ଅଷ୍ଟମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅଷ୍ଟମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ।
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ କୋଣାର୍କ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଅଷ୍ଟମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର, କୋଣାର୍କ ଓଡିଆ ଅସ୍ମିତାର ପ୍ରାଣକେନ୍ଦ୍ର ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଭାପତି ପ୍ରଦୀପ କୁମାର ଛାଟୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଷ୍ଟମ ବାର୍ଷିକ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଲେଖିକା ଶକୁନ୍ତଳା ବଳିଆରସିଂହ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ଅତିଥି ଶ୍ରୀମତୀ ବଳିଆରସିଂହ କହିଲେ ଯେ ଭାରତୀୟ ପରମ୍ପରା ଓ ସଂସ୍କୃତି ଅର୍ଥରେ ଧନ ସମ୍ପତ୍ତି ଗଣେ ନାହିଁ। ସୂର୍ଯ୍ୟ ମନ୍ଦିରରେ ମୂର୍ତ୍ତି ମାନେ ଗୀତ ଗାଆନ୍ତି। ଉତ୍କଳୀୟ ଐତିହ୍ୟ ଓ ସଂସ୍କୃତିର ବାର୍ତ୍ତାବହ ସୂର୍ଯ୍ୟ ମନ୍ଦିରର ଐତିହ୍ୟ ଓ କୀର୍ତ୍ତିରାଜି ସଂରକ୍ଷଣ ରଖିବା ପାଇଁ ଭବିଷ୍ୟତ ପିଢି ଏକାଗ୍ର ଚିତ୍ତରେ ନିରବଛିନ୍ନ ସାହିତ୍ୟ ଲେଖା ମାଧ୍ୟମରେ ସାମୁହିକ ପ୍ରଚେଷ୍ଟା ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସୁଗଠକ ଓ କୃଷକ ନେତା ଅମିୟ କୁମାର ପଟ୍ଟନାୟକ, ପ୍ରାକ୍ତନ ପ୍ରାଧ୍ୟାପିକା ଓ ବିଶିଷ୍ଟ ଲେଖିକା କମଳ କୁମାରୀ ଦାଶ,ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରକ୍ଷକ ନାୟକ, ବାନରସେନା ଶିଶୁ ପତ୍ରିକାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ସତ୍ଯ ଖବର ସଂପାଦକ ଅକ୍ଷୟ କୁମାର ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଡଃ ସ୍ବର୍ଣ୍ଣ ଲତା ତ୍ରିପାଠୀ, ବରିଷ୍ଠ ଶିକ୍ଷାବିତ ଓ କବି ମନମୋହନ ସ୍ବାଇଁ ପ୍ରମୁଖ ଯୋଗ ଦେଇ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିଭିନ୍ନ ଦିଗ ଓ ସୃଜନଶୀଳତା ସାହିତ୍ୟ ସୃଷ୍ଟି ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାମକୃଷ୍ଣ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂପାଦକ ଭାଗୀରଥୀ ସ୍ଵାଇଁ ସଂପାଦକୀୟ ବିବରଣୀ ପାଠ, ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଧନ୍ଯବାଦ ଅର୍ପଣ କରିଥିଲେ। ପରେ ପରେ ଅନୁଷ୍ଠାନ ପକ୍ଷରୁ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଧ୍ୟାତ୍ମିକ ମୂଲ୍ୟବୋଧ ଆଧାରରେ ସାହିତ୍ୟିକ ମାନେ ଲେଖନୀ ଚାଳନା କରି ଏକ ଐତିହ୍ୟ ଓ ସଂସ୍କୃତି ଭିତ୍ତିକ ପରମ୍ପରା ସୃଷ୍ଟି କରିବା ଦିଗରେ କାର୍ଯ୍ୟଧାରା ଅବ୍ୟାହତ ରଖିବା ପାଇଁ ବକ୍ତା ମାନେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୧୦୦ରୁ ଊର୍ଦ୍ଧ୍ବ କବି କବୟିତ୍ରୀ ଓ ଲେଖକ ଓ ଲେଖିବା ମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବରେ ବଲାଙ୍ଗୀରର ବିଶିଷ୍ଟ କବି ଗୋପିକୃଷ୍ଣ ପଣ୍ଡିଆ, ଡଃ ଲୋକନାଥ ଦଳ ବେହେରା, ବିଶିଷ୍ଟ କବି ନିଲମ କୁମାର ପରିଡା, ସୁଗଠକ ଓ ବିଶିଷ୍ଟ କବି ରମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ୩୦ଗୋଟି ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ବ କବି, କବୟିତ୍ରୀ, ସଂସ୍କୃତି ଗବେଷକ, ଲେଖକ ଓ ଲେଖିକା ମାନେ ଯୋଗଦାନ କରି ସ୍ବରଚିତ କବିତାମାନ ପାଠ କରିଥିଲେ। ଏଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୭ ଜଣ ଊର୍ଦ୍ଧ୍ବ କବି କବୟିତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଚ୍ଚିଦାନନ୍ଦ ଗୋଛାୟତ, ସୁକାନ୍ତ କୁମାର ବିଶ୍ବାଳ, ଯୋଗଗୁରୁ ମହେଶ୍ବର ସାମଲ, ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ସଂଗଠନ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *