ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର
୩୦ ଅଗଷ୍ଟ, ୨୦୨୫

ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଜିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ଏହି ରାଜ୍ୟ ସ୍ତରୀୟ ନୃତ୍ୟ ମହୋତ୍ସବ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟ ଦଳ ଅଂଶଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଇଲିଆନା ସିତାରିଷ୍ଟ, ଗୁରୁ ରାମହରି ଦାସ, ଡ଼. ଚିତ୍ତରଞ୍ଜନ ମଲିଆ, ଗୁରୁ ଗୋବିନ୍ଦ ଗୋପାଳ, ସଙ୍ଗୀତଜ୍ଞ ଡ଼. ସଂଗୀତା ଗୋସାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। “ଗୋଟିପୁଅ ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ, ଏହା ଆମ ସମୃଦ୍ଧ ନୃତ୍ୟ ପରମ୍ପରା ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ। ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବର ଆୟୋଜନ ମାଧ୍ୟମରେ ନୃତ୍ୟ ପ୍ରତିଭାର ବିକାଶ ହେବା ସହିତ ଆମ ପାରମ୍ପରିକ ନୃତ୍ୟର ପ୍ରଚାର ଓ ପ୍ରସାର ହୋଇପାରୁଛି”, ବୋଲି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ।

ଆଜିର କାର୍ଯ୍ୟକ୍ରମରେ “ଗୋଟିପୁଅର ଗାୟନ, ବାଦନ ଓ ପରିବେଷଣ”କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଜି ପ୍ରଥମ ଦିନରେ ଚନ୍ଦ୍ରଶେଖର ଗୋଟିପୁଅ କଳା ସଂସଦ, କୈଳାସ ଗୋଟିପୁଅ ନୃତ୍ୟ ପ୍ରତିଷ୍ଠାନ, ମା’ ଅଷ୍ଟଭୁଜା ଗୋଟିପୁଅ କଳା ପରିଷଦ, ମୂର୍ଚ୍ଛନା ଗୋଟିପୁଅ, ବାବା ଗୋରେଖନାଥ ଗୋଟିପୁଅ ଡ୍ୟାନ୍ସ ଆସୋସିଏସନ, ମା ସନ୍ତୋଷୀ ଗୋଟିପୁଅ, ବାଙ୍କେଶ୍ୱରୀ ଗୋଟିପୁଅ ନୃତ୍ୟ ପରିଷଦ ଆଦିର ନୃତ୍ୟଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ।

ଅମ୍ଳାନ ଦାସ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *