ହଲିଉଡ୍ ପରଦା ପଛରେ ଓଡ଼ିଆ ପୁଅର କମାଲ

କୋଣାର୍କ, ହଲିଉଡ୍ ରଙ୍ଗୀନ ପରଦା ପଛରେ କମାଲ କରୁଛନ୍ତି ଓଡ଼ିଆ ପୁଅ। କୋଣାର୍କ ନିକଟସ୍ଥ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତ ଭୋଗପଡ଼ା ଗ୍ରାମର ପ୍ରଦୀପ୍ତ ବିଶ୍ଵାଳ ଓ ମମତା ବିଶ୍ଵାଳଙ୍କ ପୁତ୍ର ହେଉଛନ୍ତି ଦୀପକ ବିଶ୍ଵାଳ(ମୁନା) । ସେ ଭୁବନେଶ୍ଵରରେ ଆନିମେସନ୍‌ ଆଉ ମଲ୍ଟିମିଡ଼ିଆରେ ଡିପ୍ଲୋମା ଶେଷକରି ମହାରାଷ୍ଟ୍ରର ପୁନେର ଚିନ୍ଟିୱାର୍ଡରେ ଏସ୍ଏମ୍ ଗୋଳି ଏଫ୍ଏକ୍ସ କମ୍ପାନୀରେ କାର୍ଯ୍ୟରତ ରହି ସେ ଭିଏଫ୍‌ଏକ୍ସ କଳାକାର ଭାବରେ ପ୍ରଥମେ ବଲିଉଡ଼ ସିନେମାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଜଣାପଡ଼ିଛି। ବଲିଉଡ଼ ସିମେମା ରେସ-୩, ଜିରୋ, ସର୍ଦାର, ମଣିକର୍ଣ୍ଣିକା, ଆଦିପୁରୁଷ ଇତ୍ୟାଦି ଅନେକ ହିଟ ଫିଲ୍ମରେ ସଫଳତାହ ସହ କାର୍ଯ୍ୟ କରିବା ସହିତ ଟଲିଉଡ଼ର ସୁପରହିଟ୍ ସିନେମା ‘ସୂର୍ଯ୍ୟ ଦ ସୋଲଜର’, ପୁଷ୍ପା-୨, ଅଲ ବୈକୁଣ୍ଡା ପେରୁମାଲ୍ ପରି ସିନେମାରେ କାର୍ଯ୍ୟ କରି ବହୁ ସଫଳତା ହାସଲ କରିଛନ୍ତି। ଏବେ ନେଟ୍‌ପ୍ଟିକ୍ସ ପ୍ରସାରିତ ହଲିଉଡ଼ ସିନେମା ‘ଏକ୍ସଟେରିଟୋରିଆଲ୍’ରେ ଭିଏଫ୍ଏକ୍ସ ଆର୍ଟିଷ୍ଟ୍ ଭାବରେ କାମ ଆରମ୍ଭକରିଛନ୍ତି । ଯାହାକି ଗତ ଏପ୍ରିଲ ୩୦ରେ ତାଙ୍କର ଏହି ସିନେମା ରିଲିଜ୍ ହୋଇସାରିଛି। ଖୁବ ଅଳ୍ପ ବୟସରେ ଦେଶ ବିଦେଶର ଅନେକ ସିନେମା ପରଦା ପଛର ନାୟକ ସାଜି ସେ ବହୁ ସଫଳତା ପାଇପାରିଛନ୍ତି । ରଙ୍ଗୀନ ପରଦାର ସେ ଜଣେ ସଫଳ ଭିଏସ୍ଏକ୍ସ କଳାକାର ଭାବେ ଗୋଟେ ପରେ ଗୋଟେ ସଫଳତାର ସିଡ଼ି ଚଢ଼ି ଓଡ଼ିଆ ଜାତିର ଟେକ ରଖୁଥ‌ିବା ନେଇ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି । ହଲିଉଡ଼ ଓ ବଲିଉଡ ସିନେମାର ଦୃଶ୍ୟ ଚିତ୍ରଗୁଡିକର ଉପଯୁକ୍ତ ସମ୍ପାଦନା କରି ଜାତୀୟ ଓ ଅନ୍ତର୍ଜାତୀୟ ସିନେ ଜଗତରେ ଦୀପକ ବହୁ ପ୍ରଶଂସା ଅର୍ଜନ କରିଛନ୍ତି। ଦୀପକ ତାଙ୍କର ସଫଳତାର ସମସ୍ତ ଶ୍ରେୟ ତାଙ୍କ ଜେଜେ ସ୍ଵର୍ଗତ ଭିକାରି ବିଶ୍ବାଳଙ୍କୁ ଦେଇଛନ୍ତି। ଦୀପକଙ୍କ ସଫଳତାକୁ ନେଇ ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତବାସୀ ଖୁସିହେବା ସହ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *