ହେ ପ୍ରଭୁ ଯୀଶୁ ଦିଅ ଆଶିଷ

      ହେ ପ୍ରଭୁ ଯୀଶୁ ଦିଅ ଆଶିଷ

   ✍️କବିରତ୍ନ ନୂତନ କୁମାର ବେହେରା

ହେ ପ୍ରଭୁ ଯୀଶୁ ! ଦିଅ ଆଶିଷ……
ମନରେ ନ ରହୁ ପାପ ହୃଦୟେ ଆକ୍ରୋଶ
ମାନବୀୟ ମହନୀୟ ଗୁଣର ସୁବାସ
ପ୍ରତିଟି ଅନ୍ତରରୁ ହେଉ ଥାଉ ପରିପ୍ରକାଶ
ମହକ ତାର ବିଚ୍ଛୁରିତ ହେଉ ଚଉପାଶ
ମାନବ ସଭ୍ୟତା ଅଗ୍ରଗତିରେ ପହଞ୍ଚୁ ଶୀର୍ଷ।
ହେ ପ୍ରଭୁ ଯୀଶୁ ! ଦିଅ ଆଶିଷ……
ମଣିଷ ମଣିଷର ସଂପର୍କ ରହୁ ଅତୁଟ ପବିତ୍ର
ବଳିଷ୍ଠ ହେଉ ପ୍ରତିଟି ମଣିଷର ସ୍ଵଭାବ ଚରିତ୍ର
ହୃଦୟର ଅନାବିଳ ପ୍ରେମେ ହେଉ ସେ ମିତ୍ର
ବଦଳି ଯାଉ ଦୁନିଆଁର ଆତଙ୍କିତ ଚିତ୍ର
ସୁଖ ଶାନ୍ତି ତୃପ୍ତି ବିରାଜମାନ ହେଉ ସର୍ବତ୍ର।
ହେ ପ୍ରଭୁ ଯୀଶୁ ! ଦିଅ ଆଶିଷ……
ମେରୀ ଗର୍ଭରୁ ମେଣ୍ଢାଶାଳରେ ହୋଇ ଜାତ
ଜଗତର କଲ୍ୟାଣ ପାଇଁ ସାଜିଲ ଦେବଦୂତ
ପରମ ପିତାଙ୍କୁ ମହତ କର୍ମରେ କଲ ପ୍ରୀତ
ସ୍ଵାର୍ଥନ୍ଵେଷୀ ଦଳ ତୁମକୁ କଲେନାହିଁ ସମ୍ମାନୀତ
ଉଗ୍ର ହିଂସ୍ର ପଣେ ତାଙ୍କର ହେଲ ନିର୍ଯ୍ୟାତିତ।
ହେ ପ୍ରଭୁ ଯୀଶୁ ! ଦିଅ ଆଶିଷ……
ନିର୍ମମ ଭାବରେ ତୁମକୁ କଲେ କ୍ରୁଶବିଦ୍ଧ
ଝରିଲା ତୁମ ଅଙ୍ଗରୁ ଧାର ଧାର ଲହୁ ଅଗାଧ
ହସି ହସି ସହି ଗଲ ସବୁ ଯନ୍ତ୍ରଣାକୁ ଅବାଧ
ତୁମ ଜ୍ଞାନ ଆଲୋକରେ ଚକ୍ଷୁସ୍ମାନ ହେଲେ ଅନ୍ଧ
ଦିବ୍ୟ ଚେତନାରେ ଜଗତକୁ କଲ ଉଦବୁଦ୍ଧ।
ହେ ପ୍ରଭୁ ଯୀଶୁ ! ଦିଅ ଆଶିଷ……
ସାରା ସଂସାରରେ ଖେଳୁ ଆନନ୍ଦ ଉଲ୍ଲାସ
ନ ଭୋଗୁ କେହି ଦୁଃଖ କ୍ଳେଶ ରହି ଉପବାସ
ଆତ୍ମୀୟତାର ସଦଭାବ ବୁଝି ମଣିଷ ଭୁଲୁ ଦ୍ୱେଷ
ଫୁଟା ଫୁଲ ପରି ସବୁରି ମୁହଁରେ ଫୁଟୁ ହସ
ଏକ କୁଟୁମ୍ବ ପରି ଚାଲୁ ଏ ସାରା ବିଶ୍ଵ।
ହେ ପ୍ରଭୁ ଯୀଶୁ ! ଦିଅ ଆଶିଷ…… 
           
  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା       କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *