“ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ” ମଧ୍ୟରେ ବୈଷୟିକ ସହାୟତା ବୁଝାମଣା ପତ୍ର ସ୍ୱାକ୍ଷରିତ

ପ୍ରବାସୀ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏବଂ “ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ” ମଧ୍ୟରେ ବୈଷୟିକ ସହାୟତା ବୁଝାମଣା ପତ୍ର ସ୍ୱାକ୍ଷରିତଭୁବନେଶ୍ୱର, ତା- ୪ ଡିସେମ୍ବର ୨୦୨୫ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ପହଞ୍ଚକୁ ସୁଦୃଢ କରିବା ନିମନ୍ତେ ଓଡ଼ିଶା ସରକାର ଏବଂ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ( ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍) ମଧ୍ୟରେ ଏକ ବୈଷୟିକ ସହାୟତା ଚୁକ୍ତି ଗତକାଲି ଗୁରୁବାର ଲୋକସେବା ଭବନରେ ସ୍ୱାକ୍ଷରିତ ହୋଇଯାଇଛି । ଏହି ଭାଗୀଦାରିର ଉଦ୍ଦେଶ୍ୟ ହେଉଛି-ଶ୍ରମିକ ପରିବାରମାନେ ରାଜ୍ୟ ଭିତରେ ଯେଉଁ ସ୍ଥାନକୁ ଶ୍ରମ ବା କାର୍ଯ୍ୟ ଉଦ୍ଦେଶ୍ୟରେ ଯାଉଛନ୍ତି, ସେଠାରେ ସେମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶ୍ରମଭିତ୍ତିକ ଯୋଜନାରେ ଥିବା ସୁବିଧା ଭଳି ଆବଶ୍ୟକୀୟ ସେବା ନିରନ୍ତରତାକୁ ସୁନିଶ୍ଚିତ କରିବା । ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ପକ୍ଷରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଏବଂ ଓ୍ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ପ୍ରତିନିଧି ତଥା ଦେଶ ପ୍ରତିନିଧି (କଣ୍ଟ୍ରି ଡିରେକ୍ଟର),ଭାରତ ଏଲିଜାବେଥ ଫୋର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରମ ବିଭାଗ ସଚିବ ଶ୍ରୀମତୀ ଆରୁମୁଗମ କହିଥିଲେ ଯେ, ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କିପରି ସୁବିଧାରେ ଜନସାଧାରଣଙ୍କୁ ସେବା ପ୍ରଦାନ ସୁନିଶ୍ଚିତ କରାଯାଇପାରିବ, ସେଥିପାଇଁ ଡିଜିଟାଲ୍ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ଜିଲ୍ଲା ସୀମା ବଦଳିଲେ ମଧ୍ୟ ଜଣେ ଶିଶୁର ପୋଷଣ ଓ ସେମାନଙ୍କ ପାଇଁ ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନହେଉ, ପ୍ରତ୍ୟେକ ପ୍ରବାସୀ ପରିବାର ଯେଉଁଠି ଥିଲେ ବି, ସେଠାରେ ଯେପରି ଏକ ଭରସାଯୋଗ୍ୟ ସମାଜିକ ସୁରକ୍ଷା ବଳୟ ଭିତରେ ରହି ସୁବିଧା ପାଇପାରିବେ ସେଥିପାଇଁ ଏହି ବୈଷୟିକ ବୁଝାମଣା ସହାୟତା ଦେବ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ଡିରେକ୍ଟର କହିଥିଲେ ଯେ ଓଡ଼ିଶାର ଦୃଢ ସରକାରୀ ନେତୃତ୍ୱ ଓ ଡବ୍ଲୁଏଫପି ର ପ୍ରଯୌକ୍ତିକ ଦକ୍ଷତାକୌଶଳ ଏବଂ ସୃଜନଶୀଳତା ଦ୍ୱାରା ଆମେ ବିଶେଷ କରି ପୋଷଣଭିତ୍ତିକ ସାମାଜିକ ସୁରକ୍ଷା ବଳୟକୁ ସୁଦୃଢ କରିପାରିବୁ, ଯାହା ଫଳରେ ପ୍ରବାସୀ ମହିଳା, ପୁରୁଷ ଓ ଶିଶୁମାନେ ଯେଉଁଠି ଥିଲେ ବି, ସେଠାରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସେବା ପାଇପାରିବେ । ଏହି ସହଯୋଗର କେନ୍ଦ୍ରବିନ୍ଦୁ ହେଉଛି, ପ୍ରବାସୀ ପରିବାରଙ୍କୁ ଚିହ୍ନଟ କରି ସରକାରୀ ବ୍ୟବସ୍ଥାରେ ସେମାନଙ୍କୁ ସୁଲଭ ଖାଉଟି ସାମଗ୍ରୀ ଯୋଗାଣ, ପିଏମ୍ ପୋଷଣ, ସମନ୍ୱିତ ଶିଶୁ ବିକାଶ ଯୋଜନା, ବିଦ୍ୟାଳୟରେ ଶିଶୁମାନଙ୍କୁ ପଞ୍ଜୀକରଣ, ଟିକାକରଣ, ସ୍ୱାସ୍ଥ୍ୟ ସେବା ଏବଂ ଶ୍ରମ ସୁବିଧା ଭଳି ବିଭିନ୍ନ ଯୋଜନାର ସୁବିଧା ସୁନିଶ୍ଚିତ କରିବା ପାଇଁ ଏକ ସମନ୍ୱିତ ଡିଜିଟାଲ୍ ପ୍ଲାଟଫର୍ମ ବିକଶିତ କରିବା । ଏହା ଫଳରେ ମଲ୍ଟି-ମୋଡାଲ୍ ଆଲର୍ଟ, ଡ୍ୟାଶବୋର୍ଡ ଏବଂ ଡାଟା ବିଶ୍ଲଷଣ ମାଧ୍ୟମରେ ଯଥା ସମୟରେ ସେବା ପ୍ରଦାନ ନିଶ୍ଚିତ କରିବାରେ ଅଧିକାରୀମାନଙ୍କୁ ସହାୟତା ମିଳିବ । ଏଥି ସହିତ ଜନ ସଚେତନତା ଅଭିଯାନ ସହ ଏକ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମର ବ୍ୟବସ୍ଥା କରାଯିବ, ଯଦ୍ୱାରା ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ଆଗଧାଡ଼ିର କର୍ମୀମାନଙ୍କ କ୍ଷମତା ବୃଦ୍ଧି ଘଟିବ । ଭାରତରେ ପ୍ରାୟ ୧୦ କୋଟି ପ୍ରବାସୀମାନେ ଜାତୀୟ ମୋଟ ଘରୋଇ ଉତ୍ପାଦର ପ୍ରାୟ ୧୦% ଅବଦାନ ରଖୁଥିବା ବେଳେ, ଏହି ପ୍ରୟାସ ଓଡ଼ିଶାରେ ସମାଜିକ ସୁରକ୍ଷା ସୁନିଶ୍ଚିତ କରିବାରେ ଆବଶ୍ୟକତାକୁ ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଏହା ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏକ ସଂପ୍ରସାରଣକ୍ଷମ ମଡେଲ ଭାବେ କାର୍ଯ୍ୟକାରୀ ହେବ, ଯାହା ପରବର୍ତ୍ତୀ ସମୟରେ ଓଡ଼ିଶାରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଲକ୍ଷ୍ୟ ସାଧନ ଦିଗରେ ସହାୟତା ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *