ଝିଅଟିଏ ଖୁସି ଆନନ୍ଦର ଖିଅଟିଏ
ଶୀର୍ଷକ _ଝିଅଟିଏ ଖୁସି ଆନନ୍ଦର ଖିଅଟିଏ
ରୀତାରାଣୀ ଦାଶ
ବାଲେଶ୍ୱର
ଝିଅଟି ଆସିଲେ ଲକ୍ଷ୍ମୀ ଆସେ ବୋଲି
କୁହନ୍ତି ଦୁନିଆଁ ସାରା
ଖୁସି ଆନନ୍ଦର ପସରାର ଖିଅ
ଲକ୍ଷ୍ମୀ ଠାକୁରାଣୀ ପରା |
ଜଗତ ଜନନୀ ଅନ୍ନଦାତ୍ରୀ ମାତା
ପାଳନ୍ତି ସଚରା ଚର
ତୁଳନୀୟା ସେହି ବନ୍ଦନୀୟା ହୋଇ
ପାଳେ ସଂସ୍କୃତି ସଂସ୍କାର |
ଝିଅର ଖୁସିରେ ପୂରିଉଠେ ଘର
ପରିବେଶ ବି ଉଲ୍ଲାସ
ଖୁସିର ପ୍ରତୀକ ପରିବାରେ ଝିଅ
ହୃଦୟ ଛୁଏଁ ତା ହସ |
ଦୁହିତା ଅଟଇ ଦୁଇ କୁଳ ହିତା
ଜନନୀ ଭଗିନୀ ଜାୟା
ତାହାର ମହତ୍ତ୍ୱ ଅନବଦ୍ୟ ରୂପ
ମମତାରେ ସବୁ ବାୟା |
ଘର ଅଗଣାରେ ରୁଣୁ ଝୁଣୁ ଶବ୍ଦ
ମଧୁର ସ୍ନେହ ଆଭାଷ
ଶୁଣିବା ଟିକିଏ ଡେରି ହୋଇଗଲେ
କମେ ମନରୁ ହରଷ |
ଅତି ଅଲିଅଳି ଗେହ୍ଲ ବସରର
ବଢ଼େ ପୂର୍ଣ୍ଣ ଚନ୍ଦ୍ର ପରି
ମନମୋହିନୀ ସେ ଭାଇ ମାନଙ୍କର
ବାପା ନୟନ ପିତୁଳି |
ସବୁରି ମନକୁ ଜିଣିବାର କଳା
ବିଧାତା ଦେଇଛି ଭରି
କର୍ମର ପଥରେ ଅଗ୍ରସର ହେଲ
ଜଞ୍ଜାଳ ବଢ଼େ ତାହାରି |
ଅତିକ୍ରମ କରି ବାଲ୍ୟ ଚପଳାମି
ବିବାହ ଯୋଗ୍ୟା ହୋଇଲେ
ଘର ଅଗଣାରୁ ଦୂର ହୁଏ ସେହି
ସିନ୍ଦୂର ଟୋପେ ପିନ୍ଧିଲେ |
ସବୁରି ମମତା ତୁଚ୍ଛ କରିଦେଇ
ଆପଣାଏ ଶାଶୁ ଘର
ଅଜଣା ସ୍ଥାନରେ ନିଜ ସୁଗୁଣରେ
ସଭିଙ୍କୁ ଯେ ଆପଣାର |
ସ୍ୱାମୀ ମନଜାଣି ସନ୍ତୁଷ୍ଟି ପ୍ରଦାନେ
ଶାଶୁ ଶଶୁର ସେବାରେ
ଜୀବନକୁ ତାର ଉତ୍ସର୍ଗ କରଇ
ଲୁହ ପିଇ ଅକ୍ଳେଶରେ |
ଜନନୀ ଭଗିନୀ ଜାୟାର ରୂପରେ
କର୍ତ୍ତବ୍ୟର ପୂଜାରିଣୀ
ବ୍ରାହ୍ମ ମୁହୂର୍ତ୍ତରୁ ମଧ୍ୟ ରାତ୍ରିଯାଏ
ଶୁଭ ମନାସଇ ପୁଣି |
ପିତାମାତା କୋଳେ ରାଜ ଜେମା ସିଏ
ସ୍ୱାମୀଙ୍କ ପାଇଁ ଉର୍ବଶୀ
ଶାଶୁ ଶଶୁରଙ୍କ ସୁନାଲାଖି ବୋହୁ
ମନ୍ଦିରରେଦେବ ଦାସୀ |
ଝିଅ ପାଇଁ ଆଜି ତିଷ୍ଠିଚି ଜଗତ
ଜାଗ୍ରତ ସୃଷ୍ଟି ସମ୍ଭାର
ଆନନ୍ଦର ଢେଉ ଘର ଲକ୍ଷ୍ମୀ ସିଏ
ଆତ୍ମା ସବୁରି ହୃଦର |
