ଜିରା ଗ୍ରାମରେ ଯୁବକଙ୍କ ଗଳିତ ଶବ ଉଦ୍ଧାର

ରଘୁନାଥପୁର,ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରଘୁନାଥପୁର ବ୍ଳକ୍ ଅନ୍ତର୍ଗତ ରାଢ଼ଙ୍ଗ ପଞ୍ଚାୟତର ଜିରା ଗ୍ରାମରେ ଏକ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ଉକ୍ତ ଗ୍ରାମର ରାଜେନ୍ଦ୍ର ନାୟକ (୪୭ ବର୍ଷ) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଜିରା ଗ୍ରାମର ରାଜେନ୍ଦ୍ର ନାୟକ ବିବାହିତ ହୋଇଥିବା ସତ୍ତ୍ଵେ ତାଙ୍କର ଜଣେ ଅବିବାହିତ ଭାଇଙ୍କ ସହ ଗାଆଁ ଘରେ ରହୁଥିଲେ। ଗତ ଶନିବାର ଦିନ ପ୍ରାୟ ଏଗାରଟା ସମୟରେ ରାଜେନ୍ଦ୍ର ଚୋରା ଦେଶୀ ମଦ ପ୍ରଚୁର ପରିମାଣରେ ପିଇ ଥିବାର ଲୋକେ ଦେଖିଥିଲେ। ଏଗାରଟା ପରଠାରୁ ରାଜେନ୍ଦ୍ରର ଦେଖା ମିଳି ନଥିଲା। ଗତ କାଲି ରାତିରେ ସନ୍ଦେହରେ ଗ୍ରାମବାସୀ ରାଜେନ୍ଦ୍ର ଘର ଦେଖିବାକୁ ଗଲାବେଳେ ରାଜେନ୍ଦ୍ରର ଗଲିତ ଶବ ଦେଖି ରଘୁନାଥପୁର ଥାନାକୁ ଫୋନ୍ କରିଥିଲେ। ଶନିବାର ଦିନ ଠାରୁ ଘରୁ ବାହାରି ନଥିଲେ। ଘଟଣାସ୍ଥଳରେ ରଘୁନାଥପୁର ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।ବିଷାକ୍ତ ମଦ ପାଇଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଜିରା, ରାଢ଼ଙ୍ଗ ଅଞ୍ଚଳରେ ବହୁଳ ଭାବେ ଚୋରା ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ମାତ୍ର ପନ୍ଦର ଦିନ ତଳେ ଜିରା ଗ୍ରାମ ନିକଟ ଇଚ୍ଛାପୁର ଗ୍ରାମରେ କିଛି ବର୍ଷ ହେବ ବାସ କରୁଥିବା ଜଣେ ମହିଳା ମୂଲିଆ ଚୋରା ମଦ ପିଇ ମୃତ୍ୟୁ ବରଣ କରିଛନ୍ତି। ଏହା ପୂର୍ବରୁ ଏକାଧିକ ଯୁବକ ଚୋରା ମଦ ପିଇ ମୃତ୍ୟୁ ବରଣ କରିଥିବା କଥା ଅଞ୍ଚଳ ଲୋକ କୁହନ୍ତି। ନିକଟରେ ତିର୍ତୋଲ ସିରସ୍ତାରେ ବିଷାକ୍ତ ମଦ ଯୋଗୁଁ ଦୁଇ ଜଣଙ୍କ ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ହେଲେ ଏଦିଗରେ ସେଭଳି ଖୋଳତାଡ଼ ହୋଇନଥିଲା। ଅନୁରୂପ ଭାବେ କୁଜଙ୍ଗରୁ ଅପମିଶ୍ରିତ ନକଲି ମଦ ଜବତ ହୋଇଥିଲା। ଏକ୍ଷେତ୍ରରେ ବି ତଦନ୍ତ ବାଟବଣା ରହିଥିଲା। ବର୍ତ୍ତମାନ ସମୟରେ ଜିଲ୍ଲାରେ ସ୍ଥାୟୀ ଅବକାରୀ ଅଧିକ୍ଷକ କେହିନଥିବାରୁ ତଦନ୍ତ ବାଟବଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜନ ମଙ୍ଗଳକାରି ରାଷ୍ଟ୍ରରେ ମଦ ପିଇ ମୃତ୍ୟୁ ବରଣ କରିବା ଅତ୍ୟନ୍ତ ଇତର ବ୍ୟବସ୍ଥା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅଞ୍ଚଳରେ ମଦ ଯୋଗୁଁ ଜୀବନ ଯିବା ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *