ବସନ୍ତ ଆସୁଛି
ବସନ୍ତ ଆସୁଛି
ଡ. ପ୍ରେମାନନ୍ଦ ବେହେରା
ବସନ୍ତ ଆସୁଛି…
ଅଦୃଶ୍ୟ ପାଦଚାପରେ,
ଶିଶିର ମଧ୍ୟରୁ ଫୁଟି ଆସୁଥିବା
ଏକ ନିରବ ସଙ୍ଗୀତ ପରି,
ମଳୟ ପବନ ଆଜି ଆରମ୍ଭ କରିଛି
ପତ୍ରର କାନରେ କିଛି କହିବାକୁ
ଯେମିତି ଋତୁମାନେ ମଧ୍ୟ
ମନର କଥା ଗୋପନେ କହନ୍ତି ।।
ପଳାଶର ରକ୍ତିମ ଆଖିରେ
ଜଳୁଛି ଅନଳ
ନୁହେଁ ଧ୍ୱଂସର,
ସୃଷ୍ଟିର
ଶାଖା-ପ୍ରଶାଖାରେ
ନୂଆ ସ୍ବପ୍ନ ଝୁଲୁଛି
ଶିଶୁର ହସ ପରି
ଯେଉଁଥିରେ ଭବିଷ୍ୟତ
ଖେଳୁଛି ଲୁଚକାଳି ।।
ବସନ୍ତ ଆସୁଛି….
କୋକିଳର କଣ୍ଠରେ
ଭାଙ୍ଗୁଛି ନୀରବତା
ଶବ୍ଦ ହୋଇ ନୁହେଁ
ଭାବ ହୋଇ,
ପ୍ରତ୍ୟେକ ତାନରେ
ଲୁଚିଛି ଅପୂର୍ଣ୍ଣ ପ୍ରେମ
ଅକୁହା ଅଭିମାନ
ଓ ଦୀର୍ଘ ଅପେକ୍ଷାର ନିଶ୍ୱାସ ।।
ପୃଥିବୀ ଆଜି
ନିଜ ଜୀର୍ଣ୍ଣ ବସ୍ତ୍ର ଖୋଲି
ପିନ୍ଧୁଛି ନୂଆ ସବୁଜ ଶାଢ଼ୀ
ମାଟିର ଗନ୍ଧରେ
ମିଶିଯାଉଛି
ମନୁଷ୍ୟର ସ୍ମୃତି
ଭୁଲିଯାଇଥିବା ଗାଁ
ଅଦୃଶ୍ୟ ମାଆର ଡାକ ।।
ବସନ୍ତ ଆସୁଛି….
ମନର ଅଗଣାରେ
ଫୁଟୁଛି କିଛି ପୁରୁଣା କଥା
ଯେଉଁମାନେ ମରିନଥିଲେ
କେବଳ ଶୀତରେ
ଶୋଇପଡ଼ିଥିଲେ
ଆଶା ଆଜି ପୁଣି
ଚାଲିବା ଶିଖୁଛି
ଭଙ୍ଗା ସ୍ବପ୍ନର ଉପରେ
ପାଦ ରଖି ।।
ପ୍ରେମ ଆଜି
କୌଣସି ନାମ ଚାହେଁନି
କେବଳ ଏକ ଦୃଷ୍ଟି
ଏକ ନିଶ୍ୱାସ
ଏକ ନିରବ ସମ୍ମତି,
ହୃଦୟରେ ହୃଦୟ
ଫୁଲ ହୋଇ ଫୁଟେ
କଣ୍ଟା ବିନା ।।
ବସନ୍ତ ଆସୁଛି…
ଏବଂ ମୁଁ
ନିଜକୁ ପୁଣି
ନୂଆକରି ଖୋଜୁଛି,
ଶୀତର ଛାୟାରୁ
ବାହାରି ଆସି
ଆଲୋକର ମୁହଁ ଦେଖି,
କାରଣ ବସନ୍ତ
କେବଳ ଏକ ଋତୁ ନୁହେଁ,
ଏହା ହେଉଛି
ଜୀବନର ଆଶ୍ୱାସନ…
ଯେ ପୁଣିଥରେ
ସବୁକିଛି ଫୁଟାଇପାରେ ।
ପ୍ରଧାନ ଶିକ୍ଷକ
ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା
ପଦ୍ମପୁର, ବରଗଡ଼
