ଆଦର୍ଶ ଆଚରଣ ବିଧି କଡାକଡି ଭାବେ ପାଳନ

ଆଦର୍ଶ ଆଚରଣ ବିଧି କଡାକଡି ଭାବେ ପାଳନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ଅନୁରୋଧରାଜନୈତିକ ଦଳ ମାନଙ୍କ ସହ ବୈଠକପୁରୀ ୧୭/୩ ଭାରତର ନିର୍ବାଚନ କମିଶନର ଗତକାଲି ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି।ପୁରୀ ଜିଲ୍ଲାରେ ଏହାକୁ କଡାକଡି ଭାବେ ପାଳନ ସହ ଯେପରି କୌଣସି କ୍ଷେତ୍ରରେ ଏହାର ଉଲ୍ଲଘଂନ ନ ହୁଏ ସେଥି ପ୍ରତି ଯତ୍ନବାନ ହେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆଦର୍ଶ ଆଚରଣ ବିଧି ପାଳନ ଓ କାର୍ଯ୍ୟକାରିତା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ନିର୍ବାଚନ କମିଶନ ଯେଉଁ ଆଦର୍ଶ ଆଚରଣ ବିଧି ପ୍ରଣୟନ କରିଛନ୍ତି ତାହାକୁ ସମସ୍ତେ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ।ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା।ଏହାକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳନା କରିବା ଆମ ସମସ୍ତ ଙ୍କ ଦାୟିତ୍ୱ।ନିର୍ବାଚନ କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ବିବିଧ ଟିମ ଗଠନ କରାଯାଇଛି ଓ ସେମାନେ ସମସ୍ତ କାର୍ଯ୍ୟ ର ତଦାରଖ କରୁଛନ୍ତି।ତେଣୁ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନେ ନିର୍ବାଚନ କମିଶନର ଙ୍କ ମାର୍ଗଦର୍ଶିକା ଆଧାର ରେ କାର୍ଯ୍ୟ କରିବା ସହ ଏହି ସମସ୍ତ ଟିମ ମାନଙ୍କୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।କୌଣସି ଦଳ ବା ପ୍ରାର୍ଥୀ ଙ୍କ ପକ୍ଷରୁ ଧର୍ମ, ସମ୍ପ୍ରଦାୟ,ଜାତି, ଭାଷା ଇତ୍ୟାଦି କୁ ଆଘାତ ବା ଅସମ୍ମାନ କରାଯିବ ନାହିଁ,କୌଣସି ଧର୍ମସ୍ଥଳରେ ପ୍ରଚାର କରାଯାଇ ପାରିବ ନାହିଁ, କୌଣସି ସରକାରୀ ସ୍ଥାନରେ ବା ବ୍ୟକ୍ତିଗତ ସ୍ଥାନରେ ବିନାନୁମତିରେ ରାଜନୈତିକ କାର୍ଯ୍ୟ କଳାପ କରି ପାରିବେ ନାହିଁ,କୌଣସି ଦଳର ସଭା ବା ସମାବେଶ କୁ ପ୍ରତିପକ୍ଷ ବିଶୃଙ୍ଖଳା କରିବେ ନାହିଁ, ସଭା ସମାବେଶରେ ପ୍ରଶାସନ ଓ ପୋଲିସ ଠାରୁ ନିଶ୍ଚିତ ଅନୁମତି ନେବାକୁ ପଡିବ,ମତଦାତା ମାନଙ୍କୁ ମତଦାନ କେନ୍ଦ୍ର କୁ ନେବା ଆଣିବା ପାଇଁ ପରିବହନ ବ୍ୟବସ୍ଥା କରି ପାରିବେ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଦେଇଥିବାରୁ ତାହାକୁ ଅନୁପାଳନ ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ।ଆଦର୍ଶ ଆଚରଣ ବିଧି ର ତଦାରଖ ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଟିମ କାମ କରୁଛି।ତତ୍ ସହିତ ନିୟନ୍ତ୍ରଣ କକ୍ଷ ମଧ୍ୟ ଏହାର ଅନୁଧ୍ୟାନ କରୁଛନ୍ତି।ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ସର୍ବାଧିକ ୯୫ ଲକ୍ଷ ଟଙ୍କା ଓ ବିଧାନସଭା ପାଇଁ ପ୍ରାର୍ଥୀ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି।ଚଳିତ ବର୍ଷ ଇସିଆଇ ପକ୍ଷରୁ ସୁବିଧା ଆପ ମାଧ୍ୟମରେ ନାମାଙ୍କନ ପତ୍ର ଦାଖଲ ପାଇଁ ସହଜ ପ୍ରକ୍ରିୟାର ବ୍ୟବସ୍ଥା କରିଛନ୍ତି।ଯାହା ଦ୍ବାରା ପ୍ରାର୍ଥୀ ଙ୍କ ର ନାମାଙ୍କନ ପତ୍ର ନିର୍ଭୁଲ ଓ ସମସ୍ୟା ଶୂନ୍ୟ ହୋଇପାରିବ।ନିର୍ବାଚନ ସମ୍ପର୍କରେ କୌଣସି ଅଭିଯୋଗ ପାଇଁ ଫୋନ ନମ୍ବର ୧୯୫୦ କୁ କଲ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝି, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ,ଡିଆଇଓ ଏନ ଆଇ ସି ବିଶ୍ୱନାଥ ପଣ୍ଡା,ଅନ୍ୟାନ୍ୟ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *