ବାଲିକପିଳେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
କୋଣାର୍କ,୦୮.୦୩- ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀ ଶ୍ରୀ ବାଲିକପିଳେଶ୍ୱରଙ୍କ ପୀଠରେ ପବିତ୍ର ଜାଗର ଅମାବାସ୍ୟା ଓ ମହାଶିବରାତ୍ରୀ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ପରିଲିଖିତ ହୋଇଥିଲା। ସେବାୟତ ସଙ୍ଘ ପକ୍ଷରୁ ଶୁକ୍ରବାର ପ୍ରାତଃ ରୁ ମହାପ୍ରଭୁଙ୍କ ବିଭିନ୍ନ ନିତିକାନ୍ତି ପାଳନ ପୂର୍ବକ ଜାଗର ଯାତ୍ରା ଆରମ୍ଭ ହୋଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପୂର୍ବକ ବ୍ୟାରିକେଡ଼ ବ୍ୟବସ୍ଥାରେ ଶୃଙ୍ଖଳିତ ଭାବେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସକାଳୁ ଦଶର୍ନ ଲାଗି ରହିଥିଲା। ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରୁ ପୀଠରେ ଥିବା ବିସ୍ତୀର୍ଣ୍ଣ ବାଲୁକା ପଡିଆରେ ଭକ୍ତମାନେ ଉଜାଗର ହୋଇ ଜାଗର ଦୀପ ଜାଲିଥିଲେ। ସମସ୍ତ ନିତିକାନ୍ତି ଓ ହରିହର ଭେଟ ପରେ ରାତ୍ର ୩ଘଟିକାରେ ମହାଦୀପ ମନ୍ଦିର ଚୁଡ଼ାକୁ ଉଠିଥିଲା। ଯାହା ଫଳରେ ହଜାର ହଜାର ଶ୍ରଦ୍ଧାଳୁ ହରିବୋଲ ହୁଳହୁଳିରେ ପରିବେଶ ଭାବମୟ ହୋଇ ପଡ଼ିଥିଲା। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପଦ ସେଠୀଙ୍କ ତତ୍ତ୍ଵାବଧାନରେ ୯ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ଗୋପ ତହସିଲଦାର ରଞ୍ଜନ କୁମାର ପରିଡ଼ା, ବାଲିକପିଳେଶ୍ୱର ଉନ୍ନୟନ କମିଟି ସଭାପତି ଗୋପାଳ ଚନ୍ଦ୍ର ବେହେରା, ତରକୋର ସରପଞ୍ଚ ଶୁଶାନ୍ତ କୁମାର ପରିଡ଼ା, ସମାଜସେବୀ ରମାକାନ୍ତ ବେହେରା, ଦୁର୍ଯ୍ୟଧନ ଖାଟୋଇ, ସମିତି ସଭ୍ୟ କାଶୀନାଥ ନାୟକ, ସମାଜସେବୀ ବାବୁଲି ବେହେରା, ବ୍ରହ୍ମାନନ୍ଦ ସେନାପତି, ସ୍ବେଚ୍ଛାସେବୀ ପରିଚାଳନା ସଂଯୋଜକ ରାମକୃଷ୍ଣ ମହାନ୍ତି, ସେବାୟତ ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଜାଗର ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଭୁବନେଶ୍ଵର ସୁନ୍ଦରପଦାର ଜେଏସକେ ସଲୁସନ୍ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ପକ୍ଷରୁ ମଧ୍ୟାହ୍ନରୁ ରାତ୍ର ପର୍ଯ୍ୟନ୍ତ ପ୍ରାୟ ୧୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
