ଯାଜପୁରରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ
ଯାଜପୁରରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ
— ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କଲେ ଯାଜପୁରର ପେନସନଧାରୀ ବରିଷ୍ଠ ନାଗରିକ
ଯାଜପୁର, ୦୭/୦୩/୨୬: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ପତାକା ଦେଖାଇ ଯାତ୍ରୀ ବସଗୁଡିକୁ ଉଦଘାଟନ କରିଛନ୍ତି। ଏହି ଯୋଜନାରେ ଜିଲ୍ଲାରୁ ଶତାଧିକ ବରିଷ୍ଠ ନାଗରିକ ଏବଂ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ପେନସନଧାରୀ ପୁରୀଧାମ ଅଭିମୁଖେ ଯାତ୍ରା କରିଥିଲେ। ଓଡ଼ିଶା ରାଜ୍ୟ ଆଞ୍ଚଳିକ ପରିବହନ ନିଗମର ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ବସ ଯୋଗେ ଯାତ୍ରୀମାନେ ବାହାରିଥିଲେ। ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ କର ଯାତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାପାଳ ଶ୍ରୀ କର କହିଥିଲେ ଯେ ମହାପ୍ରଭୁଙ୍କ ଡୋରି ନ ଲାଗିଲେ ବଡ଼ଠାକୁରଙ୍କ ଦର୍ଶନ କରିବା ସମ୍ଭବ ହୁଏ ନାହିଁ। ତେଣୁ ଯାତ୍ରୀମାନଙ୍କ ଯାତ୍ରା ମଙ୍ଗଳମୟ ହେଉ ଏବଂ ସେମାନଙ୍କ ମନୋସ୍କାମନା ପୂରଣ ହେଉ ବୋଲି ଜିଲ୍ଲାପାଳ ପ୍ରାର୍ଥନା କରିଥିଲେ। ଏହାସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ସହ ମାଆ ବିମଳା, ବଟଗଣେଶ, ଦେବୀ କାଳୀ ମନ୍ଦିର, ନବଗ୍ରହ ମନ୍ଦିର ଦର୍ଶନ କରିବା ପାଇଁ ଜିଲ୍ଲାପାଳ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଯାତ୍ରୀଙ୍କୁ ସୁବିଧା ପାଇଁ ଏକ କିଟ୍ ଦିଆଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ନେବା ପାଇଁ ସେମାନଙ୍କ ଦାୟିତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଜଣ ଏସ୍କର୍ଟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଜଣ ମେଡିକାଲ ଓ ପାରା-ମେଡିକାଲ ଷ୍ଟାଫ୍, ଓଏସଆରସିଟିସିର ୫ ଜଣ ଏହି ଯାତ୍ରାରେ ନିୟୋଜିତ ଅଛନ୍ତି। ଯାତ୍ରୀମାନେ ଆଜି ପୁରୀ ଶ୍ରୀମନ୍ଦିର ଦର୍ଶନ କରି ଫେରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଦେବବ୍ରତ ସାହୁ, ଓଏସଆରଟିସି ମ୍ୟାନେଜର ଶ୍ରୀ ଅମ୍ଳେଶ ସିହ୍ନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଯାଜପୁର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ରାଉତ, ସହକାରୀ ଜିଲ୍ଲାପାଳ ଶ୍ରୀ ତାପସ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
