ଘଣ୍ଟ ଶଙ୍ଖ ହୁଳହୁଳିରେ କମ୍ପିଲା ତରାପୁର ମା ହିଙ୍ଗୁଳା ମନ୍ଦିର

ଘଣ୍ଟ ଶଙ୍ଖ ହୁଳହୁଳିରେ କମ୍ପିଲା ତରାପୁର ମା ହିଙ୍ଗୁଳା ମନ୍ଦିର

ଯାଜପୁର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଂଚାୟତ ତରାପୁର ଗ୍ରାମର ଆରାଧ୍ୟା ଦେବୀ ଅଗ୍ନି ସ୍ୱରୂପିଣି ମା ହିଙ୍ଗୁଳାଙ୍କ ୯୦ତମ ମହାଯଜ୍ଞୋତ୍ସବ ଆସନ୍ତା ଅପ୍ରେଲ ମାସ ୧ ତାରିଖରୁ ୯ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ବେଳେ ଶୁକ୍ରବାର ଅପରାହ୍ନ ପ୍ମାୟ ୧୨.୨୦ ମିନିଟ୍ ସମୟରେ ମା ହିଙ୍ଗୁଳାଙ୍କ ଆବିର୍ଭାବ ହୋଇଛି । ମା ହିଙ୍ଗୁଳାଙ୍କ ଆବିର୍ଭାବ ହେବା ଫଳରେ ସ୍ବତଃ ପଣା ହାଣ୍ଡିରେ ଘୋଡ଼ା ହୋଇଥିବା ପାଟରେ ଅଗ୍ନି ସଂଯୋଗ ହୋଇଯାଇଥିଲା । ପରେ ପୂଜକ ଏହି ଅଗ୍ନିରୁ ଅଗ୍ନି ନେଇ ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରିଥିଲେ । ତେବେ ମା ହିଙ୍ଗୁଳାଙ୍କ ଆବିର୍ଭାବ ସମୟରେ ସ୍ଥାନୀୟ ଅଂଚଳ ଲୋକାରଣ୍ୟ ହୋଇ ଉଠିଥିଲା ଏବଂ ବାଦ୍ୟ ଯନ୍ତ୍ର ଘଣ୍ଟ ଶଙ୍ଖ ହୁଳହୁଳିରେ ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା। ମା ହିଙ୍ଗୁଳାଙ୍କ ପୂଜା ନିମନ୍ତେ ସ୍ଥାନୀୟ ଅଂଚଳରେ ରାତ୍ରି ସମୟରେ ପାକ ନିଷେଧ ହେବା ସହିତ ଅଂଚଳର ପ୍ରାୟ ୫ କିମି ବ୍ୟାସାର୍ଦ୍ଧରେ ଆମିଷ ପଦାର୍ଥ ବିକ୍ରି ନିଷେଧକୁ ସ୍ଥାନୀୟ ଲୋକେ ସ୍ବତଃ ପ୍ରବୃତ ଭାବେ ପାଳନ କରୁଛନ୍ତି। ତେବେ ଶୁକ୍ରବାର ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ଏହି ଦିନ ସ୍ବୟଂ ମା ଆବିର୍ଭୂତା ହୋଇସାରିଥିବା ବେଳେ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟକ ପରିବେଷଣର କାଯ୍ୟକ୍ରମ ରହିଥିବା ବେଳେ । ୪ ତାରିଖ ଶନିବାରର ମଧ୍ୟ ସମାନ କାଯ୍ୟକ୍ରମ ରହିବ ବୋଲି ଆଂଚଳିକ ହିଙ୍ଗୁଳା କମିଟି ତରାପୁର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୫ ତାରିଖ ରବିବାର ରାତ୍ର ୪ ଘଟିକାରେ ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯିବା ସହିତ ନାମ ସଂକୀର୍ତ୍ତନରେ ଖଣ୍ଡ ମଣ୍ଡଳ ପ୍ରକମ୍ପିତ ହେବା ସହ ପ୍ରଭାତରେ ଯଜ୍ଞ ଚରୁ ବଣ୍ଟନ କରାଯିବା ପରେ ସନ୍ଧ୍ୟାରେ ନାଟକ ପରିବେଷଣ କରାଯିବ । ସେହିପରି ୬ ତାରିଖ ସୋମବାର ନାମଯଜ୍ଞ କମିଟି ଏବଂ ଭକ୍ତମାନଙ୍କ ଉପସ୍ଥିତିରେ ନଗର ପରିକ୍ରମା କରାଯିବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଏହି ଦିନ ଆଂଚଳିକ ହିଙ୍ଗୁଳା ନାମଯଜ୍ଞ କମିଟି ଦ୍ବାରା ଚୈତ୍ର ପୂର୍ଣ୍ଣିମା ଦିନ ୨୪ ପ୍ରହର ନାମଯଜ୍ଞର ଶୁଭାଧିବାସ କାଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୯ ତାରିଖ ଗୁରୁବାର ସକାଳ ୮ ଘଟିକା ସମୟରେ ମହାମାୟୀଙ୍କ ମହାସ୍ନାନ କରାଯିବା ପରେ ୯ ଘଟିକାରେ ବାଲ୍ୟଲୀଳା ଏବଂ ଅପରାହ୍ନ ୧ ଘଟିକାରେ ପବିତ୍ର ଯଜ୍ଞଭସ୍ମର ବିସର୍ଜନ ଶୋଭାଯାତ୍ରା ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ପୂର୍ବରୁ ପୂଣ୍ୟତୋୟା ବୈତରଣୀ ନଦୀରେ ବିସର୍ଜନ କରାଯିବ ବୋଲି ଆଂଚଳିକ ହିଙ୍ଗୁଳା କମିଟି ସଭାପତି ନରୋତ୍ତମ ଜେନା ଏବଂ ସମ୍ପାଦକ ନନ୍ଦକିଶୋର ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *