ଖଜୁରୀପଡ଼ା ବ୍ଲକରେ ଅଧିକାରୀ କର୍ମଚାରୀ ମରୁଡ଼ି,ପ୍ରମୁଖ ପଦବୀ ଖାଲି ଉନ୍ନୟନ କାମରେ ବାଧାପ୍ରାପ୍ତ।
ଫୁଲବାଣୀ:ନିପ୍ର:-୩୦/୧୦ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ଜେ.ଇ ମରୁଡ଼ି ହେବାରୁ ଉନ୍ନୟନ କାମରେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଯୋଗ୍ୟ ଯେ ୧୪ ଗୋଟି ପଞ୍ଚାୟତ କୁ ନେଇ ଖଜୁରୀପଡ଼ା ବ୍ଲକ ଗଠିତ l ୧୪ ଟି ପଞ୍ଚାୟତ ରୁ ଅଧେକ ପଞ୍ଚାୟତର ୱାର୍ଡ଼ ଓ ଗାଁ ଗୁଡ଼ିକ ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଅବସ୍ଥିତ l ସେହିଭଳି ଗୋଟିଏ ପଞ୍ଚାୟତ ସମ୍ପୂର୍ଣ୍ଣ ଅପହଞ୍ଚ ଓ ଦୁର୍ଗମ ଅଟେ l ପଞ୍ଚାୟତ ସଶକ୍ତିକରଣ କରିବା ପାଇଁ ଓ ଜନସାଧାରଣ ଆର୍ଥିକ ସ୍ଥିତି ସଜାଡ଼ିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଉପରେ ଯୋଜନା ତିଆରି କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେସବୁ ଅର୍ଥକୁ ସଠିକ ଭାବେ ବିନିଯୋଗ ହୋଇ ପାରିବା ପାଇଁ ଏବଂ ତାର ପରିଚାଳନା ନିମନ୍ତେ ପଞ୍ଚାୟତ ସ୍ତରରୁ ବ୍ଲକ ପର୍ଯ୍ୟନ୍ତ ଆବଶ୍ୟକ ଅଧିକାରୀ କର୍ମଚାରୀ ନିଯୁକ୍ତି ଦେବାପାଇଁ ପଞ୍ଚାୟତ ରାଜ ବିଭାଗର ନିୟମ ମଧ୍ୟ ରହିଛି l କାରଣ ପଞ୍ଚାୟତର ବିକାଶ ହେଲେ ବ୍ଲକ, ଜିଲ୍ଲା ଓ ରାଜ୍ୟର ବିକାଶ ହେବ । କିନ୍ତୁ ଦୁଃଖର ବିଷୟ ଯେ ଖଜୁରୀପଡ଼ା ବ୍ଲକରେ ବହୁ ପଦବୀ ଖାଲି ରହିଥିବା ଯୋଗୁଁ ଉନ୍ନୟନ କାମରେ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ଦେଖାଦେଇଛି।ଫଳରେ ବିଡ଼ିଓ ଜଣେ କାର୍ଯ୍ୟ ଦକ୍ଷତା ଅଧିକାରୀ ହୋଇଥିଲେ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି। ତଥ୍ୟରୁ ସଂଗ୍ରହରୁ ଜାଣିବାକୁ ମିଳିଛି ଯେ ବହୁ ବର୍ଷ ହେବ ଅତିରିକ୍ତ ବିଡ଼ିଓ ପଦବୀ ଖାଲିପଡ଼ିଛି, ସେହିଭଳି ଗ୍ରାମପଞ୍ଚାୟତ ଉନ୍ନୟନ ପଦବୀ ଖାଲିପଡ଼ିଛି,୬ଜଣ କନିଷ୍ଠ ଯନ୍ତ୍ରୀ ବଦଳରେ ଅଛନ୍ତି ୨ଜଣ,୧୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ବଦଳରେ ଅଛନ୍ତି ମାତ୍ର ୮ଜଣ ସେଥି ମଧ୍ୟରୁ ଜଣେ ଗୁରୁତର ଅସୁସ୍ଥ ହୋଇ ପଡ଼ି ରହିଛି । ଏଭଳି ଖଜୁରୀପଡ଼ା ବ୍ଲକରେ ଅଧିକାରୀ କର୍ମଚାରୀ ମରୁଡ଼ି ହୋଇଥିବା ଦେଖିବାକୁ ମିଳିଛି। ବିଡ଼ିଓ ନିଜେ ଏମାନଙ୍କର କାମ ଗୁଡ଼ିକ କରୁଥିବା ଦେଖିବାକୁ ମିଳୁଛି ସରକାରୀ ଛୁଟି ଦିନରେ ମଧ୍ୟ ଘରେ ନବସି ପଞ୍ଚାୟତ ପଞ୍ଚାୟତ ବୁଲି କ୍ଷେତ୍ର ପରିଦର୍ଶନ କରିବା ସହିତ କାର୍ଯ୍ୟ ତୁଲାଉଛନ୍ତି। ବିଡ଼ିଓ ଙ୍କ ଏଭଳି କାର୍ଯ୍ୟ ଦେଖି ଲୋକଙ୍କ ମଧ୍ୟରେ ନାହିଁ ନଥିବା ଚର୍ଚ୍ଚା ହେଉଛି l ଦିନକୁ ଦିନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକରୁ ଅଧିକ କାର୍ଯ୍ୟ ବୃଦ୍ଧି ପାଉଥିବା ବେଳେ ଏଭଳି ଅଧିକାରୀ ଓ କର୍ମଚାରୀ ଅଭାବ ପାଇଁ ଲୋକଙ୍କ ପାଇଁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଆଗକୁ ବଢ଼ି ପାରୁ ନଥିବାରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ଓ ଆସନ୍ତି କୁହୁଳୁ ଥିବା ଅନୁମେୟ ହେଉଛି। ତେଣୁ ଅତିଶିଘ୍ର ଅଧିକାରୀ କର୍ମଚାରୀ ନିଯୁକ୍ତି କରି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।
