ପହିଲି ରଜରେ ଜମୁଛି ଖୁସିର ଆସର, ପୋଡ଼ ପିଠା ସହ ଦୋଳିର ମଜା ନେଉଛନ୍ତି
Date-14/6/2025-ରଜ ପର୍ବ ହେଉଛି ଆମ ଓଡ଼ିଆ ମାନଙ୍କର ଏକ ବଡ଼ ଗଣପର୍ବ ।ରଜକୁ ନେଇ ମନ ଭିତରେ ଭରି ରହିଥାଏ ଅନେକ ଉତ୍କଣ୍ଠା ଓ ଆକାଂକ୍ଷା । ରଜ ପର୍ବକୁ ନେଇ ଲୋକମାନେ ବେଶ ଆନନ୍ଦିତ ଓ ଉଦ୍ଦୀପନାର ସହିତ ପାଳନ କରିଥାନ୍ତି । ଗାଁ ଗାଁରେ ଭାଇଚାରା ଓ ଏକତାକୁ ଦୃଢ଼ୀଭୂତ କରିବାର ନିଆରା ପ୍ରୟାସ ଏହି ରଜ ଉତ୍ସବ ଯାହା ସମାଜ ପାଇଁ ଏକ ବଡ଼ ନିଦର୍ଶନ ପାଲଟିଛି । ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ଦେଖନ୍ତୁ ଆମର ଏହି ରିପୋର୍ଟ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଭିନ୍ନ ଅଂଚଳରେ ରଜ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଆଳତୁମା ଗାଁ ସ୍ଥିତ ରାମିଆଳ ନଦୀ ପଠାରେ ଭଳିକି ଭଳି ରଜ ଦୋଳି, ଚିତ୍ର ବିଚିତ୍ରର ସୁନେଲି ରୂପେଲି ରଙ୍ଗର ମୂର୍ତ୍ତି, ଗଛ ଦେହରେ ସୁନ୍ଦର ରଙ୍ଗ କାର୍ଯ୍ୟ, ବିଭିନ୍ନ ପ୍ରକାରର ଷ୍ଟଲ, ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଛି। ହଜାର ହଜାର ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର ସବୁ ଉତ୍ସବମୁଖର । ରଜ ୩ ଦିନ ପାଳନ ହୁଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠାମିଠାର ଆସର ଜମିଛି । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ଼ ଆକର୍ଷଣ । ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠା, ମିଠା ଖାଇ ରଜ ଉତ୍ସବକୁ ପାଳନ କରିଛନ୍ତି । ପାଦରେ ଅଳତାକୁ ହାତରେ ମେହେନ୍ଦି ଲଗାଇ ସଜେଇ ଝିଆମାନେ ହୋଇଛନ୍ତି । ପାନକୁ ବା କିଏ ଭୁଲିବ । ବାଙ୍ଗୁରା ଗାଁ ଆମ୍ବତୋଟାରେ ଝିଅ,ବୋହୂଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଥିସହିତ ମାଳପୁରା ଗାଁରେ ରଜ ଉତ୍ସବ ସମସ୍ତଙ୍କ ମନ ମୋହିଛି। ବିଭିନ୍ନ ପ୍ରତିଯୋଗିତା ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିଛି।ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ରଜ ଭାଇଚାରାକୁ ଦୃଢ଼ୀଭୂତ କରିବା ସହ ଲୋକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରି ଦେଇଥାଏ। ଯାହା ଆମ ଓଡ଼ିଆ ଜାତି ଓ ଭାଷା ଭାଷୀଙ୍କ ପାଇଁ ନିଆରା ନିଦର୍ଶନ।
