ସ୍ଥାୟୀ ନିର୍ମାଣରେ ମେଳା ପଡିଆ ସଙ୍କୋଚିତ, ଶ୍ରଦ୍ଧାଳୁଙ୍କ ଅସନ୍ତୋଷ।
କୋଣାର୍କ:-ସାତଥର ଯିବୁ ଗଙ୍ଗା,ଥରେ ଯାଇଥିବୁ ଚନ୍ଦ୍ରଭାଗା ମୁଁହ ପଡ଼ିଯିବ ରଙ୍ଗା।ଗଙ୍ଗା ନଦୀ ପରି ପବିତ୍ର ଓ ଧାର୍ମିକ ଭାବାବେଗ ସହ ଜଡିତ ଚନ୍ଦ୍ର ଭାଗା ତ୍ରୀର୍ଥ ଏବେ ଇତିହାସ ହେବାକୁ ବସିଛି। ଆବାହନ କାଳରୁ ଚନ୍ଦ୍ରଭାଗା ତ୍ରୀର୍ଥ ମେଳାପଡିଆ ଏବେ ଭୋଗଶାଳା ପାଲଟିଯିବାକୁ ବସିଛି। ସରକାର ସୌନ୍ଦର୍ଯ୍ୟକରଣ ଓ ବିକାଶ ଆଳରେ ମେଳାପଡ଼ିଆର ଅସ୍ତିତ୍ବ ଲିଭାଇବାକୁ ବସିଥିବା ଜଣାପଡିଛି।ସୌନ୍ଦର୍ଯ୍ୟକରଣ ଆଳରେ ଚନ୍ଦ୍ରଭାଗା ମେଳାପଡିଆକୁ ବାଲିରେ ପୋତି ସଙ୍କୋଚିତ କରିବା ସହ ଅସ୍ଥାୟୀ ଦୋକାନ ଗୃହ ଓ ଶୌଚାଳୟ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଯାହାକି ଏକ ନିର୍ଦ୍ଧିଷ୍ଟ ଧର୍ମର ଭାବା ବେଗ ପ୍ରତି କୁଠାରଘାତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପ୍ରାପ୍ତ ସୂଚନାରୁ ଜଣାପଡେକି ପୁରୀ ଜିଲ୍ଲାର ଦ୍ୱିତୀୟ ବଡ଼ ପର୍ବ ଭାବେ ଚନ୍ଦ୍ରଭାଗା ମାଘ ବୁଡ ପ୍ରସିଦ୍ଧ ଅଟେ। ପୌରାଣିକ କଥା ସହ ଲୋକ ମାନଙ୍କ ଆସ୍ଥା, ବିଶ୍ୱାସର ପ୍ରତୀକ ଭାବେ ଚନ୍ଦ୍ରଭାଗା ତ୍ରୀର୍ଥସ୍ଥଳୀ କେଁଉ କାଳରୁ ଏକ ଧାର୍ମିକ ଭାବନା ସହ ଜଡ଼ିତ ରହିଛି। ପ୍ରତିବର୍ଷ ମାଘମାସ ସପ୍ତମୀ ତିଥିରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମବେତ ହୋଇ ତ୍ରୀର୍ଥରେ ସ୍ନାନ ପୂର୍ବକ ସୂର୍ଯ୍ୟ ନାରାୟଣଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ପୂର୍ବରୁ ତ୍ରୀର୍ଥକୁ ସଂକୋଚିତ କରାଯାଇଥିବା ବେଳେ ଏବେ ମେଳା ପଡିଆକୁ ବିକାଶ କରିବା ଆଳରେ ସଙ୍କୋଚିତ କରାଯାଉଅଛି।ଯାହାକି ମାଘ ସପ୍ତମୀରେ ସମସ୍ୟା ଉପୁଜିବା ଆଶଙ୍କା ଦେଖାଦେଇଛି। ଫଳରେ ପ୍ରାଚୀନ ସଂସ୍କୃତି ଓ ପରମ୍ପରା କ୍ଷୁର୍ଣ୍ଣ ହେଉଥିବା ସଂସ୍କୃତି ପ୍ରେମୀ, ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଯାହାକୁ ନେଇ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସମେତ ଚନ୍ଦ୍ରଭାଗା ବଜାର କମିଟି ତୀବ୍ର ବିରୋଧ କରିଛି। ମେଳା ପଡିଆକୁ ପୋତି ଦିଆଯାଇ ପରେ ଏହାକୁ କଂକ୍ରିଟ ଢଳେଇ କରାଯିବା ସହ ଶୌଚାଳୟ ନିର୍ମାଣ କରାଯାଉଛି। ଏଠାରେ ଶୌଚାଳୟ ହେଲେ ମାଘ ସପ୍ତମୀ ପୂର୍ବ ରାତିରେ ବୁଡ଼ ପାଇଁ ଅପେକ୍ଷାରତ ଲକ୍ଷାଧିକ ଶ୍ରଦ୍ଧାଳୁ ଅସୁବିଧାରେ ସମ୍ମୁଖୀନ ହେବେ।ଅନ୍ୟପକ୍ଷରେ ମେଳାପଡିଆରେ ଶୌଚାଳୟ ଓ ଦୋକାନ ଗୃହକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷବ୍ୟକ୍ତ କରିଅଛନ୍ତି।ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ଅଶେଷ ପୁଣ୍ୟ ଲାଭ ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି। ମାଘ ସପ୍ତମୀରେ ଏହି ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଦୁର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ପୂର୍ବ ରାତିରେ ମେଳା ପଡିଆରେ ବିଶ୍ରାମ ନେଇଥାନ୍ତି।ପରେ ତ୍ରୀର୍ଥରେ ତ୍ରିଦେବ ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ଇଷାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇ ସୂର୍ଯୟନାରାୟଣଙ୍କୁ ଦର୍ଶନ କରିଥାନ୍ତି।ସେହିପରି ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ ପାଇଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ମେରାଇନ ଥାନା ସମ୍ମୁଖ ବେଳାଭୂମିରେ ଠିକାଦାର ମନ୍ଥର ଗତିରେ ମନଇଚ୍ଛା କାମକରୁଥିବା ଦେଖିବାକୁ ମିଳିଛି।ନା କାର୍ଯ୍ୟର ସୂଚନା ଫଳକ ଅଛି,ନା ଜନସାଧାରଣଙ୍କ ଜାଣିବା ପାଇଁ କିଛି ନିର୍ଦ୍ଧିଷ୍ଟ ସୂଚନା ରହିଛି।ତୁରନ୍ତ ମେଳା ପଡ଼ିଆରେ ଏହି ନିର୍ମାଣକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଜନସାଧାରଣ, ଶ୍ରଦ୍ଧାଳୁ ଏବଂ ବଜାର କମିଟି ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳଙ୍କୁ ନିବେଦନ କରିଥିବା ଜଣାପଡିଛି।
