କୋହି ଗାଆଁ ‘ହରପାର୍ବତୀ’ ଘଟ

        କୋହି ଗାଆଁ ‘ହରପାର୍ବତୀ’ ଘଟ
              
   🔹 କବିରତ୍ନ ନୂତନ କୁମାର ବେହେରା

ଓଡ଼ିଶା ରାଇଜର    ମୟୂରଭଞ୍ଜ ଜିଲ୍ଲା
        ମୋରଡ଼ା ପଞ୍ଚାୟତ ସମିତି,
କୋହି ନାମିତ ଗ୍ରାମ   ଏହାର ଅନ୍ତର୍ଭୁକ୍ତ
       ବହୁକାଳର ଜନବସତି।୧।

ଓଡ଼ିଆ ନବବର୍ଷ    ବୈଶାଖର ପ୍ରଥମ
        ମହାବିଷୁବ ସଂକ୍ରାନ୍ତି ଦିନ, 
ଏହି ଗ୍ରାମରେ ହୁଏ   ମହା ଆଡ଼ମ୍ବରରେ
      ହରଗୌରୀ ଘଟ ଉତ୍ତୋଳନ।୨।

ଶ୍ରୀଶ୍ରୀ ଜଗତେଶ୍ଵର ମହାଦେବ ବିଖ୍ୟାତ
        କେଉଁ ଯୁଗରୁ ତ ଆବିର୍ଭୂତ,
ମାନସ ଚେତନାରେ ଆରାଧ୍ୟ ଦେବ ରୂପେ
     କୋଟିଜନ ମୁଖରେ ବିଦିତ।୩।

ମହାଦେବ ମନ୍ଦିର   ପ୍ରାଙ୍ଗଣେ ବାରମାସ
          ହୁଏ ପର୍ବପର୍ବାଣୀ ପାଳିତ,
ହୋଇ ଆସୁଛି ସବୁ    ଶାନ୍ତି ଶୃଙ୍ଖଳାରେ
       ଆଶିଷ ପାଉଛନ୍ତି ଭକତ।୪।

ଚତୁର୍ଦ୍ଦଶୀ ଜାଗର      ଦଶହରା ମକର
        ଦିବସରେ ଜନସମାବେଶ,
ତନ୍ ମଧ୍ୟରୁ ଅଟେ     ସ୍ଵତନ୍ତ୍ର ଏ ସଂକ୍ରାନ୍ତି
      ଘଟ ଅଣା ଭାବରେ ପ୍ରକାଶ।୫।

ହର ପାର୍ବତୀଙ୍କର     ହୁଏ ଶୁଭ ବିବାହ
         ଯଥାବିଧି କରି ସମାପନ,
ହାଣ୍ଡିଭଙ୍ଗା ଗ୍ରାମର ତାଳ ପୋଖରୀଠାରେ
      ସକାଳୁ ଘଟ ଉଠେ ଏ ଦିନ।୬।

ଚଳନ୍ତି ପ୍ରତିମାର    ହର ପାର୍ବତୀ ବେନି
      ସାଜସଜ୍ଜ୍ୟା ନୃତ୍ୟ ବାଜା ସାଥେ,
ନାଚି ନାଚି ଆସନ୍ତି    ଭକ୍ତାଙ୍କର ଗହଣେ
       ସହସ୍ର ଜନ ସମୁଦ୍ର ପଥେ।୭।

ବାଜୁଥାଏ ନାଗରା   ଢୋଲ ଶଙ୍ଖ ମହୁରୀ
       ଘଣ୍ଟ ଘଣ୍ଟା ନାଦ ଜୟ ଧ୍ଵନି,
ଅପୂର୍ବ ଏଇ ଦୃଶ୍ୟ    ଦେଖି ପବିତ୍ର ଆଖି
       ହୃଦୟରୁ ଦୂରହୁଏ ଗ୍ଳାନି।୮।

ଶହ ଶହ ଭକ୍ତାଙ୍କ  ସାଥୀରେ ନାଚି ନାଚି
        ଉମାଶଙ୍କର ଆସୁ ଥାଆନ୍ତି,
ଝୁଣା ଧୂପ ନୈବେଦ୍ୟ  ସୁଗନ୍ଧରେ ମହକି
      ଦିବ୍ୟରୂପରେ ଝଟକୁଥାନ୍ତି।୯।

ଅପରାହ୍ନ ବେଳାରେ ଗାଁ ବଡ଼ ପୋଖରୀରୁ
          ଆସଇ ଗରିଆ ଘଟ ଭାର,
ଓଲଟା ପିତଳର  ନୋଟାରେ ପାଣି ଭର୍ତ୍ତି
    ମୁହେଁ ବନ୍ଧା କନା ଥାଏ ତାର।୧୦।

କୋହି ଗାଆଁର ଘଟ ଭଞ୍ଜବଂଶ ରାଜତ୍ଵ
        କାଳରୁ ହେଉଛି ପ୍ରତିବର୍ଷ,
ବୀରା ସୁମିତ୍ରା ଦେବୀ ମହାରାଣୀଙ୍କ ଭକ୍ତି
     ଚେତନାର ଭରସା ବିଶ୍ଵାସ।୧୧।

‘ ଘଟ’ ର ପର ଦିନ କ୍ରମରେ ଦୁଇ ରାତି
          ମଞ୍ଚସ୍ଥ ହୁଅଇ ଛଉ ନୃତ୍ୟ,
ସହସ୍ରାଧିକ ଲୋକ  ଦେଖି ହୁଅନ୍ତି ମୁଗ୍ଧ    
   ସର୍ବେ ହୋଇଥାନ୍ତି କୃତ୍ୟ କୃତ୍ୟ।୧୨।

ଏ ଛଉ ନୃତ୍ୟ କଳା ସାଧି ନିଜ ଗ୍ରାମରେ
         କରି ଥାଆନ୍ତି ପରିବେଷଣ,
ଭକ୍ତି ରଖି ହୃଦୟେ   ପୂଜନ୍ତି ମହାଦେବ 
      ସୁଖରେ କାଟିବାକୁ ଜୀବନ।୧୩।
       
ପୂର୍ବପୁରୁଷ ମୁଖେ   କିମ୍ବଦନ୍ତୀର ରୂପେ
         ଜନଶ୍ରୁତିରେ ରହିଛି କଥା,
ସ୍ଵୟଂ ଜଗତେଶ୍ଵର  ଇଚ୍ଛାରେ ଆବିର୍ଭାବ
     ଆଜି ଗାଏ ଭକ୍ତ ତାର ଗାଥା।୧୪।

କେତେ ଦୂରୁ ଶ୍ରଦ୍ଧାଳୁ ଆସନ୍ତି ଘଟ ଦେଖି
        କରିବାକୁ ବ୍ରତ ପୂଜା ଅର୍ଚ୍ଚନା,
ଶିବଙ୍କର କୃପାରେ   ପାଇ ଦିବ୍ୟ ଆନନ୍ଦ
       ପୂର୍ଣ୍ଣ କରନ୍ତି ମନସ୍କାମନା ।୧୫।   
        
କୋହିର ଘଟ ପର୍ବ ସାରା ଅଞ୍ଚଳେ ଖ୍ୟାତ
         ଦେଖି ମୁଗ୍ଧ ହୁଅନ୍ତି ଦର୍ଶକ,
ପାପ ତାପରୁ ରକ୍ଷା    କରନ୍ତି ମହାଦେବ
    ତରନ୍ତି ଭକତ ଉପାସକ ।୧୬।
                    
    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *