ଷୋଳକଳାର କଳା ବଦନ

       ଷୋଳକଳାର କଳା ବଦନ
            ( ରାଗ — କାଳୀ )

🖊️କବିରତ୍ନ ନୂତନ କୁମାର ବେହେରା

ନନ୍ଦ ନନ୍ଦନ         କଳା ବଦନ 
          ଜଗତେ ଜଗନ୍ନାଥ,
ଚକା ନୟନ         ଆର୍ତ୍ତଭଞ୍ଜନ 
         ଦେଖାଅ ତୁମେ ପଥ।୧।
ଷୋଳ କଳାର      ହେ ଅଧୀଶ୍ଵର
         ପାଦେ ତୁମ ପ୍ରଣାମ,
ତୁମେ ଅନାଦି       ନାହିଁ ତ ଆଦି 
         ବ୍ରହ୍ମ ରୂପେ ପରମ।୨।
ଷୋଳଟି କଳା    ଅଙ୍ଗରେ ବୋଳା 
          ହୋଇ କଳା ବଦନ,
ତାର କାରଣେ     ରହି କଲ୍ୟାଣେ
         ଚଳାଅ ତ୍ରିଭୁବନ।୩।
ପ୍ରଥମ କଳା       ମୁକ୍ତି ମେଖଳା 
        ସଂସାରରୁ ” ନିବୃତ୍ତି “,
ଦ୍ଵିତୀୟ କଳା    ” ପ୍ରତିଷ୍ଠା “ମାଳା 
       ସତ୍ୟର ଯଶ ଖ୍ୟାତି।୪।
ତୃତୀୟେ ” ବିଦ୍ୟା ”   ଜ୍ଞାନର ସୁଧା 
          ଜନହିତେ ବିସ୍ତାର,
ଚତୁର୍ଥେ ” ଶାନ୍ତି ”       ଚିର ପ୍ରଶାନ୍ତି 
          ମନ ମସ୍ତିଷ୍କ ସ୍ଥିର।୫।
ପଞ୍ଚମ କଳା     ନାମେ ” ଇନ୍ଧିକା ” 
           ଆତ୍ମଶକ୍ତି ଜାଗୃତି,
ଷଷ୍ଠେ ” ଦୀପିକା ”   ସତ୍ୟ ମାଳିକା 
       ପ୍ରୟୋଗେ ଦିଅ ଶକ୍ତି।୬।
ସପ୍ତମ କଳା    ଅଟେ ” ରେଚିକା ” 
          ଦୁଷ୍ଟ ପ୍ରବୃତ୍ତି ଧ୍ଵଂସ,
ଅଷ୍ଟମ କଳା   ” ମୋଚିକା ” ଭେଳା 
    ମାୟା ମୋହକୁ ନାଶ।୭।
ନବମେ ” ପରା ”    କର ଯେ ପୂରା 
         ନବ ଲକ୍ଷ୍ୟ ସ୍ଥାପନ,
ଦଶମେ ” ସୂକ୍ଷ୍ମ ”      ସୃଷ୍ଟି ଅସୀମ 
         ସତ୍ୟର ରଖ ମାନ।୮।
ଏକାଦଶ ତ      ” ସୂକ୍ଷ୍ମ ଅମୃତ “
       ଉପଯୋଗେ ପ୍ରସାର,
ଦ୍ବାଦଶ କଳା    ” ଜ୍ଞାନ “ର ଲୀଳା
        ଭ୍ରମ ଭ୍ରାନ୍ତି ସୁଧାର।୯।
ତ୍ରୟୋଦଶ ତ     ” ଜ୍ଞାନ ଅମୃତ “
          ଭବେ କର ବଣ୍ଟନ,
ଚତୁର୍ଦ୍ଦଶରେ  ” ଅପ୍ୟାୟିନୀ ” ରେ 
      କର୍ମେ କର କଲ୍ୟାଣ।୧୦।
ପଞ୍ଚଦଶରେ   ” ବ୍ୟାପିନୀ ” ମନ୍ତ୍ରେ 
        କରାଅ ସର୍ବବ୍ୟାପୀ,
ଷୋଡ଼ଶ କଳା  ଯେ ” ବ୍ୟୋମରୂପା “
        ଆକାଶର ସ୍ଵରୂପୀ।୧୧।
ପ୍ରଭୁ ପରମ          ମହା ମହିମ 
          ବିଶ୍ଵ ବ୍ରହ୍ମାଣ୍ଡେ କର୍ତ୍ତା,
ରହି ସର୍ବତ୍ର          ଚିର ପବିତ୍ର 
       ଦିଅ ଯେ ସବୁ ବାର୍ତ୍ତା।୧୨।
ଜୀବନ ଡ଼ୋରି      ହାତରେ ଧରି 
         ତୁମେ ବିଶ୍ବବିହାରୀ,
ତୁମ ଚରଣେ       ରହି ଶରଣେ 
         ଭକତ ଯାଏ ତରି।୧୩।
ହେ ଜନାର୍ଦ୍ଦନ        କଳା ବଦନ 
          ସବୁର ଅଧିକାରୀ,
ସ୍ଵଚ୍ଛ ଚିନ୍ତନେ       ରହିଲେ ଧ୍ୟାନେ
         ଶୁଣିଥାଅ ଗୁହାରି।୧୪।
ତୁମ କରୁଣା         ହୁଏନା ଊଣା 
          ତୁମେ ଭକ୍ତ ବତ୍ସଳ,
କରୁଛି ଅଳି         ଆଶିଷ ଢ଼ାଳି 
       କର ହେ ସର୍ବ ମଙ୍ଗଳ।୧୫।

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *