨ଟି ସହରକୁ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏସସିଏପି) ରେ ଅନ୍ତର୍ଭୁକ୍ତ କରାଯାଇଛି ।

ବାୟୁର ପ୍ରଦୁଷଣ ମାତ୍ରା ଆଧାରରେ ରାଜ୍ୟର ବଡବିଲ, ବ୍ରହ୍ମପୁର, ବେଲପାହାଡ଼, ବଣାଇ, ବ୍ରଜରାଜନଗର, ଝାରସୁଗୁଡ଼ା, ଯୋଡ଼ା, କେନ୍ଦୁଝର, ପାରାଦ୍ୱୀପ, ପୁରୀ, ରାଜଗାଙ୍ଗପୁର, ସମ୍ବଲପୁର ଆଦି ସହରଗୁଡ଼ିକୁ ଏହି ପର୍ଯ୍ୟାୟଭୁକ୍ତ ଭାବେ ଚିହ୍ନିତ କରାଯାଇଛି । ୨୦୨୫ ରୁ ୨୦୩୦ ମସିହା ସୁଦ୍ଧା ଏସ୍‌ସିଏପି କାର୍ଯ୍ୟକାରୀ ହେବା ନିମନ୍ତେ ୨୦୨୫-୨୬ ରୁ ପ୍ରତିବର୍ଷ ପର୍ଯ୍ୟାୟକ୍ରମେ ଏ ସମସ୍ତ ସହରଗୁଡ଼ିକ ପାଇଁ ମୋଟ ୧୫୦ କୋଟି ଟଙ୍କା ବ୍ୟୟର ଆବଶ୍ୟକତା ଓ ସଂପର୍କରେ ଆର୍ଥିକ ମଂଜୁରୀ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏସ୍‌ସିଏପି କାର୍ଯ୍ୟକ୍ରମକୁ ୨୦୨୫ ଜୁନ୍ ୫ ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପରିଚାଳନାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଏହାର କାର୍ଯ୍ୟ ଯୋଜନା ଓ ପ୍ରସ୍ତୁତି ସଂପର୍କରେ ସର୍ବଶେଷ ଆଲୋଚନା କରାଯାଇଥିଲା । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଉଭୟ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ଅଧିକ ତଥ୍ୟ ଭିତ୍ତିକ ଏବଂ ଉପଯୁକ୍ତ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରୁବାକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ସଂପୃକ୍ତ ବିଭାଗମାନଙ୍କ ସହିତ ଆଲୋଚନା ସହିତ ସଂସ୍ଥାଗତ ପରିଚାଳନାକୁ ସୁବ୍ୟବସ୍ଥିତ କରବା ଏବଂ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ ସହିତ ସମନ୍ୱୟ କରି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦୋଇଛନ୍ତି । ଜନ ସଂଖ୍ୟାର ବୃଦ୍ଧି ଓ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକାଶ ହେଲେ ମଧ୍ୟ ଯେପରି ବାୟୁର ଗୁଣବତ୍ତା ମାନରେ ହ୍ରାସ ପାଇବ ନାହିଁ , ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ ନିୟମିତ ତଦାରଖ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ସହରାଂଚଳ ଏବଂ ପାରିପାର୍ଶ୍ୱିକ ସବୁଜିମା ସୃଷ୍ଟି ଓ ବ୍ୟାପକ ବୃକ୍ଷରୋପଣ ଉପରେ ସେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

Leave a Reply

Your email address will not be published. Required fields are marked *