ବୋଧହୁଏ

  🔹କବିରତ୍ନ ନୂତନ କୁମାର ବେହେରା

ବୋଧହୁଏ ଏଠି ଯେତେ ଦୃଶ୍ୟ ସବୁ ସତ୍ୟ
ଦେଖାକୁ ଅଦେଖା କହୁଥାଏ ବାଜି ମାରି
ନିଜ ନିଜର ଦୃଷ୍ଟି କୋଣକୁ ନେଇ
କେହି ବାଛି ଦେଲେ ଗୁଣରୁ କିଛି ବି ଖୁଣ
ସହଜରେ ସେ କରେ ନାହିଁ ସ୍ଵୀକାର
କାହାକୁ ଠିକ୍ ପ୍ରମାଣ କରି ପ୍ରଶଂସା କରିବା
ଦବିଯାଇ ହାରିଯିବାର ମାନସିକତା
କେବେ ବି ନ ଥାଏ ଅହଙ୍କାର ପାଖରେ
ବୋଧହୁଏ ଏହା ଠିକ୍ ଆଉ ନିର୍ଭୁଲ୍
ତୃଷାର୍ତ୍ତ ତୃଷାତୁରେ ଧାଇଁଥାଏ ଜଳ ଖୋଜି
ତା’ ମରୀଚିକା କହିଲେ କରେନା ବିଶ୍ବାସ
ସେ ତାର ବୁଝାମଣାରେ କରେ ବିଚାର
ଭୁଲ୍ ଥିଲେ ବି ନିଜର ନିଜକୁ ହିଁ ଦିଏ ଗୁରୁତ୍ଵ
ବୋଧହୁଏ ରୁ ବୋଧ ରେ ଦେଖେ ନାହିଁ ତଫାତ
କାହିଁ କେତେ ନା କେତେ ଯୋଜନର ଦୂର
ଆଶାର ଆସକ୍ତି ଆଉ କାମନାର ନିଶା
ଆଲୁଅରୁ ଯାଇ ଅନ୍ଧାରକୁ ଖୋଜି ବୁଲୁଥାନ୍ତି
ଛପି ରହିବାକୁ କେଉଁଠି ଜାଗାଟିଏ ବାଛି
ଆଗରେ ଚାଲିବାର ସତ୍ ସାହସ ନ ଥାଉ ବରଂ
ପଛକୁ ହଟାଇବାର ଯୋଜନା ହୁଏ ପଛରେ
ବୋଧହୁଏ ଏଇ ଦୁର୍ବଳତାର ଦୁରଭିସନ୍ଧି
ମିଛ ହାରୁଥିଲେ ବି ଥରକୁ ଥର
ସହି କି ଦେଖି ପାରେନା ସତ୍ୟର ପ୍ରକାଶକୁ
ବୋଧହୁଏ ଏହା ହିଁ ତାର ଦୁର୍ଭାଗ୍ୟ
ପାଇବା ଆଶା ଠାରୁ ଦେବାର ଇଚ୍ଛା କମ୍
ସର୍ବଦା ସନ୍ତୁଳିତ ହୁଏ ଦ୍ବନ୍ଦ୍ଵର ତରାଜୁ
ମାପ ମାପିବା ଭିତରେ ରହେ ତାର ମତଲବ
ବୋଧହୁଏ ରୁ ବୋଧ ର ଦୂରତା ବଢ଼େ
ସନ୍ଦେହର ଘେରରେ ରହି ସମସ୍ୟା କରେ ସୃଷ୍ଟି
ପାଖରେ ଥାଇ ମଧ୍ୟ ଆସେ ନାହିଁ ପାଖକୁ
ନ କରି ବୋଧ ଅଟକିଯାଏ ହୋଇ ବୋଧହୁଏ…।

       ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା,
ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *