ତହସିଲଦାର ସୂର୍ଯ୍ୟ ଶଙ୍କରଙ୍କ ରୁଦ୍ର ଅବତାର
ତହସିଲଦାର ସୂର୍ଯ୍ୟ ଶଙ୍କରଙ୍କ ରୁଦ୍ର ଅବତାର !
ଚଢ଼ାଇଲେ ବୁଲ୍ଡୋଜର, ଭାଙ୍ଗିଲେ ଶତାଧିକ ବେଆଇନ ଇଟାଭାଟି।
ପୁରୀ ଜିଲ୍ଲା ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶଙ୍କ ରୁଦ୍ର ଅବତାର ଦେଖିବାକୁ ମିଳିଛି। ଏହି ତହସିଲ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ପରିବେଶ ପ୍ରଦୂଷଣ ଓ ତାପମାନ ବୃଦ୍ଧି କରୁଥିବା ବେଆଇନ୍ ଇଟାଭାଟି ଉପରେ ବୁଲ୍ଡୋଜର ସହ ଚଢ଼ାଉ କରିବା ସହ ଶତାଧିକ ବେଆଇନ ଭାଟି ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି। ବୁଧବାର ଦିନ ତମାମ ଗୋପ ତହସିଲ ଅନ୍ତର୍ଗତ ଜଙ୍ଗଲୋବରି ଆରଆଇ ସର୍କଲ ଅଧୀନ ନୟାହାଟ, ଧୁମାଳ, ନରସିଂହପୁର ଆଦି ଗ୍ରାମରେ ଚଢଉ କରି ୫୦ରୁ ଅଧିକ ବେଆଇନ ମାଟି ତିଆରି ଇଟାଭାଟି ୩ ଟି ବୁଲ୍ଡୋଜର ଜେସିବି ମେସିନ୍ ଦ୍ଵାରା ଭଙ୍ଗା ଯିବାସହ ଓ ଏକ ଦମକଳ ଗାଡି ଦ୍ଵାରା ଜଳନ୍ତା ଇଟାଭାଟି ଗୁଡ଼ିକ ନିଆଁ ଲିଭାଯାଇଛି। ରାଜ୍ୟ ସରକାରଙ୍କ ଓ ଜିଲ୍ଲା ପ୍ରଶାସନ ତଥା ଉପ ଜିଲ୍ଲାପାଳ ରାଜକିଶୋର ଜେନାଙ୍କ ନିର୍ଦ୍ଦେଶକ୍ରମେ ଦକ୍ଷ ତଥା ଯୁବ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଓ ତାଙ୍କର ରାଜ୍ୱସ କର୍ମଚାରୀଙ୍କ ସହ ଜିଲ୍ଲା ଖଣିଜ ବିଭାଗ ଅଧିକାରୀ, ଗୋପ ଥାନା ଅଧିକାରୀ,

ଅଗ୍ନିଶମ ବାହିନୀ, ୨ ପ୍ଲାଟୁନ ପୋଲିସ୍ ଫୋର୍ସ ସହ ଗୋପ ତହସିଲ ଅନ୍ତର୍ଗତ ଜଙ୍ଗଲୋବରି ଆରଆଇ ସର୍କଲ ଅଧୀନ ନୟାହାଟ ଅଞ୍ଚଳରେ ଚଢାଉ କରିଥିଲେ। ଏହି ଅଞ୍ଚଳରେ ୫୦ରୁ ଅଧିକ ବେଆଇନ ଇଟାଭାଟି ଚାଲିଥିବା ବେଳେ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଥିଲା। ହେଲେ ତାକୁ ଭ୍ରୁକ୍ଷେପ କରି ଇଟା ମାଫିଆ ମାନେ ଗ୍ରାମ, ସ୍କୁଲ୍ ଓ ବଜାର ନିକଟବର୍ତ୍ତୀ ଅଞ୍ଚଳରେ ବେଆଇନ୍ ଭାବେ ଇଟାଭାଟି ନିର୍ମାଣ କରି ବାୟୁ ପ୍ରଦୂଷଣ ସହ ତାପମାନ ବୃଦ୍ଧି କରି ଆସୁଥିଲେ। ଏନେଇ ମିଳିତ ଚଢାଉ କରାଯାଇ ବୁଲ୍ଡୋଜାର ଜେସିବି ମେସିନ ଦ୍ଵାରା ସମସ୍ତ ଇଟା ଭାଟି ଭଙ୍ଗା ଯିବା ସହ ଅଗ୍ନିଶମ ବାହିନୀ ଦମକଳ ଦ୍ଵାରା ନିଆଁ ଲିଭା ଯାଇଥିଲା। ଏହି ସମୟରେ ଇଟା ପକାଉଥିବା ପରିବାର ସହ ନିକଟ ଅଞ୍ଚଳର ମହିଳା ଓ ପୁରୁଷ ମାନେ ପ୍ରଶାସନକୁ ଘୋର ବିରୋଧ କରିଥିଲେ। ମେସିନ ଆଗରେ ଶୋଇ ପଡିବା ସହ ଭାଟି ଆଗରେ ଠିଆ ହୋଇ ନେହୁରା ହେଉଥିଲେ। ପ୍ରଶାସନକୁ ଗାଳି ଗୁଲଜ ମଧ୍ଯ କରିଥିଲେ। ପରିସ୍ଥିତି ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ୍ ବାଧ୍ୟ ହୋଇ ପୁରୁଷ ଓ ମହିଳାଙ୍କୁ ଉଠାଇଥିଲା। ଯାହା ଫଳରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସମସ୍ତ ଇଟା ଭାଟି ଭଙ୍ଗା ଯାଇଥିଲା। ବେଆଇନ୍ ଇଟାଭାଟି ନିର୍ମାଣ କରି ଅସାଧୁ ବ୍ୟବସାୟୀମାନେ ପରିବେଶ ନଷ୍ଟ କରିବା ସହିତ ବାୟୁ ପ୍ରଦୂଷଣ ଓ ବିଶ୍ୱ ତାପମାନ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ପରିବେଶବିତ ମାନେ ନିନ୍ଦା ପ୍ରକାଶ କରିଛନ୍ତି। ଏପରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବାରୁ ଗୋପ ତହସିଲଦାର ଓ ପୋଲିସ୍ ପ୍ରଶାସନକୁ ସାଧାରଣରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ଗୋପ ତହସିଲ ଅଧିନରେ ଥିବା ସମସ୍ତ ଅଞ୍ଚଳରେ ଆହୁରି ବ୍ୟାପକ ଚଢାଉ ଜାରି ରହିବ ବୋଲି ତହସିଲଦାର ଶ୍ରି ଦାଶ କହିଛନ୍ତି। ଏହି ଚଢାଉ ବେଳେ ପୁରୀ ଜିଲ୍ଲା ଖଣିଜ ଅଧିକାରୀ ସମୀର ମିଶ୍ର, ଅତିରିକ୍ତ ଖଣିଜ ଅଧିକାରୀ ବିଶ୍ୱଜିତ୍, ଗୋପ ଥାନା ଅଧିକାରୀ ଦୂର୍ଗା ଚରଣ ମହାପାତ୍ରଙ୍କ ସମେତ ସମସ୍ତ ତହସିଲ, ପୋଲିସ, ଅଗ୍ନିଶମ ଓ ଖଣିଜ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
