ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ
ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ
ନୟାଗଡ-ତା-30.12.2025
ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମ ଗ୍ରାଉଣ୍ଡରେ ଆୟୋଜିତ ଏହି ମେଳାକୁ ଗୋ-ପୂଜନ ମାଧ୍ୟମରେ ଉଦ୍ଘାଟନ କରିଥିଲେ ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ। ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ପ୍ରାଣିପାଳକଙ୍କ ରୋଜଗାରକୁ ବହୁଗୁଣିତ ତଥା ସେମାନଙ୍କ ଜୀବିକାର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ନିରନ୍ତର ପ୍ରୟାସରତ । ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେଉଥିବା ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧି ରେ ଏହି ଦୁଇ କ୍ଷେତ୍ରର ଅଧିକ ଗୁରୁତ୍ବ ଥିବାରୁ ଶିକ୍ଷିତ ଯୁବ ଗୋଷ୍ଠୀ ଏହି କ୍ଷେତ୍ରରେ ସେମାନଙ୍କର କ୍ୟାରିୟର ଗଢିବାକୁ ବିଧାୟକ ଶ୍ରୀ ସ୍ୱାଇଁ ଆହ୍ବାନ ଦେଇଥିଲେ। ଏହି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟନାୟକ କହିଥିଲେ ଯେ, ସମୟ ଥିଲା ଆମେ ମାଛ ଓ ଅଣ୍ଡା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ଓ ଚାଷୀଙ୍କ ପ୍ରଚେଷ୍ଟା ବଳରେ ଆମେ ଆଜି ସ୍ବାବଲମ୍ବୀ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ କହିଥିଲେ ଯେ ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ଓ ନୀଳ ବିପ୍ଳବ ଯୋଗୁଁ ଆମ ଦେଶ ଆଜି ଖାଦ୍ୟ ଉତ୍ପାଦନରେ ଏକ ଅଗ୍ରଣୀ ଦେଶ।ତେଣୁ ଶିକ୍ଷିତ ଯୁବ ଗୋଷ୍ଠୀ ମତ୍ସ୍ୟ ଓ ପ୍ରାଣୀ ପାଳନ କୁ ଉଦ୍ୟୋଗ ରୂପରେ ଆଜି ପରିଣତ କରିପାରିବେ। ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡ ବସନ୍ତ କୁମାର ବେହେରା ଓ ଧନ୍ୟବାଦ ପ୍ରଦାନ କରିଥିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରକାଶ କୁମାର ତ୍ରିପାଠୀ।
ପ୍ରକାଶ ଯୋଗ୍ୟ ଯେ ତୃଣମୂଳ ସ୍ତରରେ ଚାଷୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ତଥା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ତଥା ସେମାନଙ୍କୁ ନୂତନ ଜ୍ଞାନ କୌଶଳପୂର୍ଣ ଚାଷ ସମ୍ପର୍କରେ ଧାରଣା ଦେବାପାଇଁ ଗତ ମାସରେ ପ୍ରତି ବ୍ଲକ ରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ସଫଳତା ର ସହ ଆୟୋଜିତ ହେବ ପରେ ଏହି ଜିଲ୍ଲା ସ୍ତରୀୟ ମେଳା ଆୟୋଜିତ ହୋଇଛି। । ଏହି ଦୁଇଦିନିଆ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆଠଶହ ମତ୍ସ୍ୟଚାଷୀ ଓ ପ୍ରାଣି ପାଳକ ଯୋଗ ଦେଇଥିଲେ। ମତ୍ସ୍ୟ ଓ ପ୍ରାଣିବିଜ୍ଞାନୀଙ୍କ ଓ ଚାଷୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଚାଷୀ ମାନେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଚାଷ ସମ୍ପର୍କରେ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇଥିଲେ। ସେମାନଙ୍କ ମଧ୍ୟରୁ ଉତ୍କର୍ଷ ସଫଳତା ପାଇଁ ଚାରି ଜଣ ଚାଷୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ କିଛି ଚାଷୀଙ୍କୁ ସେମାନଙ୍କ ନୂତନ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।ଏହି ମେଳାରେ ମତ୍ସ୍ୟ ତଥା ପ୍ରାଣିପାଳନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଜାତିର ମାଛ, ଗାଈ, ଘୁଷୁରି, କୁକୁଡ଼ା ଓ ଛେଳିର ପ୍ରଦର୍ଶନ ସହ ଆଧୁନିକ ମତ୍ସ୍ୟ ପାଳନର ଲାଇଭ ମଡେଲ ଓ ଅନ୍ୟାନ୍ୟ ବିଭାଗର ପ୍ରାୟ ତିରିଶଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
