ମନ୍ଥର ଗତିରେ ଚାଲିଛି ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ମନ୍ଥର ଗତିରେ ଚାଲିଛି ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଗଣିଆ – ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଗଣିତ ଗଣିଆ ବ୍ଳକ । ୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଳକଟି ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁବେଳେ ଅବହେଳିତ ହୋଇ ପଡ଼ି ରହିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ବେଡ୍ ନଥିବାରୁ ଅନେକ ସମୟରେ ଲୋକମାନେ ବାରଣ୍ଡାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣିଆରେ ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ୯ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ତେବେ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଏବେ ମନ୍ଥର ଗତିରେ ଚାଲିଥିବା ଜଣାପଡିଛି ।

ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ଏହି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ୩ ମହଲା ବିଶିଷ୍ଟ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ଛାତ ପଡି ପଲସ୍ତରା ସରିଛି । ଚଟାଣ ନିର୍ମାଣ, ବିଦ୍ୟୁତ୍ କରଣ, କବାଟ ଝରକା ନିର୍ମାଣ, ରଙ୍ଗ କାମ ଏଭଳି ଅନେକ କାର୍ଯ୍ୟ ବାକି ରହିଛି । କାର୍ଯ୍ୟକାରୀ ସଂସ୍ଥା ବହୁତ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଆହୁରି ୧ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ ତଦାରଖ କରିବାପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ବଣ୍ଟନ କରାଯାଇଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଏଠି ଦେଖିବାକୁ ମିଳୁନି । ଗଣିଆ ପୂର୍ତ୍ତ ବିଭାଗରେ ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନଥିବାରୁ ଖଣ୍ଡପଡ଼ା କନିଷ୍ଠ ଯନ୍ତ୍ରୀଙ୍କୁ ଗଣିଆ ଦାୟିତ୍ବ ପ୍ରଦାନ କରାଯାଇଛି । ତେବେ ଜନସାଧାରଣଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *