କହଇ ମନ ଆରେ ମୋ ବୋଲ କର

କହଇ ମନ ଆରେ ମୋ ବୋଲ କର (୨)

  ✍🏼କବିରତ୍ନ ନୂତନ କୁମାର ବେହେରା

କହଇ ମନ ଆରେ ମୋ ବୋଲ କର
       ତୋ ଭିତରେ ଅଛି କି ନିରେଖି ଦେଖ ?
କାହିଁକି ଆସିଛୁ ତୁ ଏ ସଂସାର
             ବିବେକ ବିଚାରରେ ମହତ ରଖ।
ତୋ ଜୀବନ ପଥକୁ ଭାବି ସରଳ
              ଝୁଣ୍ଟି ପଡ଼ି ହେଉଛୁ ଲହୁ ଲୁହାଣ,
ଲକ୍ଷ୍ୟ ଯେ ପଥଠାରୁ ସଦା ଉତ୍ତମ
             ଏ କଥା ନବୁଝି ହେଉ ହଇରାଣ।
ସତ୍ୟ ହିଁ ଧରମ ସତ୍ୟ ହିଁ କରମ
             ସବୁ ଦେଖି ଜାଣି କହୁଛୁ ତୁ ମିଛ,
କାମନା କରୁ ତୁ ଅଶେଷ ଅସୀମ
              ସାଉଁଟୁ ଧନ ଜ୍ଞାନକୁ ଭାବି ତୁଚ୍ଛ।
ଆହାରେ ବିହାରେ କରୁନୁ ବିଚାର
            ଉପଭୋଗ ଭାବି କରୁ ଆଡ଼ମ୍ବର,
ଅସାର ଦୁନିଆଁରେ ଖୋଜୁନୁ ସାର
      କହଇ ମନ ଆରେ ମୋ ବୋଲ କର।
ସହଜ ସୁବିଧାରେ ରହିବାକୁ ଭଲ
        ଲୋଭ ମୋହରେ ପଡ଼ି କରୁଛୁ ପାପ,
କାଚ଼କୁ କାଞ୍ଚନ ସାଥେ କରୁ ତୁଲ
            ହୀନ କର୍ମ ପାଇଁ ପାଉ ଅଭିଶାପ।
ତୋ ଭିତରେ ଯେ ତୋର ମନ ହୃଦୟ
               ଆତ୍ମାକୁ ନ ଚିହ୍ନି କରୁ ଉପଦ୍ରବ,
ସଂଘର୍ଷ ନକରି ଚାହୁଁ ତୋର ଜୟ
          ବିଫଳ ହୋଇ ଭୋଗୁଛୁ ଅବସାଦ।
ବିଧାତା ଦେଇଛନ୍ତି ସଂସାରେ ସବୁ
              ନିଜର ବୁଦ୍ଧିରେ କର ଅଭିଯାନ,
ଦରକାର ଯାହା ପରିଶ୍ରମେ ପାଇବୁ
            ସରସ ସୁନ୍ଦର ହୋଇବ ଜୀବନ।
ତୋ କଥାରେ ଚାଲେ କି ବିଧି ବିଧାନ
          ଚାହିଁଲେ ତୁ ହେବୁରେ ପରିବର୍ତ୍ତନ,
ଅଯଥା ଭାବି ତୁ ହେଉ ଉତ୍ତେଜିତ
          ଭାବୁନୁ ତୋ ପାଇଁ ନିଶ୍ଚିତ କଆଣ ?
ନିଜ ଇନ୍ଦ୍ରିୟକୁ କର ନିୟନ୍ତ୍ରଣ
          ତା’ ବଶରେ ରହି ତୁ ଝରାଉ ଲୁହ,
ନ ନେବାରୁ ତୁ ପରମଙ୍କ ଶରଣ
      ତୋତେ ଜାଳୁଛି ସଦା ତୋ ଅନ୍ତର୍ଦାହ।
ସଂପୂର୍ଣ୍ଣ ସମର୍ପଣେ ଅଛି ମୁକତି
            ଯେମିତି ସେମିତି ବଞ୍ଚି ମରିଗଲେ,
କିଏ ବା କାହା ପାଇଁ ଝରାଏ ଲୁହ
           ମହତ କରମ ଯେ ତୁ ନ କରିଲେ।
ଭବ ସାଗରରୁ କୂଳକୁ ତୁ ଯିବୁ
         ଜୀବ ଯିବ ଦିନେ ରହେନା ଘଟରେ,
ସବୁକୁ ହେତୁ କରି ହୁଅ ସଜାଗ
       ଦେଖା ହୁଏ ଖାଲି ବାଟରେ ଘାଟରେ। 
କିଏ ତୋ ନିଜର କିଏ ସାତପର
                ସତ୍ୟକୁ ଅନୁଭବୀ କର କରମ, 
ମହାପ୍ରଭୁଙ୍କୁ ଜପ ତୁ ନିରନ୍ତର
     କହଇ ମନ ଆରେ ମୋ ବୋଲ କର…।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,       କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *