ହସ
       ରଞ୍ଜୁଲତା ପାଢୀ
  
ହସ ଏମିତିକା ମହୌଷଧି ଟିଏ
ବଞ୍ଚିବାପାଇଁ ଜୀବନେ
ହୀରା ମୋତି ଯେତେ ଫିକା ପଡିଯିବ
ନୋହିବ ତା’ର ସମାନେ।

ହସଭରା ମୁଖ ଆଣିଦିଏ ସୁଖ
ଭୁଲାଏ ଦୁଃଖ ଯାତନା
ଟିକିଏ ହସରେ ଲୁଚି ରହିଥାଏ
ଜୀଇଁବାର ଆଶ୍ୱାସନା।

ବିଷାଦଭରା ଏ ସଂସାରରେ ଆଜି
ହସ ସ୍ୱପ୍ନପ୍ରାୟ ହୋଇ
ଅର୍ଥଲାଳସାରେ ଧାଇଁଛନ୍ତି ସର୍ବେ
ହସିବାକୁ ବେଳନାହିଁ।

ହସମୁଖ ରଖି କଥା ହୋଇବାକୁ
ଅର୍ଥଲୋଡା ପଡେ ନାହିଁ
ତଥାପି କେଜାଣି କାହିଁକି ମଣିଷ
ହସରୁ ଯାଏ ଦୂରେଇ।

ଜନ୍ମ ମୃତ୍ୟୁ ମଧ୍ୟେ ଛୋଟ ବ୍ୟବଧାନ
କେତେବେଳେ ଯିବ ଚାଲି
ହାତ ପାହାନ୍ତାରେ ନାହିଁ ସେ ଆମର
ନୈରାଶ୍ୟର ମରୁ  ବାଲି।

ତେବେ ଦୁଃଖିହୋଇ ଜୀବନ ବିତାଇ
ଆପଣା ସୁଖକୁ ଭୁଲି
କି ସୁଖ ପାଇବା ଦିନେ ଚାଲିଯିବା
ଫେରିବ କି କେବେ କାଲି?

ନିଜେ ହସି ଯଦି ଆନ ମୁଖେ ହସ
ଟିକେ ପାରିବା ଫୁଟାଇ
ପରସ୍ପରେ ସ୍ନେହ ପ୍ରୀତି ଗଢିଉଠେ
ସଂପର୍କ ମଧୁର ହୋଇ।

ହସ ହସ ମୁଖେ କଥା ହେଉଥିଲେ
ଆତ୍ମତୃପ୍ତି ମିଳିଥାଇ
ହସଟି ଅମୂଲ୍ୟ ରତ୍ନ ସମ ଶୋଭା
ଜୀବନ ବର୍ଦ୍ଧକ ହୋଇ।

ବିଷାଦ ମୁଖରୁ ସଂକ୍ରମଣ ଭଳି
ସମ୍ଭାବନା ଥାଏ ଯେତେ
ସ୍ମିତହାସ୍ୟ ରେଖା ଦୂରେଇ ଦିଏ ସେ
ସମ୍ଭାବନା ବ୍ୟାଧି ସେତେ।

ହସଟି ଅଟଇ ଶ୍ରେଷ୍ଠ ଗହଣାଟି
ପିନ୍ଧିଥିବା ଓଷ୍ଠଧାରେ
ହସମୁଖ ସିନା ଉଦିତ ଚନ୍ଦ୍ରମା
ସ୍ନିଗ୍ଧ ସ୍ୱଛ ଜୋତ୍ସ୍ନା ଝରେ।

     ରାଉରକେଲା।ସୁନ୍ଦରଗଡ।।

Leave a Reply

Your email address will not be published. Required fields are marked *