ବିଭୂଷଣ ପୁଷ୍ପେ ଯାହା ସୁନ୍ଦରତା
ଶୀର୍ଷକ _ଲାଜ
ରୀତାରାଣୀ ଦାଶ
ବାଲେଶ୍ୱର
ବିଭୂଷଣ ପୁଷ୍ପେ ଯାହା ସୁନ୍ଦରତା
ଦୃଶ୍ୟ ସ୍ୱର୍ଗ ଅପସରୀ
ପ୍ରକୃତ ଅର୍ଥରେ ଲାଜ ଶ୍ରେଷ୍ଠ ସିନା
ଅଳଙ୍କାର ଯେ ତାହାରି |
ସ୍ବର୍ଣ୍ଣ ଅଳଙ୍କାର ଉନ୍ନତ ପୋଷାକ
ପରିଧାନେ ରୂପବତୀ
ପବିତ୍ର ହୃଦୟ ଅଭାବ ଲକ୍ଷଣ
ରୂପେ କେଉଁ ପରିପାଟୀ |
ଲାଜ ଲାଜ ଠାଣି ମଧୁର ବଚନ
ମସ୍ତକ ଯାହାର ନତ
ଆଭୂଷଣ ତାର ଲୋଡ଼ା ନାହିଁ କିଛି
ନାରୀ ଶିରୋମଣି ସେ ତ |
ଚାଲି ଚଳଣିରେ ଦାନ ଧର୍ମ ହସ୍ତ
ବିନମ୍ର ସ୍ଵଭାଵ ଘେନି
ମନ ଜାଣି ତୋଷେ ପତି ପରିବାର
ସେ ଯେ ଉତ୍ତମ ରମଣୀ |
ନାରୀଙ୍କର ଲାଜ ଲୁକ୍କାୟିତ ଭାର
କରିଥାଏ ଯେ ବହନ
ନୟନର ଅଶ୍ରୁ କବାଟ କୋଣରେ
ପୋଛି ଦିଏ ସେହି ଜାଣ |
ତାହାର ଶରୀର ପସନ୍ଦଟି ତାର
ସ୍ୱର ଶକ୍ତିର ବିଚାର
ମାନ ଅଭିମାନ ନିର୍ଲଜ ଗୁଣର
ପାତ୍ରୀ ସମାଲୋଚନର |
ଅସୀମ ଧୈର୍ଯ୍ୟରେ ଉତ୍ଥାନ ପତନେ
ସଂଘର୍ଷ ରଖିଲେ ଜାରି
ଲାଜର ପାଥେୟେ ଅଗ୍ନି ପ୍ରଜ୍ବଳିତ
ଦୃଢ଼ ସଂକଳ୍ପ ଆବୋରି |
ଭୁଲିହୁଏ ନାହିଁ ତାହା ଲଜ୍ୟା ଶିକ୍ଷା
ଶକ୍ତିର ଏକ ସ୍ମାରକ
ସମାଜେ ଲାଜର ଶୃଙ୍ଖଳା ଭାଙ୍ଗେ ସେ
ନିଜ ନାମ ରଖେ ଟେକ |
ଆତ୍ମାକୁ ତାହାର ଉଡିବାକୁ ହୁଏ
ପ୍ରେମ, ସ୍ନେହ, ଦୟା ବାଣ୍ଟି
ବାସନା ବିତରେ ଧୂପ ଭଳି ଜଳି
ନାରୀ ଅଟଇ ଧରିତ୍ରୀ |
ଯାହା ନିର୍ଦ୍ଧାରିତ ବିଧି ନୁହେଁଁ ତାହା
ଓଢଣା ବିଧି ମସ୍ତକେ
ଦୁଇକୁଳ ହିତା ଲାଜ ସଂସ୍କାର ତା
ପ୍ରକୃତ ଚିତ୍ର ଚମକେ |
ସତ୍ୟର ସନ୍ଧାନେ ଲାଜ ଯେ ଶିକ୍ଷକ
ନୂତନ ଶିକ୍ଷା ସ୍ୱରୂପ
କୃତ କାର୍ଯ୍ୟ କ୍ଷତି ମାର୍ଗ ଦର୍ଶନରେ
ସୁଧାରେ ଆତ୍ମାର ରୂପ |
