ବିଶ୍ୱାସ ଓ ସମ୍ପର୍କର ମହନୀୟତା କଥା କହିଲା ନାଟକ”ପବିତ୍ର ପାପ”

ବ୍ରହ୍ମପୁର– ସମ୍ପର୍କରେ ନିବିଡ଼ତା ବିଶ୍ୱାସ ଆଣେ ଆଉ ବିଶ୍ୱାସ ବିନା ସମ୍ପର୍କ ଅସମ୍ପୂର୍ଣ୍ଣ । ସକାଳେ ଫୁଟି ସଞ୍ଜରେ ମଉଳି ଯାଏନି ସମ୍ପର୍କ । କାଚର ଆଇନା ପରି ସମ୍ପର୍କ ଯଦି କେବେ ଚଅଁରିଯାଏ ,ପଥର ମୂର୍ତ୍ତି ପରି ନଥର ଏମଣିଷ ଯୁଗ ପରେ ଯୁଗ ବିତିଯାଏ ପ୍ରତିକ୍ଷାରେ,ଶ୍ରାବଣୀର ଅବ୍ୟକ୍ତ ଦୁଃଖରେ । ଏଭଳି କିଛି ବିଶ୍ୱାସ ଓ ସମ୍ପର୍କର ମହନୀୟତାର କଥା କହିଛି 15ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ରଜନୀର ନାଟକ “ପବିତ୍ର ପାପ” । ରାଉରକେଲା କଳାକାର ଏକତା ମଂଚ ତରଫରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଓଡିଶା ନାଟକ ସମାରୋହ ସମିତି ତରଫରୁ ଆୟୋଜିତ 15ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ପରିବେଷିତ ଏହି ନାଟକର ମୁଳ କାହାଣୀ ଇଂ.ଅଜୟ ମହାପାତ୍ର ରଚନା କରିଥିବା ବେଳେ ପ୍ରଶାନ୍ତ ମହାପାତ୍ର ନାଟ୍ୟ ରୂପାନ୍ତର କରିଛନ୍ତି । ପ୍ରଶାନ୍ତ ଷଡଙ୍ଗୀଙ୍କ ନିର୍ଦ୍ଦେଶିତ ଓ କୁମାର ରାଜଙ୍କ ସହ-ନିର୍ଦ୍ଦେଶିତ ଏହି ନାଟକରେ ରାମ ପ୍ରସାଦ ମହାନ୍ତି,ପ୍ରଶାନ୍ତ ଷଡଙ୍ଗୀ,କୈଳାସ ପାତ୍ର,ଲୁଲୁ,ମନୀଷା ରଥ ଓ ଦିବ୍ୟାଭାରତୀ ଦାସ ପ୍ରମୁଖ ଅଭିନୟ କରିଥିଲେ । ଡ଼.ସୁଶାନ୍ତ ପାଣି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରଜ୍ଞାଦତ୍ତ ସାହୁ,ବଂଶୀଧର ସାହୁ,ସଞ୍ଜୟ ପ୍ରଧାନ,ଲକ୍ଷ୍ମୀଧର ଡୋରା,ଶିଶିର ଓ ମମତା ରାଣୀ ତ୍ରିପାଠୀ ପ୍ରମୁଖ ମଞ୍ଚର ବିଭିନ୍ନ ବିଭାଗରେ ସହଯୋଗ କରିଥିଲେ । ତୃତୀୟ ଦିବସ ନାଟକ ପୂର୍ବରୁ ଆୟୋଜିତ ସଭାରେ ଆୟୋଜକ ସଂସ୍ଥାର ସମ୍ପାଦକ ଶଙ୍କର୍ଷଣ ସାବତ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ବିଶିଷ୍ଟ ନାଟ୍ୟକର୍ମୀ ଓ ମଂଚ ଶିଳ୍ପୀ ଅଶୋକ କର ଏବଂ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଡା.ତିରୁପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ବିନାୟକ ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନମିତା ରାଣୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସୁନୀଲ ସ୍ୱାଇଁ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ଅନିଲ ପାତ୍ର, ଉପାଧ୍ୟକ୍ଷ ନାରାୟଣ ମହଙ୍କୁଡ,ରାଜଗୋପାଳ ପାଢ଼ୀ,ଡ଼.ମିହିର ତ୍ରିପାଠୀ,ସତ୍ୟବ୍ରତ ଦାସ,ଆରତୀ ପାତ୍ର,ରାମଚନ୍ଦ୍ର ସାସମଲ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *