ବ୍ଲକ୍ ସ୍ତରୀୟ ନିଷ୍ଠା-ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷକ ତାଲିମ ଉଦଯାପିତ

ବ୍ଲକ୍ ସ୍ତରୀୟ ନିଷ୍ଠା-ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷକ ତାଲିମ ଉଦଯାପିତ

ବିଦ୍ୟାଳୟରେ ପାଠ ପଢୁଥିବା ବିଭିନ୍ନ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ତଥା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଚିକିଟୀଙ୍କ ମିଳିତ ଆନୁକୂଲ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ନିଷ୍ଠା ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ପଞ୍ଚ ଦିବସୀୟ ତାଲିମର ଦ୍ଵିତୀୟ ଓ ଶେଷ ପର୍ଯ୍ୟାୟ ଚିକିଟୀ ବ୍ଲକ୍ ଅନ୍ତର୍ଗତ ରାଜକବି ରାଧାମୋହନ ବିଦ୍ୟାପୀଠରେ ଚଳିତ ମାସ ୧୪ ତାରିଖରୁ ୧୮ ତାରିଖ ଯାଏଁ ଅନୁଷ୍ଠିତ ହୋଇ ଯାଇଛି।
ବିବିଧତାପୂର୍ଣ୍ଣ ଅନ୍ତର୍ନିବେଶୀ ଶ୍ରେଣୀ କକ୍ଷ, ସମସ୍ତ ଏକୋଇଶ ପ୍ରକାର ଦିବ୍ୟାଙ୍ଗତା, ସ୍ଵତନ୍ତ୍ର ଆବଶ୍ୟକତା ଥିବା ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମନ୍ତେ ଶିକ୍ଷାଗତ ବ୍ୟବସ୍ଥା, ଅନ୍ତର୍ନିବେଶୀ ଶ୍ରେଣୀ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାର୍ବଜନୀନ ଶିକ୍ଷଣ ଢାଞ୍ଚା, ଭାଷା ଓ ପରିବେଶ, ଗଣିତ ଓ ବିଜ୍ଞାନ, ଶାରୀରିକ ଓ ଅନୁକୂଳିତ ଶିକ୍ଷା, ବ୍ୟକ୍ତିଗତ ଶୈକ୍ଷିକ ଯୋଜନା ପ୍ରସ୍ତୁତି, ଗୃହ ଭିତ୍ତିକ ଶିକ୍ଷାଦାନ, ପ୍ରଶସ୍ଥ ଆପ୍ ଆଦି ବିଷୟରେ ବିଶଦ ଆଲୋଚନା କରାଯାଇ ସକ୍ରିୟାତ୍ମକ ତାଲିମ ପ୍ରଦାନ କରା ଯାଇଥିଲା। ଚିକିଟୀ ବ୍ଲକର ପିତାତଳି, ଗୋବିନ୍ଦ ନଗର, ଗିରିଶୋଲା, ସୁନପୁର, ଝାଟିପଦର କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକ/ଶିକ୍ଷୟିତ୍ରୀ ମୋଟ ୪୮ ଜଣ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରକାଶ ଥାଉ କି ଚଳିତ ମାସ ୭ ତାରିଖରୁ ୧୧ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ତାଲିମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୋଟ ୪୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ। ବ୍ଲକ୍ ସ୍ତରୀୟ ସମ୍ବଳ ଶିକ୍ଷକ ବଦ୍ରିନାଥ ପଣ୍ଡା, ନରସିଂହ ପତି, ବୈଶାଳୀ ବେରିହା, ସୁଜାତା ପାଣିଗ୍ରାହୀ ଓ ତାରା ପ୍ରସାଦ ପ୍ରଧାନ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ। ପ୍ରଶିକ୍ଷଣର ଅନ୍ତିମ ଦିବସରେ ପ୍ରତ୍ୟେକ ଶିକ୍ଷକ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ପୁସ୍ତିକା ପ୍ରଦାନ କରା ଯାଇଥିଲା। ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପନ୍ନଗ ଭୂଷଣ ମାଝୀ, ଏ.ବି.ଇ.ଓ ତଥା ବି.ଆର୍.ସି.ସି ଶ୍ରୀ ତ୍ରିନାଥ ମଲ୍ଲିକ, ପୂର୍ବତନ ଏ.ବି.ଇ.ଓ ତଥା ବି.ଆର୍.ସି.ସି ଶ୍ରୀ ନିଗମାନନ୍ଦ ପଣ୍ଡା ଓ ରାଜକବି ରାଧାମୋହନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ମହାନ୍ତି ତାଲିମ କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାର ମାନଦଣ୍ଡକୁ ଉନ୍ନତି କରିବା, ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ଶିକ୍ଷାଦାନ ଦେବା ବିଷୟରେ ବି.ଆର୍.ସି ଶ୍ରୀ ମଲ୍ଲିକ ବୁଝାଇ କହିଥିଲେ। ପ୍ରଶିକ୍ଷଣର ଉଦ୍ଦେଶ୍ୟ, ଲକ୍ଷ୍ୟ ବିଦ୍ୟାଳୟ ସ୍ତରରେ ସମସ୍ତ ପ୍ରକାର ଶିକ୍ଷାର୍ଥୀଙ୍କ ପାଇଁ କିପରି ଉପଯୋଗୀ ହୋଇ ପାରିବ, ସେ ବିଷୟରେ ବୁଝାଇ କହିବା ସହିତ ସାର୍ବଜନୀନ ଶିକ୍ଷଣ ଢାଞ୍ଚା ଶ୍ରେଣୀକକ୍ଷରେ ଯେପରି ବାସ୍ତବ ପ୍ରୟୋଗ ହୋଇ ପାରିବ, ସେ ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ଆଲୋକପାତ କରିଥିଲେ। ସମସ୍ତ ସି.ଆର୍.ସି ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଚିକିଟୀଙ୍କ ପୂର୍ଣ୍ଣ ସହଯୋଗରେ ତାଲିମ କାର୍ଯ୍ୟ ସୁଚାରୁରୂପେ ସଂପାଦନ ହୋଇଥିଲା। ବ୍ଲକ୍ ସମ୍ବଳ ଶିକ୍ଷକ ତାରା ପ୍ରସାଦ ପ୍ରଧାନ ତାଲିମ କାର୍ଯ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *