ନିଦର ବୟସ ସ୍ବପ୍ନର ଆୟୁଷ

     ନିଦର ବୟସ ସ୍ବପ୍ନର ଆୟୁଷ

🖊️କବିରତ୍ନ ନୂତନ କୁମାର ବେହେରା

ନିଦର ବୟସ ସ୍ବପ୍ନର ଆୟୁଷ ନ ଜାଣି
କେହି କେବେ ନ ଦେଖି ନ ବିଚାରି ପୁଣି
ରଖିଥାନ୍ତି ଅଗାଧ ଭରସା ଦୃଢ଼ ବିଶ୍ଵାସ
ପରସ୍ପର ମଧ୍ୟେ ପ୍ରେମ ଭାବ ଥାଏ ଅଶେଷ
ତାଙ୍କ ସାନ୍ନିଧ୍ୟର ଆପଣାପଣ ଅସୀମ
ନିର୍ବିକାର ରଖି ଅନୁଭବ କରନ୍ତି ଅନୁପମ
ଆସ୍ଥାରେ ତାଙ୍କର ନ ଥାଏ ଅଭାବ
କିଛି ଏକକରେ ମାପିବା ହୁଏନା ସମ୍ଭବ
ଜଣେ ଜଣକ ଉପରେ ବିସ୍ତାରେ ପ୍ରଭାବ
ସାଉଁଟିବାକୁ ଇପ୍ସିତ ଇଚ୍ଛାର ବିଭବ 
ଉଭୟଙ୍କର ଏ ପବିତ୍ର ସଂପର୍କ
ସନ୍ଦେହର ଗ୍ଳାନିରେ କରନ୍ତି ନାହିଁ ତର୍କ
ଆଖିର କୋଣରେ ତାଙ୍କର ମିଳନ
ମନର ଆବେଗରେ କରନ୍ତି ଆଲିଙ୍ଗନ
ଆସେ ଯେତେ ରାତି ଆଶାର ଶେଯ ପାରି
ଶୋଇଥିଲେ ଆଖିରେ ସ୍ବପ୍ନ ଯାଏ ଭରି
ଆତ୍ମ ସମର୍ପଣର ପ୍ରୀତିରେ କରେ ସନ୍ତର୍ପଣ
ଅପର୍ଯ୍ୟାପ୍ତ ସେ ପ୍ରୀତି ବନ୍ଧନର ଶିହରଣ
ଅସରନ୍ତି ସେ ପ୍ରେମ ଉଦ୍ଦୀପ୍ତ ଅନୁରାଗ
ଭାବ ଭାବନାକୁ କରନ୍ତି ଉପଯୋଗ
ହର୍ଷ ଉଲ୍ଲାସରେ ରୂପରଙ୍ଗର ହୁଏ ବିନ୍ୟାସ
ଉଛୁଳି ପଡୁଥାଏ ପ୍ରାଣର ପୁଲକରୁ ହସ
ବସନ୍ତର ଫଗୁଣରେ ବିଞ୍ଚିଥାନ୍ତି ମଧୁ ମହକ
ଚିରନ୍ତନ ପ୍ରେମର ହୋଇଥାନ୍ତି ପ୍ରତୀକ
ରିକ୍ତ ପ୍ରାଣକୁ ସିକ୍ତ କରି ରହିଥାନ୍ତି ଆସକ୍ତ
ଆଖି କେବେ ସ୍ବପ୍ନରୁ ହୁଏ ନାହିଁ ମୁକ୍ତ
ପ୍ରକାଶ କରୁଥାଏ ତାର ମନର ଅଭିବ୍ୟକ୍ତି
ଅନ୍ତର ଭିତରରୁ ଆସେ ଅମାପ ଶକ୍ତି 
ଜୀବନକୁ କରିବା ପାଇଁ ସରସେ ରୁଦ୍ଧିମନ୍ତ
ନିଦ୍ରିତରେ ସବୁ କିଛି ଲାଗୁଥାଏ ଜୀବନ୍ତ
ରାତି ପରେ ରାତି ପାହି ସମୟ ଯାଏ ବିତି
ମିଳନରେ ତାଙ୍କର ଆସେ ନାହିଁ ପରିସମାପ୍ତି
ନିଦରୁ ସପନ ଯାଏ ନାହିଁ କେବେ ହଟି
ସେ ଫୁଲ ପରି ହସି ନିତି ଉଠୁଥାଏ ଫୁଟି
ଲୋଡ଼ାହୁଏ ଖାଲି ହୃଦୟର ଭରସା ବିଶ୍ଵାସ
ନ ଜାଣି ବି ନିଦର ବୟସ ସ୍ବପ୍ନର ଆୟୁଷ
ତାଙ୍କର ଏ ପ୍ରେମରେ ନ ଥାଏ ପ୍ରତିବନ୍ଧକ
ଦୁହେଁ ଦୁହିଁଙ୍କର ହୋଇ ରୁହନ୍ତି ପରିପୂରକ।

         ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ
            ନବସୃଜନ ଇ-ପତ୍ରିକା
        କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *