ଶ୍ରାବଣର ଶ୍ରାବଣୀ
ଶ୍ରାବଣର ଶ୍ରାବଣୀ
🖊️କବିରତ୍ନ ନୂତନ କୁମାର ବେହେରା
ନବ ଯୌବନା ନବ ନବୀନା ଅଲିଅଳି ଲଳନା ପରି
ନୁହେଁ ଶ୍ରାବଣର ଶ୍ରାବଣୀ ସେ ଅଭିଜ୍ଞା ସ୍ଵୟଂ ସଂପୂର୍ଣ୍ଣା
ସହିଛି ସେ ନିଦାଘର ଅସହ୍ୟ ଦାରୁଣ ଯନ୍ତ୍ରଣା
ଭିଜିଛି ଆଦ୍ୟ ଆଷାଢ଼ର ଢୋ ଢୋ ବର୍ଷା ମାଡ଼ରେ
ହସ ଲୁହକୁ ସାଉଁଟି ଚାଲିଛି ଜୀବନର ଗତିପଥରେ
ସେ ରୂପସୀ କୁଳବଧୂ ରମଣୀୟା କର୍ମ ନିପୁଣା
ଅଭିସାର ରଚେ ଅଭିସାରିକାର ସୁରମ୍ୟା ବେଶରେ
ପ୍ରୀତିର ମହକଭରା କଦମ୍ଵ ଖୋସି ତା’ ଗଭାରେ
ସାତ ସୁରର ରାଗିଣୀ ତୋଳି ଆସେ ଶ୍ରାବଣରେ
ଉଡ଼େ କଳା ଧଳା ମେଘର ଓଢ଼ଣୀ ଆକାଶ ବୁକୁରେ
ସୁନ୍ଦର ପୁଚ୍ଛ ଟେକି କେକୀ ନାଚେ ଆତ୍ମବିଭୋରେ
ତା’ ପାଶେ ଆସେ କେକିନୀ ସାଜି ପ୍ରଣୟିନୀ
ଆହ୍ଵାନ ଦିଏ ବଜାଇ ବାଜା ଶଙ୍ଖ ହୁଳହୁଳିରେ
ଗଗନ ପବନ ସ୍ତମ୍ଭିତ ହୁଏ ତା’ ଘଡ଼ଘଡ଼ି ଶବ୍ଦ ଶୁଣି
ରୋଷଣି ବୁଣି ଚମକେ ଚମକାଏ ସୌଦାମିନୀ
ଦର୍ଦ୍ଦୁରର ରବ ଚହଳ ପକାଏ ନୀରବ ରହେ ପିକ
ମହାମିଳନର ମହୋତ୍ସବେ ମାତନ୍ତି ଅମ୍ଵର ଧରିତ୍ରୀ
ପ୍ରେମର ବର୍ଷାରେ ଭିଜି ମୁଲକକୁ ଭିଜାନ୍ତି ବେନି
ଛାଡ଼ି ଗଲେ ବର୍ଷା ଆକାଶରେ ଦିଶେ ଇନ୍ଦ୍ରଧନୁ
ସାତ ରଙ୍ଗ ତାର ଆକର୍ଷି ପ୍ରଚାରେ ଶାନ୍ତିର ବାଣୀ
ଶୋଭାଶ୍ରୀର ସୁଷମାରେ ମନ୍ତ୍ରମୁଗ୍ଧା ଦିଶେ ମେଦିନୀ
ଶସ୍ୟ ଶ୍ୟାମଳର ଫସଲରେ ପୂରିଯାଏ କିଆରି
ବୃକ୍ଷଲତାର ଘଞ୍ଚ ପଲ୍ଲବେ ସବୁଜ ଦିଶେ ବନାନୀ
ମଠ ଏଡ଼ି ମନରୁ କର୍ମଠ ହୁଅଇ କୃଷିରେ କୃଷକ
ବିଲେ ବନେ ଉପବନେ ଫୁଟେ ନାନି ଜାତି ସୁମନ
ତା’ର ମଧୁ ମହକେ ହସି ହସାଏ ପ୍ରକୃତି ରାଣୀ
ପରିପୂର୍ଣ୍ଣତାର ସମ୍ଭାର ସୃଷ୍ଟିକରେ ଶୋଭାର ଭଣ୍ଡାର
ରସିକ ଭାବୁକ ଦର୍ଶକମାନଙ୍କୁ ସେ ନେଇଥାଏ କିଣି
ବର୍ଷଣ ମୁଖର ନିଝୁମ୍ ରାତି ଖୋଜେ ତାର ସାଥୀ
ପ୍ରୀତିର ଉନ୍ମାଦେ ଉନ୍ମାଦନା ଆଣିଦିଏ ଶ୍ରାବଣୀ
ଶାନ୍ତି ତୃପ୍ତିରେ ଜୀବନକୁ ରସମୟ କରିବା ପାଇଁ
ଦୂରେ କାହିଁ ବିରହ ବିଚ୍ଛେଦେ ରହି କାନ୍ତ କି କାନ୍ତା
ଝୁରୁଥାଏ ତାର ସେ ସ୍ମୃତିକୁ ମନେ କରି ପୁଣି ପୁଣି
ଏ ଜୀବନର ଯନ୍ତ୍ରଣା ନଦୀ ବନ୍ୟା ସମ ଦୁଃଖଦ
ଲଙ୍ଘିବାକୁ ସେ ଉଦ୍ଦାମ ସ୍ରୋତ ଉଦ୍ୟମ କରେ ପ୍ରାଣୀ
ବହୁ ଅଙ୍ଗେନିଭା ଅଭିଜ୍ଞତା ଅନୁଭୂତିକୁ ସାଉଁଟି ଆଣି
ଦରଦୀ ହୃଦୟେ ଦରଦ ଭରେ ଶ୍ରାବଣର ଶ୍ରାବଣୀ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
