ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ
ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ
ଧର୍ମଶାଳା– ଯାଜପୁର ଜିଲ୍ଲାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ମିଶନ ଶକ୍ତି ଭବନ, ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ କହିଲେ ପୋଷଣ ମାସ ଆମ ସମାଜରେ ପ୍ରତ୍ୟେକ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧିର ଏକ ମହତ୍ତ୍ୱପୂର୍ଣ୍ଣ ଅବସର। ଶିଶୁ ଓ ଗର୍ଭବତୀ ମହିଳାଙ୍କ ପୋଷଣ ଉନ୍ନତି ପାଇଁ ସରକାର ଓ ମିଶନ୍ ଶକ୍ତି ବିଭାଗ ବିଭିନ୍ନ ଯୋଜନା ଗ୍ରହଣ କରିଛନ୍ତି ଓ ସେଗୁଡିକୁ ଗାଁ ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ। ପୋଷଣ ହେଉଛି ଜୀବନର ଭିତ୍ତି। ଶିଶୁଟିଏ ଯେତେବେଳେ ଜନ୍ମ ନେଇଥାଏ, ସେବେଠାରୁ ନିଜ ଶରୀର ଓ ମାନସିକ ବିକାଶ ପାଇଁ ସଠିକ ପୋଷଣ ଆବଶ୍ୟକ। ଯଦି ଶିଶୁ ଦୃଢ଼ ଓ ସୁପୋଷିତ ହୁଏ, ସେ ଆଗାମୀ ଦିନର ସୁସ୍ଥ ନାଗରିକ ଭାବେ ଦେଶ ଓ ସମାଜର ଶକ୍ତି ହେବ। ଆମ ସମସ୍ତ ଗ୍ରାମରେ ଗର୍ଭବତୀ ମହିଳା, ଶିଶୁ ଓ କିଶୋରୀମାନେ ଯେପରି ସୁପୋଷିତ ହୁଅନ୍ତି, ଏହାକୁ ଆମେ ସମସ୍ତେ ମିଶି ନିଶ୍ଚିତ କରିବାକୁ ହେବ। ସୁସ୍ଥ ମା’ ହେଉଛି ସୁସ୍ଥ ଶିଶୁର ଭିତ୍ତି, ଏବଂ ସୁସ୍ଥ ଶିଶୁ ହେଉଛି ଦେଶର ଆଗାମୀ ଶକ୍ତି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ପରିବାର କଲ୍ୟାଣ ବିଭାଗ, ଡ଼ା. ଗୋପାଳ ଚନ୍ଦ୍ର ମଲ୍ଲିକ ଯୋଗଦେଇ କହିଲେ ଆଜି ଆମେ ଏଠାରେ ଯୋଗ ଦେଇଛୁ ଜିଲ୍ଲା ସ୍ତରୀୟ ପୋଷଣ ମାସ ଉତ୍ସବ ପାଳନ କରିବା ପାଇଁ। ଏହା କେବଳ ଏକ ଉତ୍ସବ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଜୀବନ ସଚେତନତାର ଏକ ଆନ୍ଦୋଳନ। ପୋଷଣ ହେଉଛି ସ୍ୱାସ୍ଥ୍ୟର ମୂଳ ଭିତ୍ତି। ଯଦି ଶିଶୁ ଏବଂ ଗର୍ଭବତୀ ମହିଳା ସୁପୋଷିତ ହୁଅନ୍ତି, ତାହେଲେ ସେମାନଙ୍କ ଶରୀରିକ ଓ ମାନସିକ ବିକାଶ ଭଲ ହୁଏ, ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠିତ ହୁଏ। ପୋଷଣ ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ଓ ମିଶନ୍ ଶକ୍ତି ଗୋଷ୍ଠୀମାନଙ୍କ ମିଳିତ ଉଦ୍ୟମ ଆବଶ୍ୟକ। ଯଦି ପ୍ରତ୍ୟେକ ଗ୍ରାମରେ ସୁପୋଷିତ ମା’ ଓ ସୁସ୍ଥ ଶିଶୁ ରହିବେ, ତାହାହେଲେ ଯାଜପୁର ଜିଲ୍ଲା ନିଶ୍ଚୟ ଓଡ଼ିଶାରେ ଆଦର୍ଶ ହେବ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ବଡ଼ଚଣା, ଶ୍ରୀମତୀ ଚନ୍ଦନା ମିଶ୍ର, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁକିନ୍ଦା ଶ୍ରୀମତୀ ସୁଜାତା ମହାନ୍ତି, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଦାନଗଦି ଶ୍ରୀମତୀ ନଳିନୀ ପ୍ରଭା ଲେଙ୍କା, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବିଂଝାରପୁର ଶ୍ରୀମତୀ ରୁକ୍ମଣୀ ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ ସଂଯୋଜକ ଶ୍ରୀ ମାନସ ରଞ୍ଜନ ସାମଲ ଯୋଗଦେଇ ଶିଶୁ, କିଶୋରୀ ଓ ଗର୍ଭବତୀ ମା’ଙ୍କ ପୋଷଣ ନିରାପତ୍ତା ଓ ସ୍ୱାସ୍ଥ୍ୟ ସୁଧାର ପାଇଁ ସାମାଜିକ ଜାଗରୁକତାର ଆହ୍ୱାନ ଜଣାଇବା ସହ ଶିଶୁ କୁ କେମିତି ଉପଯୁକ୍ତ ଭାବେ ପରିପୋଷଣ କରି ଦେଶ ପାଇଁ ଗୋଟେ ସୁସ୍ଥ ସବଳ ନାଗରିକ ଟିଏ କରିବା ସେ ବିଷୟରେ ନିଜ ଅଭିଭାଷଣ ରେ କହିଥିଲେ। ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ରକ୍ତହୀନତା ବିଷୟରେ ସଚେତନ ହେବା, ଏହାର ପରୀକ୍ଷା, ଚିକିତ୍ସା ବିଷୟରେ ଆଲୋଚନା କରିବା, ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଯତ୍ନବାନ୍ ହେବା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ ସମ୍ପୃକ୍ତ ବିଭାଗ, ଆଶା ଓ ଅଙ୍ଗନବାଡି କର୍ମୀ ମାନେ ନିଜର ଦାୟିତ୍ୱ ପ୍ରତି ଯଥେଷ୍ଟ ଯତ୍ନବାନ ହେବାପାଇଁ ଓ ଶିଶୁର ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖୁଆଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ। ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ତୃଣମୂଳ ସ୍ତରରେ ଗାଁ ଗାଁକୁ ଯାଇ ଗର୍ଭବତୀ ମା’ଙ୍କୁ ସୁପୋଷଣ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ସଚେତନତା ପହଞାଇବାକୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ସଂଯୋଜକ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
