26 କେନ୍ଦୁପତ୍ର ତୋଳାଳିଙ୍କ ପରିବାରକୁ ସାମାଜିକ ସୁରକ୍ଷା ସହାୟତା ରାଶି ବଣ୍ଟନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରିଡାମାଳିଠାରେ ଆଜି କେନ୍ଦୁପତ୍ର ତୋଳାଳିଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ୍ୟୁକାଳିନ ସହାୟତା ରାଶି ବା ସାମାଜିକ ସହାୟତା ରାଶି ବନବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଅବସରରେ ଜିରିଡାମାଳିଠାରେ ଏକ ସ୍ବତନ୍ତ୍ର ସାମାଜିକ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଯେଉଁ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସାମୁହିକ କର୍ମଚାରୀ ମାନଙ୍କୁ ମୃତ୍ୟୁ ହୋଇଯାଇଛି, ସେମାନଙ୍କର ପରିବାର ବର୍ଗଙ୍କୁ ମୃତ୍ୟୁ ପରବର୍ତ୍ତି ସାମାଜିକ ସହାୟତା ରାଶି ରୂପେ ଦୁଇ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । କେନ୍ଦୁପତ୍ର କର୍ମଚାରୀଙ୍କ ବ୍ୟାଙ୍କ ଖାତାରେ ଥିବା ନୋମିନଙ୍କୁ ଏହି ସାମାଜିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି 2 ଲକ୍ଷ ଟଙ୍କାର ଅର୍ଥରାଶି ସମ୍ପୃକ୍ତ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ପରି କର୍ମଚାରୀଙ୍କ ପରିବାରକୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବେଶ୍ ସ୍ବାବଲମ୍ବୀ କରିବ ବୋଲି କହିଛନ୍ତି କେନ୍ଦୁଝର ବନଖଣ୍ଡର ଉପବନଖଣ୍ଡ ଅଧିକାରିଣୀ ସ୍ବାଗତିକା ସାହୁ । ଆୟୋଜିତ କାର୍ଯ୍ୟକ୍ରମରେ ମୋଟ୍ 26ଟି ପରିବାରକୁ ପ୍ରତ୍ୟକ 2 ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିମାନଙ୍କୁ କିଭଳି ଭାବରେ ଉପାର୍ଜନ କ୍ଷମ କରିପାରିବେ, ସେଥିପାଇଁ ସରକାର ସର୍ବଦା ଚେଷ୍ଟା କରୁଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ମଧ୍ୟ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏହିପରି ସମସ୍ତ ଯୋଜନାର ସୁଫଳ କେନ୍ଦୁପତ୍ର ତୋଳାଳି ବନ୍ଧାଳିଙ୍କ ପରିବାରକୁ ମିଳିବ ବୋଲି କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମତ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଯୋଗଦେଇଥିଲେ, କେନ୍ଦୁଝର ବନଖଣ୍ଡର ଉପବନଖଣ୍ଡ ଅଧିକାରୀ ଶ୍ରୀମତୀ ସ୍ବାଗତିକା ସାହୁ, କାମାକ୍ଷାନଗର ଉପବନଖଣ୍ଡ ଅଧିକାରୀ ଶିବାଜୀ ମୋହନ ରାଓ, ପର୍ଜଙ୍ଗ ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ସାହୁ, କାମାକ୍ଷାନଗର ବନାଞ୍ଚଳ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଏବଂ ମହାବିରୋଡ ବନାଞ୍ଚଳ ଅଧିକାରୀ କମଳ ଲୋଚନ ନାଏକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *