ଗୁରୁଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଅବିଚ୍ଛେଦ ଅଙ୍ଗଭକ୍ତିମୟ ପରିବେଶରେ ଗୁରୁଜନ ପୂଜନ ଉତ୍ସବ
ଗୁରୁଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଅବିଚ୍ଛେଦ ଅଙ୍ଗ
ଭକ୍ତିମୟ ପରିବେଶରେ ଗୁରୁଜନ ପୂଜନ ଉତ୍ସବ ଆୟୋଜିତ
ସମ୍ବର୍ଦ୍ଧିତ ହେଲେ ଶତାଧିକ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ
ଉଦଳା ୧୦/୦୭ ( ) – ଗୁରୁ ବ୍ୟକ୍ତି ନୁହେଁ ଶକ୍ତି । ଯେଉଁ ଶକ୍ତି ଆମକୁ ଅନ୍ଧାରରୁ ଆଲୋକକୁ, ଅସତ୍ୟରୁ ସତ୍ୟକୁ, ମୃତ୍ୟୁ ରୁ ଅମୃତକୁ ପଥ ପ୍ରଦର୍ଶନ କରାଏ । ଗୁରୁ ବିନା ମୁକ୍ତି ନାହିଁ । ସ୍ୱୟଂ ଭଗବାନ ହିଁ ଗୁରୁଙ୍କ ଭିତରେ ଥାନ୍ତି । ଗୁରୁଶିଷ୍ୟ ପରମ୍ପରା ଯେତେ ସ୍ୱଚ୍ଛ ଯେତେ ମହତ୍ତ୍ୱ ପୂର୍ଣ୍ଣ ହେବ ଗୁରୁଙ୍କ ଗୁରୁତା ଓ ଶିଷ୍ୟଙ୍କ ଶିଷ୍ୟତ୍ୱ ସେତେ ପ୍ରତିଭାଗ ହେବ । ସ୍ୱୟଂ ଭଗବାନଙ୍କ ସପ୍ତଦଶ ଅବତାର ନେଇ ଧରାବତରଣ କରିଥିବା ଆଦିଗୁରୁ, ମହର୍ଷି ବେଦବ୍ୟାସ ବ୍ୟାସଦେବଙ୍କ ପବିତ୍ର ଜନ୍ମତିଥି ଆଷାଢ ପୂର୍ଣ୍ଣିମା ପାଳନ ଅବସରରେ ଆଞ୍ଚଳିକ ଗୁରୁ ପୂଜନ କମିଟି, ଉଦଳା ଆନୁକୁଲ୍ୟରେ ସ୍ଥାନୀୟ ସନ୍ଧାନ ଗୃହରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଗୁରୁ ପୂଜନରେ ଯୋଗ ଦେଇଥିବା ଅତିଥିମାନେ ଏହି ମତାମତ ପ୍ରକାଶ କରିଥିଲେ । କମିଟିର ସ୍ଥାୟୀ ସଭାପତି ଆଇନଜୀବି ବସନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ଅବସରପ୍ରାପ୍ତ ଅଧ୍ୟକ୍ଷ ଦିଲ୍ଲୀପ ଦିକ୍ଷୀତ ମୁଖ୍ୟ ଅତିଥି, ସେବା ନିବୃତ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ଉଦଳା ଏନଏସିର ନଗରପାଳ ପ୍ରମିଳା ପଣ୍ଡା ସ୍ୱତନ୍ତ୍ର ଅତିଥି, ଉପାଧ୍ୟକ୍ଷା ଲିଲି ଭୋଳ ଏବଂ ପ୍ରାକ୍ତନ ବିଧାୟକ ଶ୍ରୀନାଥ ସୋରେନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କମିଟିର ସମ୍ପାଦକ ସେବା ନିବୃତ୍ତ ଶିକ୍ଷକ ଦିଲ୍ଲୀପ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ୧୧ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମର ସ୍ରଷ୍ଟା ସ୍ୱର୍ଗତ ପ୍ରାକ୍ତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ସହଧର୍ମିଣୀ ଜିଲ୍ଲା ପରିଷଦ ସଦସ୍ୟା ସୁବାସିନୀ ନାୟକ ଏହି କାର୍ଯ୍ୟକ୍ରମ ପୃଷ୍ଠପୋଷକ ଏବଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱାମୀଙ୍କ ସ୍ୱପ୍ନକୁ ପୁରା କରିବା ଦିଗରେ ଏହି ଉଦ୍ୟମ ପ୍ରତ୍ୟେକ ବର୍ଷ ଜାରି ରହିବ ବୋଲି ପ୍ରକାଶ କରିଥିଲେ । କମିଟିର କର୍ମକର୍ତ୍ତା ସାମ୍ବାଦିକ ସନ୍ତୋଷ କୁମାର ବାଚ୍ଛିନୀ ମଞ୍ଚ ଆହ୍ୱାନ କରିଥିଲା ବେଳେ ଅମୀୟ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଭୁ ଜଗନ୍ନାଥ, ମହର୍ଷି ବ୍ୟାସଦେବ, ସ୍ୱର୍ଗତ ଗୋଲକ ବିହାରୀ ନାୟକଙ୍କ ଫଟୋଚିତ୍ରରେମାଲ୍ୟାର୍ପଣ କରାଯାଇଥିଲା । ଆଞ୍ଚଳିକ ଇ ଟିଭି କଣ୍ଠଶିଳ୍ପୀ ବିଶ୍ୱନାଥ ପଣ୍ଡା ଉଦଘାଟନୀ ସଙ୍ଗୀତରେ ଗୁରୁବନ୍ଦନା ଗାନ କରିଥିଲେ । ଇଂ ନାରାୟଣ ପୃଷ୍ଟି ପ୍ରଭୁ ଜଗନ୍ନାଥଙ୍କ ଫଟୋ ଓ ପ୍ରଦୀ ପ୍ରଜ୍ଜଳନ ପାଇଁ ସାଜସଜ୍ଜା କରିଥିଲେ । ପ୍ରାକ୍ତନ ଶିକ୍ଷକ ଲକ୍ଷ୍ମୀଧର ପୋଥାଳ, ସୁମତୀ ଜେନା, ରଜତ ପଣ୍ଡା, ଅସୀମା କର, ସେବା ନିବୃତ୍ତ ଅଧ୍ୟାପକ ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖ ମଧ୍ୟ ଏହି ଗୁରୁପୂଜନ ଉତ୍ସବର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ସମ୍ବନ୍ଧରେ ମଞ୍ଚରେ ଆଲୋଚନା କରିଥିଲେ । କମିଟି କର୍ମକର୍ତ୍ତା ଭାବେ ବିଜନ ନାୟକ, କୃଷ୍ଣଚୈତନ୍ୟ ସଦୁଆଳ, ସୀମାନ୍ତ ତ୍ରିପାଠୀ, ସମୀର ଷଡଙ୍ଗୀ, ମହେନ୍ଦ୍ର ନାଥ ସାହୁ, ପ୍ରହ୍ଲାଦ କୁମାର ଦାସ, ବନମାଳୀ ବେହେରା, ସୁଜିତ ମଢୁଆଳ, ଦୀପକ ଦାସ, ପ୍ରଦୀପ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଅକୁଣ୍ଠ ସହଯୋଗ କରିଥିଲେ । ସୂଚନାଯୋଗ୍ୟ କି ଏହି କାର୍ଯ୍ୟକ୍ରମରେ ୧୪୦ ରୁ ଉର୍ଦ୍ଧ୍ୱ ସେବା ନିବୃତ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
