ତୁମେ ଶ୍ରୀଧର ଶ୍ରୀହରି ଶ୍ରୀକ୍ଷେତ୍ର ବାସୀ
ତୁମେ ଶ୍ରୀଧର ଶ୍ରୀହରି ଶ୍ରୀକ୍ଷେତ୍ର ବାସୀ
( ରାଗ — ଚୋଖି )
🖊️କବିରତ୍ନ ନୂତନ କୁମାର ବେହେରା
ଆହେ ନୀଳାଚଳ ବାସୀ ଋଷିଙ୍କର ମହାଋଷି
ନୀଳାଚଳେ ଧାମେ ତୁମେ ରହିଛ ବସି,
ବାଙ୍କ ଚାହାଁଣିରେ ହସି ବାଣ୍ଟୁଛ ଅଶେଷ ଖୁସି
ଆଶିଷର ବାରିଧାରା ପଡ଼େ ବରଷି,
ପାପ ତାପ ଦେଉଛ ନାଶି
ଅନ୍ଧାର ଦୂରେଇ ଯାଏ ଆଲୋକ ଆସି।୧।
ଜଗି ରହି ଦିବାନିଶି ଜଗା ନାମରେ ତପସ୍ୱୀ
ତୁମ ତେଜେ ଧରା ହସେ ଜ୍ୟୋତି ପ୍ରକାଶି,
କରୁଣା ଦିଅ ପରଶି ଶୋଭା ଶିରୀ ରାଶି ରାଶି
ଫୁଲର ସୁଗନ୍ଧେ ଯାଏ ମୁଲକ ବାସି,
ଆଶାର ଧରେ ଫଳ କଷି
ପୁଣ୍ୟ ବଳେ ପୃଷ୍ଟ ହୋଇ ଉଠେ ଝଲସି।୨।
ବାରମାସେ ବାର ରାଶି ନବଗ୍ରହେ ଗଲେ ଫସି
ସାହା ହୁଅ ଯେବେ ତୁମେ ମୁକୁଳେ ଦୋଷୀ,
ଭବେ ତୁମେ ଅବିନାଶୀ କୀର୍ତ୍ତି ଅର୍ଜନେ ଯଶସ୍ଵୀ
ସବୁରି ମନ ପ୍ରାଣକୁ ନିଅ ଆକର୍ଷି,
ତୁମ ଦର୍ଶନ ଅଭିଳାଷୀ
ଯୁଗେ ଯୁଗେ ସକଳ ଯେ ଜଗତବାସୀ।୩।
ହୋଇ ତୁମେ ଦିବ୍ୟଦର୍ଶୀ ମଧୁରେ ବଜାଅ ବଂଶୀ
ମୂର୍ଚ୍ଛନା ତାହାର ଆସେ ପବନେ ଭାସି,
ଆକାଶରେ ଚାନ୍ଦ ହସି ଚାନ୍ଦିନୀ ଢ଼ାଲଇ ବେଶି
ଅମା ଅନ୍ଧାର ରୁହଇ ଲାଜରେ ରୁଷି,
କିଛି କହେ ନାହିଁ ଭରସି
କଳଙ୍କର କାଳିମାରେ ଯାଏ ସେ ମିଶି।୪।
ସତ୍ୟର ଶୁଭ ମନାସି ଚାହଁ ଜଗତର ଖୁସି
ମାୟା ମିଛ ଅହଙ୍କାର ଦିଅ ଯେ ଧ୍ଵଂସି,
ରତ୍ନ ସିଂହାସନେ ବସି ତ୍ରିକାଳର ହୋଇ ଦର୍ଶୀ
ହୃଦେ ଭାବ ଯାହା କର ତୁମେ ତା’ଦୃଶୀ,
ଅମା ହୁଅଇ ପୂର୍ଣ୍ଣମାସୀ
ତୁମେ ଶ୍ରୀଧର ଶ୍ରୀହରି ଶ୍ରୀକ୍ଷେତ୍ର ବାସୀ।୫।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
