ଖରାଛୁଟିରେ ମଜାମସ୍ତିରେ ଚାଲିଛି ପାଠପଢ଼ା

ଖରାଛୁଟିରେ ମଜାମସ୍ତିରେ ଚାଲିଛି ପାଠପଢ଼ା

“ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ’ ଦ୍ବାରା ହ୍ବାଟ୍ସ୍‌ଆପ୍‌ରେ ଯୋଡ଼ି ହେଲେଣି ୧୧ ଲକ୍ଷରୁ ଅଧିକ ଅଭିଭାବକ

ଭିଡିଓ ମାଧ୍ୟମରେ ଘରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ

ଅଭିଭାବକ, ଶିକ୍ଷକଙ୍କ ମାର୍ଗଦର୍ଶନରେ ଚାଲିଛି ପାଠପଢ଼ା

ଭୁବନେଶ୍ବର, ୧୬ ମଇ ୨୦୨୫:
ଖରାଛୁଟିରେ ମଜାମସ୍ତିରେ ଘରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଅକ୍ଷର ଶିଖିବାଠୁ ଅଙ୍କ କଷା, ଅବା ବିଭିନ୍ନ ଉପକରଣ ମାଧ୍ୟମରେ ଶିକ୍ଷଣୀୟ ସାମଗ୍ରୀ ତିଆରି କରି ବିଷୟବସ୍ତୁକୁ ଜାଣୁଛନ୍ତି ଛାତ୍ରଛାତ୍ରୀ । ଭଳିକି ଭଳି ଶିକ୍ଷଣାୟ ପଦ୍ଧତି ମାଧ୍ୟମରେ ବିଭିନ୍ନ ସହଜିଆ ପଦ୍ଧତିରେ ଶିକ୍ଷାଗ୍ରହଣ କରୁଛନ୍ତି । ଏମିତି ମଜାଳିଆ ଢ଼ଙ୍ଗରେ ସାରା ରାଜ୍ୟରେ ଖରାଛୁଟିରେ ଚାଲିଛି ‘ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ (Odisha Summer Learning Programme).
ରାଜ୍ୟର ସମସ୍ତ ବିଦ୍ୟାଳୟରେ ଖରାଛୁଟି ଚାଲିଛି । ଖରାଛୁଟିରେ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ଯେପରି ପାଠ ସହ ଯୋଡ଼ି ହୋଇ ରହିବେ, ସେହି ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି “ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ” ।

