ଷ୍ଟେସନ ରାସ୍ତାରେ ଜଳୁନି ଲାଇଟ,ଭାଙ୍ଗି ଗଲାଣି ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଫାଟକ, ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି
ନୟାଗଡ଼,୧୧/୮: ମୁଖ୍ୟ ରାସ୍ତାରୁ ନୟାଗଡ଼ ଟାଉନ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଅପ୍ରୋଚ ରାସ୍ତାରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଜଳୁନାହିଁ। ସେହିପରି ଷ୍ଟେସନର ପୂର୍ବ ପାର୍ଶ୍ଵ ରାସ୍ତାରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକ ମଧ୍ୟ ଠିକରେ ଜଳୁନାହିଁ। ଫଳରେ ରାତ୍ର ସମୟରେ ଦୂରଦୁରାନ୍ତରୁ ଫେରୁଥିବା ଯାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଅନ୍ଧାରର ସୁଯୋଗ ନେଇ ନିଶାଡ଼ି ମାନେ ଏଠାରେ ମଦ, ଗଞ୍ଜେଇ, ବ୍ରାଉନ ସୁଗାର କାରବାର କରୁଥିବା ବେଳେ ରାତ୍ରିରେ ଫେରୁଥିବା ଯାତ୍ରୀମାନେ ନାନା ଅସୁବିଧା ଭୋଗୁଛନ୍ତି। ଏପରିକି ଅନ୍ଧାରର ସୁଯୋଗ ନେଇ ଅସାମାଜିକ ଲୋକମାନେ ନାନା ପ୍ରକାର ଅପରାଧିକ କାର୍ଯକଳାପ କରୁଥିବା ଅଧିକାଂଶ ସମୟରେ ଅଭିଯୋଗ ହେଉଛି।ରେଳ ଷ୍ଟେସନ ପକ୍ଷରୁ ବିଦ୍ୟୁତ ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ସଂସ୍ଥାକୁ ବାରମ୍ବାର ଅବଗତ କରା ଯାଉଥିଲେ ମଧ୍ୟ ସେ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା ଷ୍ଟେସନ ମ୍ୟାନେଜର କହୁଛନ୍ତି। ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ଯାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାର ଫାଟକ ଦୀର୍ଘ ଦିନ ଧରି ଭାଙ୍ଗି ଯାଇଥିବା ବେଳେ ଏହାକୁ ମରାମତି କରାଯାଉ ନାହିଁ।

ଫଳରେ ଷ୍ଟେସନ ପରିସରକୁ ଲୋକମାନେ ଟୁ-ହୁଇଲର,ଅଟୋ, କାର ଆଦି ନେଇ ଯାଉଥିବା ଜଣା ପଡିଛି। ସେହିପରି ଷ୍ଟେସନ ପରିସରରେ ଅନାବନା ଗଛ ଉଠିବା ସହିତ ଅଳିଆ ଆବର୍ଜନା ଗଦା ହୋଇ ଦୀର୍ଘ ଦିନ ଧରି ପଡ଼ି ରହିବା ଫଳରେ ପରିବେଶ ଦୂଷିତ ହେବାରେ ଲାଗିଛି। ତେଣୁ ଏହି ପାର୍ଶ୍ଵ ଦେଇ ଯାଉଥିବା ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ଧାରର ସୁଯୋଗ ନେଇ ନିଶାଡ଼ି ମାନେ ବ୍ୟାପକ ନିଶା କାରବାର କରୁଥିବା ବେଳେ ବିଦ୍ୟୁତ ତାର କାଟି ନେଉଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ବିଦ୍ୟୁତ ସମସ୍ୟାର ସମାଧାନ କରିବା ସହିତ, ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ନୂତନ ଫାଟକ ସ୍ଥାପନ ତଥା ଷ୍ଟେସନ ପରିସରରେ ଉଠିଥିବା ଅନାବନା ଗଛ, ବୁଦା ତଥା ଅଳିଆ ଆବର୍ଜନା ତୁରନ୍ତ ସଫା କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି।
