ସୁନ୍ଦର ତୃପ୍ତିର ଅବସାଦ ନାହିଁ
ସୁନ୍ଦର ତୃପ୍ତିର ଅବସାଦ ନାହିଁ
( ରାଗ — ବିଭାସ କେଦାର )
🖊️କବିରତ୍ନ ନୂତନ କୁମାର ବେହେରା
ଧରିତ୍ରୀର ଶିରୀ’ ବଢ଼ାଏ ପ୍ରକୃତି’,
ତାର ରୂପ ରଙ୍ଗ’ ପ୍ରକାଶଇ ଜ୍ୟୋତି’ ।
ଅନାଦି ଜଗତେ ବିଧାତା ଅନନ୍ତ,
ସବୁରି କଲ୍ୟାଣେ ସଦା ଦୟାବନ୍ତ ।
ନଦ ନଦୀ ଗିରି ସାଗର ବନାନୀ,
ଦେଖାନ୍ତି ଦୃଶ୍ୟର ନବ ନବ ଠାଣି ।
ଫେଡ଼ିଲେ ନୟନ ଦିଶନ୍ତି ପୁରତେ,
ହୃଦୟେ ଆନନ୍ଦ ଆସେ ଅପ୍ରମିତେ ।
ଦିବସେ ଭାସ୍କର ଦିଅନ୍ତି ଆଲୋକ,
ଝଟକି ଉଠଇ ଯେ ସାରା ମୁଲକ ।
ସର୍ବରୀରେ ଶଶୀ ଉଏଁ ହସି ହସି,
ତା’ ସ୍ନିଗ୍ଧ ପ୍ରଭାରୁ ସୁଧା ପଡ଼େ ଖସି ।
କଳ କଳ ନାଦେ ବହେ କଲ୍ଲୋଳିନୀ,
ଅନନ୍ତ ସାଗର ସାନ୍ନିଧ୍ୟ ଗାମିନୀ ।
ଗିରି ବନ ଶୋଭା ଅତି ମନୋହର,
ଲାଗଇ ସରସ ସବୁଜ ସୁନ୍ଦର ।
ପଶୁପକ୍ଷୀ ବୃକ୍ଷ ଲତା ଗୁଳ୍ମରାଜି,
ଦେଖି ଯେ ଦର୍ଶକେ ରହିଥାନ୍ତି ମଜି ।
ଋତୁ ନେଇ ଧରା ବଦଳାଏ ବେଶ,
ଏକ ପରେ ଏକ ହୁଏ ନାହିଁ ଶେଷ ।
ଛଅ ଋତୁରେ ଛପନ କୋଟି ଜୀବ,
ପ୍ରକୃତି କୋଳରେ ପାର୍ଥିବ ବିଭବ ।
ସଂଯୋଗ ସ୍ଥାପନେ ଗଢ଼ନ୍ତି ଜୀବନ,
ଶ୍ରମେ ଲଭିଥାନ୍ତି ଜ୍ଞାନ ଧନ ମାନ ।
ଗ୍ରୀଷ୍ମ ବର୍ଷା ହେମନ୍ତ ଶରତ ଶୀତ
ବସନ୍ତ… ସଭିଏଁ ଏକ ଏକ ମିତ ।
ଛଅ ଋତୁ ମଧ୍ୟେ ଶ୍ରେଷ୍ଠ ଯେ ବସନ୍ତ,
ତାର ଆଗମନେ ଭବ ଋଦ୍ଧିମନ୍ତ ।
ଫୁଲେ ଫୁଲେ ନାଚେ ମନ ପ୍ରାଣ,
ହୃଦୟରେ ଆସେ ନବ ଜାଗରଣ ।
କୁସୁମ ସୁବାସ ବିତରେ ମଳୟ,
ଏ ସାରା ସଂସାର ଲାଗେ ମଧୁମୟ ।
ରାଗ ରାଗିଣୀର ରାଣୀ ଯେ କୋଇଲି,
ତା’ ସ୍ଵନେ ବିରହୀ ଦୁଃଖ ଯାଏ ଭୁଲି ।
ବିଧାତାଙ୍କ ସୃଷ୍ଟି ଯେତେ ଅନୁପମ,
କୃତ୍ରିମ କେବେ ବି ହୁଏନା ତା’ ସମ ।
ସୁନ୍ଦର ତୃପ୍ତିର ଅବସାଦ ନାହିଁ,
ଆକର୍ଷଣେ ମନ ମୁଗ୍ଧ ହୁଏ ତହିଁ ।
ପ୍ରକୃତିର ଦାନେ ହସେ ମର୍ତ୍ତ୍ୟ ଭୂଇଁ,
ଜୀବନ ହୁଅଇ ଧନ୍ୟ ତାର ପାଇଁ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