ଏଥିପାଇଁ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ତିଆରି ହୋଇଛି ହ୍ଵାଟ୍ସ୍‌ଆପ୍ ଗ୍ରୁପ୍ । ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ଅଧିନରେ ରାଜ୍ୟରେ ୧ ଲକ୍ଷ ୭୦ ହଜାଇ ୯୩୨ଟି ହ୍ଵାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଛି । ଏହି ଗ୍ରୁପ୍‌ରେ ସାରା ରାଜ୍ୟରୁ ପ୍ରାୟ ୧୧ ଲକ୍ଷ ୮ ହଜାର ୮୪୩ରୁ ଅଧିକ ଅଭିଭାବକ ଯୋଡ଼ି ହୋଇଛନ୍ତି । ଶିକ୍ଷକମାନେ ସମୟ ବ୍ୟବଧାନରେ ଶ୍ରେଣୀ ଅନୁସାରେ ବିଭିନ୍ନ ଭିଡିଓ ଓ ଶିକ୍ଷଣୀୟ ବିଷୟ ସବୁକୁ ଗ୍ରୁପରେ ପଠାଉଛନ୍ତି । ଘରେ ଅଭିଭାବକମାନେ ଏସବୁକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ଛାତ୍ରଛାତ୍ରୀ ଯେଭଳି ଖରାଛୁଟିରେ ପାଠକୁ ସମ୍ପୂର୍ଣ ଭୁଲି ଯିବେନି ଓ ମଜାଳିଆ ଢ଼ଙ୍ଗରେ ନିଜ ପାଠକୁ ଜାଣିବେ ସେହି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏନେଇ ବାଲିପଦାର ତୁଳସୀଚଉରାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଅଭିଭାବକ ରଶ୍ମିତା ପାତ୍ର କହିଛନ୍ତି, ଖରାଛୁଟିରେ ପିଲାଙ୍କୁ ପାଠସହ ଯୋଡ଼ିରଖିବା ପାଇଁ ଏହା ଏକ ଉତ୍ତମ ମାଧ୍ୟମ । ହ୍ଵାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଆମେ ଶିକ୍ଷଣୀୟ ଭିଡିଓ ପାଇପାରୁଛୁ, ଯାହାଦ୍ବାରା ପିଲାଙ୍କୁ ପାଠ ପଢାଇବା ଆମ ପାଇଁ ସହଜ ହୋଇପାରୁଛି । ଗୀତ, ଗପ ଓ ଚିତ୍ର କରିବାକୁ ଦିଆଯାଉଛି । ପିଲାମାନେ ମଧ୍ୟ ଆଗ୍ରହର ସହ ଏସବୁକୁ କରୁଛନ୍ତି, ସବୁ ପ୍ରଶ୍ନର ଉତ୍ତର ଲେଖୁଛନ୍ତି । କାର୍ଯ୍ୟକ୍ରମକୁ ନେଇ ଅନ୍ୟ ଜଣେ ଅଭିଭାବକ ଶ୍ରୀମତୀ ମମତା ବିଶ୍ଵାଳ କହିଛନ୍ତି, ପିଲାମାନେ ଖରାଛୁଟିକୁ ଛୁଟି ଭାବରେ ନେଇ କିଛି ପାଠ ପଢୁନଥିଲେ । ଏବେ କିନ୍ତୁ ଏମିତି ଆଉ ହେଉନାହିଁ ମୋ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛି । ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠୁ ଶିକ୍ଷକ ଆମକୁ ମୋବାଇଲ୍‌ରେ ବିଭିନ୍ନ ପାଠ ପାଇଁ ଭିଡିଓ ଏବଂ ୟୁଟ୍ୟୁବ୍ ଲିଙ୍କ୍ ଆଦି ଦେଉଛନ୍ତି । ସେହି ଭିଡିଓକୁ ଦେଖି ଆମେ ଶିକ୍ଷକଙ୍କ ସହ ଯୋଡି ହୋଇ ଛୁଆକୁ ପାଠ ପଢ଼ାଉଛୁ ।

କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି । ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହକୁ ଦୁଇଥର ଏବଂ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ତିନିଥର ଶିକ୍ଷଣୀୟ ବିଷୟ ସବୁ ପଠାଯାଉଛି । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କ ପାଇଁ ଓଡ଼ିଆ, ଗଣିତ ଓ ପରିବେଶ ବିଜ୍ଞାନ ଉପରେ ବିଭିନ୍ନ ଭିଡ଼ିଓ ପଠାଯାଉଛି । ସେହିପରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ଓଡ଼ିଆ, ଗଣିତ, ପରିବେଶ ବିଜ୍ଞାନ ଓ ଇଂରାଜୀ ପାଠ ଭିଡ଼ିଓ ଦିଆଯାଉଛି । ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ଓଡ଼ିଆ, ଗଣିତ, ପରିବେଶବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଇଂରାଜୀ ପାଠ ଭିଡ଼ିଓ ପଠାଯାଉଛି। ଏହାପରେ ଘରେ ଅଭିଭାବକମାନେ ଏହି ଭିଡ଼ିଓ କ୍ଲିପ୍ ଓ ବିଷୟବସ୍ତୁ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ସେମାନେ ଯାହା ବି ପଢୁଛନ୍ତି ଓ ଲେଖୁଛନ୍ତି ସେସବୁକୁ ଅଭିଭାବକମାନେ ଫଟୋ ଉଠାଇ ପୁଣିଥରେ ଗ୍ରୁପ୍‌ରେ ପଠାଉଛନ୍ତି । ଫଳରେ ପିଲାମାନେ କେତେଦୂର ଏସବୁକୁ ଜାଣିପାରିଲେ, ସେନେଇ ଶିକ୍ଷକମାନେ ସମୀକ୍ଷା କରିପାରୁଛନ୍ତି । ସ୍କୁଲରୁ ଖରାଛୁଟି ପାଇଁ ଦିଆଯାଇଥିବା ଘରପାଠକୁ ମଧ୍ୟ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷକଙ୍କଠୁ ବୁଝି କରୁଛନ୍ତି ।

ରୋଜାଲିନ ସାହୁ
ଲୋକସମ୍ପର୍କ ଅଧିକାରୀ
ବିଦ୍ୟାଳୟ ଓ ଗଣଶିକ୍ଷା

Leave a Reply

Your email address will not be published. Required fields are marked *