ଚକାଆଖି ସର୍ବସାକ୍ଷୀ
ଶୀର୍ଷକ _ଚକାଆଖି ସର୍ବସାକ୍ଷୀ
ରୀତାରାଣୀ ଦାଶ
ବାଲେଶ୍ୱର
ଅଖ ଚକ ପରି ଘୁରୁଛି ଜୀବନ
ସାଥିରେ କେତେ ଯେ ସ୍ମୃତି
ସୁଖ ଓ ଦୁଃଖର ମିଶ୍ରଣେ ହୃଦୟ
ନୁହେଁ ଗଭୀର ତା ଗତି
ଅନେକ ଜନମ ସାକ୍ଷୀ,
ଜନମ ଜନମ ମାଲିକ ହେ ପ୍ରଭୁ
ଚକା ଆଖି ସର୍ବ ସାକ୍ଷୀ |
ଘୁରିବୁଲେ ତୁମ ସୁଦର୍ଶନ ଚକ୍ର
ପ୍ରାଣୀ ଆରତ ନାଶନ
ସମୟ ସ୍ରୋତରେ ଭସା ପ୍ରାଣେ ସାହା
ଆହେ ପତିତପାବନ
ନିଦା ବିଷ୍ଣୁ ସାଜିଲକି,
କଳ୍କୀ ଅବତାରେ ଦାରୁ ମୂରତି ହେ
ଖଡ୍ଗ ସାଥେ ଆସିବକି |
ସନ୍ତାପିତ ପ୍ରାଣେ ଆଶା ଭରସାରେ
ଭକତ ଯାଏ ମନ୍ଦିର
ଦୁଃଖ ଜଣାଇ ତ ପୟରେ ଲୋଟଇ
କୃପାକର ଚକ୍ରଧର
କାହିଁ ଦେଖାଅ ଭେଳିକି,
ଭକ୍ତ ପ୍ରାଣ ନିଧି ପ୍ରତିକ୍ଷଣେ ପରା
ରହିଅଛ ତାଙ୍କ ସାକ୍ଷୀ |
ଜଗଜ୍ଜନ ବନ୍ଧୁ ଆହେ କୃପାସିନ୍ଧୁ
ପ୍ରଭୁ ସହସ୍ର ଲୋଚନ
ବାଣ୍ଟିଦିଅ ତୁମ ଆଶିଷର ବିନ୍ଦୁ
କଳୁଷ ହେଉ ହେ ଲୀନ
ଭାବଗ୍ରାହୀ ଲକ୍ଷ୍ମୀପତି,
ମାନବ ଜୀବନ ଦୁର୍ଲ୍ଲଭ ଅଟଇ
ପୂଣ୍ୟ କର୍ମେ ରଖୁ ମତି |
ଅବିରତେ ହେଉ ସତ୍ୟ ଧର୍ମ ଜୟ
ପୂଣ୍ୟାତ୍ମା ଲଭୁ ଆଶିଷ
ପାପୀ ଦୁରାଚାରୀ କର୍ମ ଫଳ ଭୋଗୁ
କୃପାକର ଜଗଦୀଶ
ହର୍ତ୍ତା କର୍ତ୍ତା ଏ ବିଧାତା,
ସର୍ବ ସାକ୍ଷୀ ପ୍ରଭୁ ନିରାକାର ସ୍ୱୟଂ
ତ୍ରିପୁରର ରକ୍ଷା କର୍ତ୍ତା |
