ବସନ୍ତ ଆସିଛି ସାମନ୍ତ ହୋଇ
ବସନ୍ତ ଆସିଛି ସାମନ୍ତ ହୋଇ
( ରାଗ — ରସକୁଲ୍ୟା )
🖊️କବିରତ୍ନ ନୂତନ କୁମାର ବେହେରା
ଶୀତର ପ୍ରକୋପେ’ ଅତିଷ୍ଠ ହୋଇ’
ଧରାର ଜୀବନ’ ଥିଲା ଧିମାଇ’,
ଦୁଃଖର ଦାଉରେ’ ଯନ୍ତ୍ରଣା ପାଇ’
ମନର ସନ୍ତାପେ’ ଥିଲା ଅନାଇଁ’ ସେ,
କ୍ରମେ ଶୀତ ହେଲା’ ଅନ୍ତ’ ଯେ,
ବଢ଼ି ରବି ତେଜ’ ବୁଣିଲା ମୁରୁଜ’
ହୃଦୟ ହୋଇଲା’ ଶାନ୍ତ’ ଯେ।୧।
ପତ୍ରଝଡ଼ା ଦେଇ ପାଦପ ରାଜି
ନବ ପଲ୍ଲବରେ ହୋଇଲେ ସାଜି,
ପ୍ରକୃତି ତା’ ଶୋଭା ସୁନ୍ଦରେ ସୃଜି
ଆନନ୍ଦ ଉଲ୍ଲାସେ ରହିଲା ମଜି ସେ,
ବଉଳିଲା ସହକାର ଯେ,
ଗୁଞ୍ଜନେ ମଧୁପ କରିଲେ ଆଳାପ
ପରିବେଶ ମନୋହର ଯେ।୨।
ଚୂତ ଡ଼ାଳେ ବସି ଆନନ୍ଦେ ପିକ
ଗୀତ ଗାଇ ଆଣେ ପ୍ରାଣେ ପୁଲକ,
ଉପବନେ ଫୁଲ ଫୁଟି ଅନେକ
ରୂପ ରଙ୍ଗେ ତା’ ବିତରେ ମହକ ସେ,
ଦୃଶ୍ୟ ଲାଗେ ଅନୁପମ ଯେ,
ନୟନେ ଅୟନ ଦିଶେ ଅମ୍ଳାନ
ହୃଦେ ଜାଗେ ଦିବ୍ୟ ପ୍ରେମ ଯେ।୩।
ବସନ୍ତ ଆସିଛି ସାମନ୍ତ ହୋଇ
ପ୍ରାଣ ପ୍ରାଚୁର୍ଯ୍ୟର ସମ୍ଭାର ନେଇ,
ଅଭିସାରିକାର ବେଶେ ଫଗୁଣ
ପ୍ରୀତି ସମ୍ଭାଷଣେ କରେ ଆହ୍ବାନ ସେ,
ପ୍ରାଣ ହୁଏ ପୁଲକିତ ଯେ,
ଶୟନେ ସପନେ ନାଚେ ତନୁମନ
ଜୀବନ ଗାଏ ସଂଗୀତ ଯେ।୪।
ଋତୁରାଜ ଆସି ଦିଏ ଆଉଁସି
ପରଶେ ତା’ ପ୍ରିୟା ମଧୁର ହସି,
ନହୁଲି ବୟସେ ଯାଏ ଚହଲି
ଫଗୁଣ ଫଗୁରେ ଖେଳଇ ହୋଲି ସେ,
ମନେ ଲାଗେ ପ୍ରେମ ରଙ୍ଗ ଯେ,
ପ୍ରୀତିରେ ରୂପସୀ ସଜ ହୁଏ ବସି
ଲାବଣ୍ୟେ ଅନିନ୍ଦ୍ୟ ଅଙ୍ଗ ଯେ।୫।
ରାଧାକୃଷ୍ଣ ବେନି ପ୍ରେମ ବନ୍ଧନେ
ଦିଅନ୍ତି ପ୍ରେରଣା ପ୍ରେମୀଙ୍କ ମନେ,
ପୂଜା ଅର୍ଚ୍ଚନାର ଏକାଗ୍ର ଧ୍ୟାନେ
ଶାନ୍ତି ତୃପ୍ତି ପାଏ ତାଙ୍କ ଦର୍ଶନେ ସେ,
ଶାଶ୍ଵତ ତାଙ୍କର ପ୍ରେମ ଯେ,
ନିଷ୍କାମରେ ରହି ମୋକ୍ଷ ଲଭେ ସେହି
ଭେଟଇ ଜୀବ ପରମ ଯେ।୬।
ବସନ୍ତେ ଫଗୁଣ ଭରେ ଆନନ୍ଦ
ଦୂର ହୋଇ ଯାଏ ମନରୁ ଖେଦ,
ଜୀବନ ଯୌବନ ଧନ ସମ୍ମାନ
ଦୁନିଆଁକୁ ଆସେ ଅଢ଼େଇ ଦିନ ସେ,
ବୁଝାଇ ଦିଏ ବସନ୍ତ ଯେ,
ଭୁଲି ଅଭିମାନ ସ୍ଵଚ୍ଛ କର ମନ
ଅନ୍ତରେ ଦେଖ ଅନନ୍ତ ଯେ।୭।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
