ଝର୍କା ସେ ପାଖାର ରକ୍ତ ଗୋଲାପ
ଝର୍କା ସେ ପାଖାର ରକ୍ତ ଗୋଲାପ
🖋️କବିରତ୍ନ ନୂତନ କୁମାର ବେହେରା
ତୁମେ ଶୁଭ୍ରା ସ୍ନିଗ୍ଧା ଅନୁପମ ଶୋଭାଶ୍ରୀର ଆଭା
ଝର୍କା ସେ ପାଖର ସଜଫୁଟା ରକ୍ତ ଗୋଲାପ,
ମୁଁ ଘନ ଅନ୍ଧକାରର ଆବଦ୍ଧ କୋଠରୀରେ
ଅଟକ ରହି ଭୋଗୁଛି ସନ୍ତପ୍ତ ପ୍ରାଣର ପିଡ଼ା
ନିଷ୍ଠୁର ଏ ସମୟ କରେ ମୋତେ ବିଦ୍ରୂପ।
ଲାଗେ ଏ କି ଅବାଞ୍ଛିତ କ୍ରୂର ଅଭିଶାପ
ପ୍ରାୟଶ୍ଚିତ କରୁଛି ଅଜଣା ପ୍ରାରବ୍ଧର ପାପ ?
ଭଲ ପାଇବାର ଅମିୟ ଢ଼ାଳି ଦେଇ ଅନ୍ତରରୁ
ତୁମକୁ ଦେଖେ ବିସ୍ଫାରିତ ଦୁଇ ନୟନେ
ମୋ ଭାବନା ଲମ୍ବିଯାଏ ଅପରାହ୍ନର ଛାଇ ପରି
ବହୁ ଦୂର ଦୂରାନ୍ତକୁ ତା’ କାୟା ବିସ୍ତାର କରି
ଝରେ ଧାର ଧାର ସନ୍ତାପର ଲୁହ ଅମାପ।
ନିର୍ଜନେ ନିଃସହାୟେ କରେ ନୀରବ ବିଳାପ
ଆଉ ମାନସିକ ଚାପର ଭାରରେ ପ୍ରଳାପ,
ସତେଜ କମନୀୟା ଲୋଭନୀୟା ସୌନ୍ଦର୍ଯ୍ୟ
ଆକର୍ଷି ନିଏ ମୋତେ ତୁମର ଅନିନ୍ଦ୍ୟ ରୂପ
ତାର ସମ୍ମୋହନେ ହୋଇଯାଏ ମୁଁ ନିର୍ବାକ୍
ପବିତ୍ର ପ୍ରେମର ମହାଯଜ୍ଞେ ନିଜକୁ ଦିଏ ଆହୁତି
ମହନୀୟ ଗୁଣେ ତୁମର ତନୁମନ ଯେ ନିଷ୍ପାପ।
ସ୍ବପ୍ନର ସମ୍ଭାରରେ ତୁମେ ଭରିଦିଅ ମହକ
ମନର ସଫେଦ କାଗଜେ ଲେଖି ହୋଇଯାଏ
ବିଦଗ୍ଧ ପ୍ରାଣର ହଜାରେ ଦଗ୍ଧିଭୂତ ଅଶ୍ରୁଳ ଗପ,
ହାତ ଲମ୍ବାଇଲେ ପାହଞ୍ଚେନା ରହେ ବହୁ ଦୂରେ
ହୋଇ ନିଷ୍ଫଳ ବ୍ୟର୍ଥରେ ଭୋଗୁଛି ଖାଲି ତ୍ରିତାପ।
ମନ ବୁଝେନା ହୃଦୟ ଭାଙ୍ଗି ହୁଏ ଚୁନା ଚୁନା
ଅସହାୟ ନିରୁପାୟରେ ବଞ୍ଚିଛି କେବଳ
ଜୀବନରେ ଖୋଜି ଚାଲେ ଆଉ କିଛି ବିକଳ୍ପ,
ଭାଗ୍ୟର ବିଡମ୍ବନାକୁ ତର୍ଜମା କରି କରି
ମ୍ରିୟମାଣର ଯନ୍ତ୍ରଣାରେ କରୁଛି ଅନୁତାପ।
ବର୍ତମାନରୁ ଭବିଷ୍ୟତ ଯାଏଁ ଭାବି ହୁଏ ବିବ୍ରତ
ଆସେ ଅନିଚ୍ଛାକୃତ ଅସମୟର ଲଘୁଚାପ,
ଦେଖେ ତୁମକୁ ପାଇବାକୁ ହୃଦେ ଟିକିଏ ସାନ୍ତ୍ଵନା
ଥିଲେ ବି ତୁମେ ଅନତି ଦୂରର ହାତ ଅପହଞ୍ଚରେ
ହୋଇ ଏକ ଝର୍କା ସେ ପାଖାର ରକ୍ତ ଗୋଲାପ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
